କପିଳାସ ଭୂୟାଁ

ଆଜି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ। ଏହି ଅବସରରେ ଜାଣନ୍ତୁ ଏହି ଭିନ୍ନକ୍ଷମଙ୍କ ବିଷୟରେ…
ରାଜ୍ୟ ସରକାରଙ୍କ ପକ୍ଷରୁ ଯାଜପୁର ଜିଲ୍ଲାରେ ଭିନ୍ନକ୍ଷମଙ୍କୁ ବିଜୁ ପକ୍କା ଘର ଯୋଗାଇ ଦିଆଯିବା ଏବେ ସାରା ରାଜ୍ୟରେ ଉଦାହରଣ ପାଲଟିଛି।
ଯାଜପୁର ଜିଲ୍ଲାର ଯାଜପୁର ବ୍ଲକରେ ବିଜୁ ପକ୍କା ଘର ଯୋଗାଇ ଦେବାକୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଭିନ୍ନକ୍ଷମମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନିଆ ଯାଇଛି।
ଏହା କିପରି ସମ୍ଭବ ହୋଇଛି?
ସୁଜନପୁର ଗ୍ରାମ ପଞ୍ଚାୟତର ହସନପୁର ଗାଁରେ ବଟକୃଷ୍ଣ ଜେନାଙ୍କ ଘର। ବୟସ ଅଠେଇଶି। ଶାରୀରିକ ଭାବେ ସେ ଜଣେ ପୋଲିଓ ଆକ୍ରାନ୍ତ ଭିନ୍ନକ୍ଷମ ଯୁବକ। କିନ୍ତୁ ତାଙ୍କର ମନୋବଳ ଭାରି ଦୃଢ। ପିଲା ପରିବାର ଚଳାଇବା ପାଇଁ ଛେଳି ପାଳନ କରିବା ସହ ଛେଳି ଚରାଇ ଗୁଜୁରାଣ ମେଣ୍ଟାନ୍ତି। ଜୀବନ ବଞ୍ଚିବା ପାଇଁ ସେ ତାଙ୍କ ଶାରୀରିକ ଅକ୍ଷମତା ସହ ଅହରହ ଯୁଦ୍ଧ କରି ଚାଲିଛନ୍ତି।
ସରକାରଙ୍କ ବିଜୁ ପକ୍କା ଘର ଯୋଜନାରେ ସାହାଯ୍ୟ ପାଇ ବଟକୃଷ୍ଣ ତିଆରି କରିଛନ୍ତି କୋଠାଘର। ପୁଣି ନିର୍ଦ୍ଧାରିତ ଚାରି ମାସ ସମୟ ସୀମା ମଧ୍ୟରେ ସେ ତାଙ୍କ ବିଜୁ ପକ୍କା ଘର ନିର୍ମାଣ କରିଥିବାରୁ ତାଙ୍କୁ ସହାୟତା ରାଶି ରୂପେ ମିଳିଛି ଅଧିକ ୨୦ ହଜାର ଟଙ୍କା। ପାଇଖାନା ତିଆରି କରିବାକୁ ମିଳିଛି ୧୨ ହଜାର ଟଙ୍କା। ଏହା ଛଡ଼ା ସରକାରୀ ଅନୁଦାନରେ ଦିଆ ଯାଉଥିବା ଚାଉଳ ମଧ୍ୟ ପ୍ରତି ମାସରେ ତାଙ୍କୁ ନିୟମିତ ଭାବେ ମିଳୁଛି।
ଛେଳି ପାଳନରୁ ବଳକା ସମୟରେ ସେ ସଡ଼କ ପାର୍ଶ୍ଵ ବୃକ୍ଷ ରୋପଣ ମଧ୍ୟ କରନ୍ତି। ୨୦୧୭ ମସିହାରେ ସେ ଏକା ଏକା ୨୦ ହଜାର ଗଛ ଲଗାଇଥିବାରୁ ରେଡ କ୍ରସ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଭୁବନେଶ୍ଵରଠାରେ ବଟକୃଷ୍ଣଙ୍କୁ ସମ୍ମାନୀତ କରିଛନ୍ତି।
ବିଜୁ ପକ୍କା ଘର ମିଳିଥିବାରୁ ଏବେ ବଟକୃଷ୍ଣ ପରିବାର ସହ ଖୁସିରେ ଅଛନ୍ତି।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)