ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ବିଶିବିଲ ପାଟରେ ଧାନ ଚାଷରେ ବ୍ୟାପକ ପରିମାଣରେ ପୋକ ଲାଗିବାରୁ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ।

କେନ୍ଦ୍ରାପଡ଼ା ଜିଲ୍ଲା ସହରତଳି ଅଞ୍ଚଳ ବିଶିବିଲ ପାଟରେ ତିତଲି ମୁହଁରୁ ରକ୍ଷା ପାଇଥିବା ଧାନ ଏବେ ପାଚିବାକୁ ବସିଛି। ହେଲେ ପାଚିଲା ଧାନ କ୍ଷେତରେ ଏବେ ମହାମାରୀ ହେବାକୁ ଲାଗିଛି କାଳମୁଣ୍ଡି ପୋକଙ୍କ ଆକ୍ରମଣ। ଶହଶହ ଏକର ପାଚିଲା ଧାନ କ୍ଷେତରେ ଲାଗିଛନ୍ତି କାଳମୁଣ୍ଡି ପୋକ। ଧାନ କ୍ଷେତରେ ପାଣିଥିବାରୁ ଚାଷୀ ବିଲ ଭିତରକୁ ପଶି ଧାନ କାଟିବା ଅସମ୍ଭବ ହୋଇ ପଡ଼ିଛି। ଜିଲ୍ଲା ପ୍ରଶାସନ କହିବା କଥାକି ଶିଘ୍ର ଧାନ ନକାଟିଲେ ଧାନ ଉଜୁଡ଼ି ଯିବ।

ଚଳିତବର୍ଷ ଧାନ ଚାଷୀ ମୁଣ୍ଡରେ ଚଡ଼କ ପକେଇଥିଲା ବାତ୍ୟା ତିତଲି। ହଜାର ହଜାର ଏକର ଧାନ ଜମି ଧୋଇଗଲା। ହଜାର ହଜାର ଟଙ୍କା ଖର୍ଚ୍ଚ କରି ଧାନ ଚାଷ କରିଥିବା ଚାଷୀ ପରିବାର ହଇରାଣରେ ପଡ଼ିଥିଲେ। ତିତଲି ମୁହଁରୁ ବଞ୍ଚି ଯାଇଥିବା ଉଚ୍ଚ ଜମିର ଧାନରେ ସାର ଦେଇ ଏବଂ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ଚାଷୀ। ଏବେ ସେହି ଧାନ ପାଚିବା ଅବସ୍ଥାରେ ପହଞ୍ଚିଛି। କିନ୍ତୁ ଧାନରେ ଏବେ କାଳମୁଣ୍ଡି ପୋକ ଲାଗିଲେଣି। ପାଚି ଆସୁଥିବା ଧାନର କେଣ୍ଡାକୁ କାଟିକାଟି ଖଣ୍ଡଖଣ୍ଡ କରି ତଳେ ଝାଡ଼ି ଦେବା ଆରମ୍ଭ କଲେଣି। ଦିନରେ ଏମାନେ ଗଛ ମୂଳରେ ଲୁଚି ରହୁଥିବା ବେଳେ ରାତି ହେଲେ ଧାନ କେଣ୍ଡାକୁ ଚଢ଼ି ଆସୁଛନ୍ତି। ଏହି ପୋକଙ୍କ ସଂଖ୍ୟା ଏତେ ହେଲାଣି ଯେ ସେମାନଙ୍କୁ ଆୟତ କରିବା ଅସମ୍ଭବ ହୋଇପଡ଼ିଛି।

ପାଚିଲା ଧାନ କିଆରିରେ କୀଟନାସକ ଔଷଧ ପକାଇବା ବିପଦ ବୋଲି କୃଷି ବିଭାଗ ସତର୍କ କରିଦେଇଛନ୍ତି।
ହେଲେ ଏହି କାଳମୁଣ୍ଡି ପୋକମାନଙ୍କୁ କିପରି ଆୟତ କରାଯିବ ତାହାର ବାଟ ପାଉନି କୃଷି ବିଭାଗ। ଚାଷୀମାନଙ୍କର ଏବେ ମାନସିକ ଦୁଶ୍ଚିନ୍ତା ବଢ଼ି ଯାଇଛି। କୃଷି ବିଭାଗ ଏହି ସମସ୍ୟାର ସମାଧାନ କରି ନପାରିଲେ ଲକ୍ଷଲକ୍ଷ ଟଙ୍କାର ପାଚିଲା ଧାନ ଉଜୁଡ଼ି ଯିବା ସମ୍ଭାବନାକୁ ଏଡ଼ାଇ ହେବନି। ବିଶିବିଲ ପାଟରେ ରହିଥିବା ଗୁଲ୍ ନଗର, ରାମନଗର ପାଟଣା, ବାରିମୂଳ ଆଦି ଗାଁର ଚାଷୀମାନେ ସୋମବାର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Comment