ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ଫିଲ୍ମ ‘ଛବିରାଣୀ’ରେ ପୋଲିସ ଭୂମିକାରେ ନଜର ଆସିବେ। ଆସନ୍ତୁ ଜାଣିବା ସେ କେଉଁସବୁ ସିନେମାରେ ପୋଲିସ ଭୂମିକାରେ ଅଭିନୟ କରିଛନ୍ତି।

ବବି ଇସଲାମଙ୍କ ନିର୍ଦ୍ଦେଶିତ ‘ଛବିରାଣୀ’ ହେଉଛି ଅଶି ଦଶକର ଏକ ରେପ୍ ଆଣ୍ଡ୍ ମର୍ଡରର କାହାଣୀ ଉପରେ ଆଧାରିତ। ଏହି ସିନେମାର କାହାଣୀ ଅନୁଯାୟୀ ଛବିରାଣୀର ଦୁଷ୍କର୍ମ ଓ ହତ୍ୟା ପରେ ଘଟଣାର ତଦନ୍ତ କରୁଛନ୍ତି ଜଣେ ଦକ୍ଷ ପୋଲିସ ଅଧିକାରୀ। ସେହି ତଦନ୍ତକାରୀ ଅଧିକାରୀ ଭୂମିକାରେ ଅଭିନୟ କରୁଛନ୍ତି ସିଦ୍ଧାନ୍ତ ମହାପାତ୍ର।

‘ଛବିରାଣୀ’ରେ ସିଦ୍ଧାନ୍ତ ଓ ଅନୁଙ୍କ ବ୍ୟତୀତ ଅନ୍ୟ କଳାକାରଙ୍କୁ ମଧ୍ୟ ଦେଖିବାକୁ ପାଇବେ। ଏଥିରେ ଛବିରାଣୀ ଭୂମିକାରେ ଅଛନ୍ତି ଚନ୍ଦ୍ରିକା। ଜଣେ ସାମ୍ବାଦିକ ଭୂମିକାରେ ଅଛନ୍ତି ଅମନ୍‌, ଯିଏ କି ଚନ୍ଦ୍ରିକାଙ୍କ ସ୍ୱାମୀ। ଏତଦ୍‌ ବ୍ୟତୀତ ମିହିର ଦାସ ଓ ମିଟୁ ମିଥୁନ୍ ପ୍ରମୁଖ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ତେବେ ସିଦ୍ଧାନ୍ତ ପ୍ରଥମ ଥର ପାଇଁ କୌଣସି ଫିଲ୍ମରେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରୁନାହାନ୍ତି। ଆଗରୁ ବି ସେ ବେଶ୍ କେତୋଟି ଫିଲ୍ମରେ ପୋଲିସ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।

ସିଦ୍ଧାନ୍ତ ମହାପାତ୍ର ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଧର୍ମର ହେବ ଜୟ, ଦେ ମା’ ଶକ୍ତି ଦେ ଏବଂ ମତେ ଆଣି ଦେଲ ଲକ୍ଷେ ଫଗୁଣ ଆଦି ସିନେମାରେ ନଜର ଆସିଛନ୍ତି ପୋଲିସ ଚରିତ୍ରରେ। ‘ଧର୍ମର ହେବ ଜୟ’ରେ ତାଙ୍କ ବାପା ଭୂମିକା ନିଭାଇଥିବା ଅଭିନେତା ବିଜୟ ମହାନ୍ତି ଥିଲେ କନ୍‌ଷ୍ଟେବଲ ଚରିତ୍ରରେ। ହେଲେ ଏଥିରେ ସିଦ୍ଧାନ୍ତ ବନିଥିଲେ ପୋଲିସ ଅଧିକାରୀ।

‘ଦେ ମା’ ଶକ୍ତି ଦେ’ରେ ସିଦ୍ଧାନ୍ତ ଉଭୟ ପଜିଟିଭ୍‌ ଓ ନେଗେଟିଭ୍ ପୋଲିସ ଅଫିସରରେ ନଜର ଆସିଥିଲେ। କାରଣ ଏଥିରେ ତାଙ୍କର ଡବଲ୍ ରୋଲ୍ ଥିଲା।

ନିର୍ଦ୍ଦେଶକ ଶୁଭେନ୍ଦୁ ସ୍ୱାଇଁଙ୍କ ନିର୍ଦ୍ଦେଶିତ ଦୁଇଟି ସିନେମା ହେଲା ‘ଚକା ଚକା ଭଉଁରି’ ଓ ‘ବନ୍ଦେ ଉତ୍କଳ ଜନନୀ’। ଏ ଦୁଇ ଫିଲ୍ମରେ ସିଦ୍ଧାନ୍ତଙ୍କୁ ଦେଖିବାକୁ ମିଳିଥିଲା ପୋଲିସ ଅଧିକାରୀ ଭୂମିକାରେ। ଉଭୟ ସିନେମାରେ ସିଦ୍ଧାନ୍ତଙ୍କର ଆକ୍‌ସନ୍‌ ରୋଲ୍ ଥିଲା। ଅବଶ୍ୟ ‘ଚକା ଚକା ଭଉଁରି’ ସିନେମାରେ ତାଙ୍କ ଚରିତ୍ରରେ ରୋମାନ୍ସ ଥିଲା ଅଧିକ, କିନ୍ତୁ ବନ୍ଦେ ଉତ୍କଳ ଜନନୀ’ ଥିଲା ସୁପର ଆକସନ୍‌ ମୁଭି।

ଶକ୍ତି ବରାଳଙ୍କ ନିର୍ଦ୍ଦେଶିତ ‘ତୁ ଏକା ଆମ ସାହା ଭରସା’ ଓ ସ୍ୱର୍ଗତ ମହମ୍ମଦ୍‌ ମହସୀନଙ୍କ ନିର୍ଦ୍ଦେଶିତ ‘ଲକ୍ଷ୍ମୀ ପ୍ରତିମା’ରେ ମଧ୍ୟ ପୋଲିସ ଅଧିକାରୀ ଚରିତ୍ରରେ ନଜର ଆସିଥିଲେ ସିଦ୍ଧାନ୍ତ ମହାପାତ୍ର।

Comment