ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ସମସ୍ତ ବେଆଇନ ସେବାଶ୍ରମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର।

ଢେଙ୍କାନାଳ ବେଲଟିକିରିସ୍ଥିତ ସେବାଶ୍ରମରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର। ଏହି ସେବାଶ୍ରମକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ।

ଏହି ସେବାଶ୍ରମ ଚଳାଇବା ପାଇଁ ରାଜ୍ୟ ସରକାର କୌଣସି ଅନୁମତି ଦେଇ ନଥିଲେ। ବେଆଇନ ଭାବେ ଏହି ସେବାଶ୍ରମ ଚାଲିଥିଲା ବୋଲି ମନ୍ତ୍ରୀ କହିଛନ୍ତି।

ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଏନଜିଓ ପକ୍ଷରୁ ଏହି ସେବାଶ୍ରମ ଚାଲିଥିଲା। ଢେଙ୍କାନାଳ ସମେତ ଏହି ସଂସ୍ଥା ପକ୍ଷରୁ ୨୬ଟି ସେବାଶ୍ରମ ପ୍ରତିଷ୍ଠା କରାଯାଇଥିଲା। ଏହିସବୁ ସେବାଶ୍ରମ ବେଆଇନ୍ ବୋଲି ମନ୍ତ୍ରୀ କହିଛନ୍ତି। ଗୋ ନ୍ୟୁଜ ଇଣ୍ଡିଆ ପକ୍ଷରୁ ପରିଚାଳିତ ହେଉଥିବା ସେବାଶ୍ରମରେ ତାଲା ଝୁଲାଇବାକୁ ମନ୍ତ୍ରୀ କହିଛନ୍ତି। ଏହାସହ ଆଉ ଯେଉଁ ସେବାଶ୍ରମ ବେଆଇନ ଭାବେ ଚାଲୁଛି ତାକୁ ବନ୍ଦ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

“ସେବାଶ୍ରମରେ ତାଲା ପକାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଢେଙ୍କାନାଳ ବେଲଟିକିରିସ୍ଥିତ ସେବାଶ୍ରମରେ ଥିବା ୬୨ ଜଣ ଅନ୍ତେବାସୀଙ୍କୁ ଅନ୍ୟ ସେବାଶ୍ରମକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଏହି ସଂସ୍ଥାର ମୁଖ୍ୟ ଫୟାଜ ରହମାନଙ୍କୁ ଗିରଫ କରାଯାଇଛି। ଏହି ସଂସ୍ଥା ଦହ ଜଡ଼ିତ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ”, କହିଛନ୍ତି ପ୍ରଫୁଲ୍ଲ ସାମଲ।

ବେଲଟିକିରି ସେବାଶ୍ରମରେ ଜଣେ ଅନ୍ତେବାସୀଙ୍କୁ ସଂସ୍ଥାର ମୁଖ୍ୟ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ କଟକ ଫୁଲନଖରାସ୍ଥିତି ସେବାଶ୍ରମରେ ଗତ ଶୁକ୍ରବାର ସ୍ଥାନୀୟ ଲୋକେ ପୋଡ଼ାଜଳା କରିଥିଲେ।

ଏନେଇ ଢେଙ୍କାନାଳ ସଦର ଥାନାରେ ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ ଏତଲା ଦେଇଥିଲେ।

Comment