ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଜିଲ୍ଲାର ବାଙ୍କୀ ହେଉଛି ଏକ ପ୍ରମୁଖ ସବ୍‌ଡିଭିଜନ। ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ସେଠାରେ ପ୍ରତିଷ୍ଠା କରାଯାଇଥିଲା ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ। କିନ୍ତୁ ଏହି ଚିକିତ୍ସାଳୟ ଏବେ ନାହିଁ ନଥିବା ପରିସ୍ଥିତିରେ ଗତି କରୁଛି। ବାଙ୍କୀ ସବ୍‌ଡିଭିଜନ ସମେତ ଆଖପାଖର ପ୍ରାୟ ୫୦ହଜାରରୁ ଅଧିକ ଲୋକ ଏହି ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି। ହେଲେ ସେବା ଯୋଗାଇବାରେ ଫେଲ୍ ମାରିଛି ଏହି ଚିକିତ୍ସାଳୟ।

ନିୟମିତ ଭାବେ କାର୍ଯ୍ୟରତ ଥିବା ଡାକ୍ତରମାନେ ଠିକ୍‌ ସମୟରେ ଚିକିତ୍ସାଳୟକୁ ଆସୁ ନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଡାକ୍ତର ରୋଗୀଙ୍କ ଚିକିତ୍ସାରେ ଅବହେଳା କରୁଥିବାର ମଧ୍ୟ ଅଭିଯୋଗ ହେଉଛି। ରୋଗୀମାନେ ଏବିଷୟରେ ଅଭିଯୋଗ କଲେ ସୁଦ୍ଧା କାହାର କର୍ଣ୍ଣପାତ ହେଉନାହିଁ।

ଏହାଛଡ଼ା ଚିକିତ୍ସାଳୟ ପରିସରରେ ମେଡିସିନ୍ ରିପ୍ରେଜେଣ୍ଟିଭ୍ ଏବଂ ପାଥୋଲାବ୍ ଦଲାଲମାନଙ୍କ ପାଦୃଭାବ ଧୀରେ ଧୀରେ ବଢ଼ିବାରେ ଲାଗିଛି। ପୂର୍ବରୁ କର୍ତ୍ତୃପକ୍ଷଙ୍କ ତରଫରୁ ଏମାନଙ୍କ ପାଇଁ ନାମକୁ ମାତ୍ର ବାରଣ ସଦୃଶ ଏକ କାଗଜ କାନ୍ଥରେ ମରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

ଏହି ଚିକିତ୍ସାଳୟରେ ମେଜର ଓଟି କାର୍ଯ୍ୟକ୍ଷମ ଥିବାବେଳେ ଡାକ୍ତର ନଥିବା ହେତୁ କୌଣସି ପ୍ରକାର ଅସ୍ତ୍ରୋପ୍ରଚାର କରାଯାଉନାହିଁ। ଫଳରେ ଯନ୍ତ୍ରାଂଶଗୁଡ଼ିକ ଖତ ଖାଇବାକୁ ବସିଲାଣି। ବାଙ୍କୀ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ୯୦ଟି ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ଶଯ୍ୟାଗୁଡ଼ିକ ଖାଲି ପଡ଼ିଛି। ଏହି ଚିକିତ୍ସାଳୟରେ ଡାକ୍ତର ଅଭାବ ଥିବାବେଳେ ସରକାରୀ କାଗଜ କଲମରେ କିନ୍ତୁ ଡାକ୍ତର ପୂରଣ ହୋଇଥିବା ଦର୍ଶାଯାଇଛି। ଏହି ଚିକିତ୍ସାଳୟରେ ମୋଟ ୧୪ଟି ବିଭାଗ ରହି ଥିବାବେଳେ ଏଠାରେ ଉପଯୁକ୍ତ ଡାକ୍ତର ନାହାନ୍ତି। ଏଥିସହ ଏଠାରେ ୭ଟି ଟେକ୍ନିସିଆନ୍ ପଦବୀ ରହିଥିବା ବେଳେ ସବୁଯାକ ଖାଲି ପଡ଼ିଛି।

