ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପିରୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଇସ୍ତଫା ପରେ ଦୁଇ ଦିନ ହେଲା ବିଜୟଙ୍କ ସମର୍ଥକମାନେ ବିଜେପିରୁ ଇସ୍ତଫା ଦେବାରେ ଲାଗିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକରେ ଶନିବାର ଦିନ ଶତାଧିକ ବିଜେପି ସମର୍ଥକ ଇସ୍ତଫା ଦେଇଥିବା ବେଳେ ରବିବାର ଦିନ ମାର୍ଶାଘାଇ ବ୍ଲକ ଓ ମହାକାଳପଡ଼ା ବ୍ଲକର ୧୦ଟି ପଞ୍ଚାୟତରୁ ବିଜେପି କର୍ମୀମାନେ ଇସ୍ତଫା ଦେଇଛନ୍ତି।

ବିଜୟ ମହାପାତ୍ରଙ୍କୁ ସମର୍ଥନ କରି ସେମାନେ ବିଜେପି ଛାଡ଼ିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଶନିବାର ଦିନ ମାର୍ଶାଘାଇ ଜଗନ୍ନାଥ ହୋଟେଲରେ ବିଜୟ ମନହାପାତ୍ରଙ୍କ ସମର୍ଥକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦୁଇ ବ୍ଲକର ବିଭିନ୍ନ ପଞ୍ଚାୟତରୁ ପ୍ରାୟ ୨୦୦ରୁ ଅଧିକ ବିଜୟ ସମର୍ଥକମାନେ ଯୋଗ ଦେଇଥିଲେ।

ପୂର୍ବରୁ ପଞ୍ଚାୟତମାନଙ୍କରେ ଖାତା ଖୋଲି ପାରୁନଥିବା ବିଜେପି ଗତ ପଞ୍ଚାୟତ ନିର୍ବାଚନରେ ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ବିପୁଳ ଭୋଟ ପାଇଥିଲା। ବହୁ ଗ୍ରାମ ପଞ୍ଚାୟତରେ ସରପଞ୍ଚ, ସମିତି ସଦସ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟମାନେ ବିଜୟୀ ହୋଇଥିଲେ।

ଦଳରେ ବିଜୟଙ୍କୁ ଯେଉଁ ଭଳି ଭାବରେ ଅପମାନିତ କରାଗଲା ତାହାକୁ ବରଦାସ୍ତ କରିବା ଠିକ୍ ନଥିଲା। ଯେଉଁଥିପାଇଁ ବିଜୟ ବିଜେପିରୁ ଇସ୍ତଫା ଦେଇଛନ୍ତି।

ବିଜୟ ତାଙ୍କର ଭବିଷ୍ୟତ ରାଜନୈତିକ ପ୍ଲାଟଫର୍ମ ଯେକୌଣସି ଦଳରେ କରନ୍ତୁ କି ନକରନ୍ତୁ, ବିଜୟଙ୍କ ସହିତ ପଞ୍ଚାୟତ ସ୍ତରର ଏହି ଛାମୁଆଁ ନେତାମାନେ ରହିବାକୁ ନିଷ୍ପତ୍ତି ନେଇ ବିଜେପି ପରିତ୍ୟାଗ କଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ଏହି ବିଜେପି ବର୍ଜନ ସଭାରେ ୧୦ଜଣ ସରପଞ୍ଚ ରହିଥିବା ବେଳେ ୧୫ ଜଣ ସମିତି ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରେ ମାର୍ଶାଘାଇ ବ୍ଲକର ପୁର୍ବତନ ବିଜେପି ସଭାପତି ଶାରଦା ପ୍ରଶନ୍ନ ବେହେରା, ଦସିପୁର ପଞ୍ଚାୟତର ପୁର୍ବତନ ସମିତି ସଦସ୍ୟ ଗୋପିନାଥ ବେହେରା, ମଣିକୁଣ୍ଡା ପଞ୍ଚାୟତର ସରପଞ୍ଚ ପ୍ରତାପ ରାଉତ ଓ ସମିତି ସଦସ୍ୟ ଜ୍ଞାନ ରଞ୍ଜନ ବସନ୍ତିଆ, ପରକୁଳା ପଞ୍ଚାୟତର ସମିତି ସଦସ୍ୟା ରାଜଲକ୍ଷ୍ମୀ ବେହେରା, ତେରଗାଁ ପଞ୍ଚାୟତର ସରପଞ୍ଚ ବିନିତା ବେହେରା ଆଦି ୨୫ ଜଣ ଲୋକ ପ୍ରତିନିଧି ଏଥିରେ ସାମିଲ ହୋଇଛନ୍ତି।

ଆଗାମୀ ଦିନରେ ବିଜୟଙ୍କ ହାତମୁଠାକୁ ଟାଣ କରିବାକୁ ଏହି ନେତା ମାନେ ବଜ୍ର ଶପଥ ନେଇଛନ୍ତି। ବିଜୟ ନିଜେ ଏକ ଦଳ ଗଠନ କରିବେ କି, ଆଉ କେଉଁ ରାଜନୈତିକ ଦଳରେ ଯୋଗଦେବେ ତାହା ସ୍ପଷ୍ଟ ହୋଇ ନଥିବା ବେଳେ ତାଙ୍କ ସମର୍ଥକମାନେ ଅନ୍ଧ ଭଳି ତାଙ୍କୁ ସମର୍ଥନ ଜଣାଇ ତାଙ୍କ ପଛେ ପଛେ ଦଳ ଛାଡ଼ିଥିବା ବିଜୟଙ୍କ ଲୋକ ପ୍ରିୟତାର ପ୍ରମାଣ ଦେଇଛି।

Comment