ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ପେଟ୍ରୋଲ ପମ୍ପ ଉଦ୍ୟୋଗୀଙ୍କ ପାଇଁ ନୂଆ ନିୟମ ଆପଣେଇଲେ କେନ୍ଦ୍ରସରକାର।

କେନ୍ଦ୍ରାପଡ଼ା: ନୂଆ ପେଟ୍ରୋଲ ପମ୍ପ କରିବାକୁ ଆଗ୍ରହୀ ଥିବା ଉଦ୍ୟୋଗୀମାନଙ୍କ ପାଇଁ କେନ୍ଦ୍ରସରକାର ନିୟମ ସରଳ କରିଛନ୍ତି।  ପେଟ୍ରୋଲ ପମ୍ପ୍ ନିର୍ମାଣ ପାଇଁ ପୂର୍ବରୁ ଥିବା କେତେକ ନିୟମକୁ ପରିବର୍ତ୍ତନ କରାଯାଇଛି।

ସରକାରଙ୍କର ଏହି ନୂଆ ଯୋଜନା ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀ ତୈଳ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ କରାଯାଇଥିଲା।

ପୂର୍ବରୁ ଥିବା ନିୟମ, ପ୍ରାରମ୍ଭିକ ଜମା ପୁଞ୍ଜିର ଆବଶ୍ୟକତାକୁ ଉଠାଇ ଦେଇଛନ୍ତି କେନ୍ଦ୍ର ପ୍ରାକୃତିକ ଗ୍ୟାସ ତୈଳ ମନ୍ତ୍ରାଳୟ । ସେହପରି ଅନ୍ୟ କେତେକ କଟକଣାକୁ ବି କୋହଳ କରାଯାଇଛି।

ପେଟ୍ରୋଲ ଓ ଡିଜେଲ ଖୁଚୁରା ବ୍ୟବସାୟ ନିମନ୍ତେ  ସରକାର ଏବେ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବରୁ ନୂଆ ପେଟ୍ରୋଲ ପମ୍ପ ପାଇଁ ଆବେଦନ କରୁଥିବା ଆଶାୟୀ ଉଦ୍ୟୋଗୀ ବହୁ କଟକଣାର ସାମନା କରୁଥିଲେ।

ଆଶାୟୀ ଉଦ୍ୟୋଗୀଙ୍କ ଆକାଉଣ୍ଟରେ ସର୍ବନିମ୍ନ ୧୫ ଲକ୍ଷ ଟଙ୍କା ଜମା କରିବା ବାଧ୍ୟତାମୂଳକ ରହିଥିଲା। ଏବେ ସେହି ନିୟମକୁ ଉଠାଇ ଦିଆଯାଇଛି।

ଏହାଛଡା ପୂର୍ବରୁ ଆବେଦନକାରୀଙ୍କ ବୟସ ସୀମା ୨୧ରୁ ୫୫ ରଖାଯାଇଥିଲା। ଏବେ ଏହି ବୟସ ସୀମା ୬୦ ବର୍ଷକୁ ବୃଦ୍ଧି କରାଯାଇଛି।

ଯଦି ଆବେଦନକାରୀଙ୍କ ନାମରେ କୌଣସି ଜମି ନଥାଏ ତେବେ ସେ ଅନ୍ୟ କୌଣସି ଜମିକୁ ଚୁକ୍ତି କରି ଆବେଦନ କରିପାରିବେ।

ସେହିପରି ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା  ସର୍ବନିମ୍ନ ଦଶମ ଶ୍ରେଣୀ ରଖାଯାଇଛି। ଆବେଦନକାରୀ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କଠାରୁ ଆପତ୍ତି ନଥିବା ପ୍ରମାଣ ପତ୍ର ଦେଇ ଦରଖାସ୍ତ କରିବାକୁ ବ୍ୟବସ୍ଥା କରିଛନ୍ତି ମନ୍ତ୍ରାଳୟ।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ଯଦି କୌଣସି ସ୍ଥାନ ନିମନ୍ତେ ଏକାଧିକ ଆବେଦନକାରୀ ଆବେଦନ କରିଥାନ୍ତି ତାହେଲେ ନିଜ ଜିଲ୍ଲା ପ୍ରଶାସନ ଅଧୀନରେ ରହିଥିବା ଏନ୍ଆଇସି ବା ଜାତୀୟ ସୂଚନା କେନ୍ଦ୍ରରେ ସେମାନଙ୍କ ଆବେଦନ ପତ୍ରକୁ ଲଟେରୀ ମାଧ୍ୟମରେ ଚୟନ କରାଯିବ।

କେନ୍ଦ୍ରାପଡ଼ାରେ  ଚଳିତ ବର୍ଷ ୩ ଟି ପେଟ୍ରୋଲିୟମ କମ୍ପାନି ମୋଟ ୬୬ ଟି ପେଟ୍ରୋଲ ପମ୍ପ ନିମନ୍ତେ  ଆବେଦନ କରିଥିବା ସୂଚନା ମିଳିଛି।

Comment