ଅନ୍ୟପଟେ ବାଙ୍କୀ ଚିକିତ୍ସାଳୟରେ ଚିକିତ୍ସା ସେବା ବ୍ୟାହତ ହେଉ ଥିବାବେଳେ ଏଠାରେ କାର୍ଯ୍ୟରତ ଥିବା ଜଣେ ଡାକ୍ତରଙ୍କୁ କଳାପଥର ଡାକ୍ତରଖାନାକୁ ଡେପୁଟେସନ୍‌ରେ ପଠାଦିଆଯାଇଛି। ସବୁଠୁ ବଡ଼ ଦୁର୍ଭାଗ୍ୟର କଥା ହେଉଛି ଏହି ମେଡିକାଲରେ ଜଣେ ମାତ୍ର ଭେଷଜ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଇଛି। ହେଲେ ସେ କାର୍ଯ୍ୟରେ ଯୋଗ ଦେବା ଦିନଠାରୁ କଟକ ସିଟି ହସ୍ପିଟାଲକୁ ଡେପୁଟେସନରେ ଯାଇ ଚିକିତ୍ସା କରୁଛନ୍ତି। ଏଥିସହ ସେ ଏହି ଚିକିତ୍ସାଳୟରୁ ମଧ୍ୟ ଦରମା ନେଉଛନ୍ତି। ଯାହାଫଳରେ ଭେଷଜ ବିଭାଗରେ ତାଲା ଝୁଲିଛି। ଦନ୍ତରୋଗ ବିଭାଗ ଏଠାରେ ନୂତନ କରି ଖୋଲିଥିଲେ ମଧ୍ୟ ଏଯାବତ୍ କୌଣସି ଡାକ୍ତରଙ୍କୁ ନିଯୁକ୍ତି କରାଯାଇନାହିଁ।

ଠିକ୍‌ ସେହିପରି ଅନୁରୂପ ଅବସ୍ଥା ଶିଶୁରୋଗ ବିଭାଗରେ ମଧ୍ୟ ଦେଖିବାକୁ ମିଳିଛି। ଏଠାରେ ଅଲ୍ଟ୍ରାସାଉଣ୍ଡ୍‌ର ବ୍ୟବସ୍ଥା ରହିଛି, ହେଲେ ଦକ୍ଷଚିକିତ୍ସକ ନଥିବା ହେତୁ ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ସେହିପରି ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଥିଲେ ମଧ୍ୟ ରୋଗୀଙ୍କୁ ପ୍ରସବ ସମୟରେ ବାଙ୍କୀର ଏକ ଘରୋଇ ନର୍ସିଂହୋମକୁ ପଠାଇ ଦିଆଯାଉଥିବା ଅଭିଯୋଗ ହେଉଛି।

ଏହାଛଡ଼ା ସବ୍‌ଡିଭିଜନ ହେଡ୍‌କ୍ୱାଟରରେ ଡାକ୍ତର ଅଭାବ ସମସ୍ୟା ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ନଛୋଡ଼ବନ୍ଧା ପାଲଟିଛନ୍ତି। ନିଯୁକ୍ତି ପାଇଥିବା ଡାକ୍ତର ମନ ମୁତାବକ ଚିକିତ୍ସାଳୟରେ ଯୋଗ ଦେଉଥିବା ବେଳେ ସରକାରୀ ବାବୁଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ। ସମସ୍ତ ବ୍ୟବସ୍ଥା ଥାଇ ମଧ୍ୟ ସେବା ଯୋଗାଇବାରେ ଫେଲ୍ ମାରିଛି ଏହି ଅନୁଷ୍ଠାନଟି।

 

ଅନ୍ୟପଟେ ସରକାରୀ ଡାକ୍ତରଙ୍କୁ ନିରାମୟ କେନ୍ଦ୍ରରେ ଉପଲବ୍ଧ ଥିବା ଔଷଧ ଯୋଗାଇବା ପାଇଁ ନିୟମ ରହିଥିବା ବେଳେ ଡାକ୍ତର କିନ୍ତୁ ଲେଖୁଛନ୍ତି ବିଭିନ୍ନ ନାମୀଦାମୀ କମ୍ପାନିର ଔଷଧ। ଯାହାକୁ ସାଧାରଣ ଲୋକେ କିଣିବାକୁ ଅସମର୍ଥ।

ଏହାଛଡ଼ା ଚିକିତ୍ସାଳୟ ପରିସର ଅସ୍ୱାସ୍ଥ୍ୟକର ବାତାବରଣରେ ଗତି କରୁଥିବାବେଳେ ଆବର୍ଜନାଗୁଡ଼ିକ ଦୀର୍ଘଦିନ ହେବ ପଡ଼ି ରହୁଛି। ଯାହାଫଳରେ ରୋଗୀଙ୍କ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି। ଏଥିସହ ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି ରୋଗୀଙ୍କ ବ୍ୟବହାର ପାଇଁ ଥିବା ଶୌଚାଳୟ ଏବଂ ନଳକୂପ। ଅଭିଯୋଗ ହେଉଛି ଏହି ନଳକୂପରୁ ମଧ୍ୟ ଅପରିଷ୍କାର ପାଣି ବାହାରୁଛି। ଏହି ସବୁ କାରଣ ପାଇଁ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Comment