ଓଡ଼ିଶାଲାଇଭ୍‌ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ମି ଠୁ’ରେ କାହା ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ତ କାହା ଉପରେ ନାହିଁ, ଜାଣନ୍ତୁ ‘ମି ଠୁ’ର ପ୍ରଭାବ ବଲିଉଡ ଜଗତରେ କିପରି ପଡ଼ିଛି।

ମଡେଲ ତଥା ଅଭିନେତ୍ରୀ କେଟ୍ ଶର୍ମା ଅବଶେଷରେ ପ୍ରଖ୍ୟାତ ନିର୍ମାତା ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ବିରୋଧରେ ଆଣିଥିବା ଯୌନ ଶୋଷଣର ଅଭିଯୋଗକୁ ପ୍ରତ୍ୟାହାର କରି ନେଇଛନ୍ତି। କେଟ୍ ଶର୍ମା ଅଭିଯୋଗ ଆଣିଥିଲେ ଯେ ସୁଭାଷ ଘାଇ ଏକ ପାର୍ଟିରେ ତାଙ୍କ ସହିତ ଅସଦାଚରଣ କରିଥିଲେ।

ତନୁଶ୍ରୀ ଦତ୍ତା ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିରୋଧରେ ‘ମି ଠୁ’ ଅଭିଯାନରେ ଅଭିଯୋଗ ଆଣିଥିଲେ। ଏହା ପରେ ଅନେକ ମହିଳା ଏହି ଅଭିଯାନରେ ସାମିଲ୍‌ ହୋଇ ସେମାନଙ୍କ ସହ ଘଟିଥିବା ବିଭିନ୍ନ ଯୌନ ଶୋଷଣ ଘଟଣାକୁ ପଦାକୁ ଆଣିଥିଲେ।

ଏହି ‘ମି ଠୁ’ ଅଭିଯାନ ସକ୍ରିୟ ହେବା ପରେ କେତେକଙ୍କ ଉପରେ ନାନା ପ୍ରକାରର କାର୍ଯ୍ୟାନୁଷ୍ଠାନ ହୋଇଛି। ଯେମିତିକି ‘ହାଉସଫୁଲ-୪’ର ନିର୍ଦ୍ଦେଶକ ସାଜିଦ୍ ଖାନ୍‌ଙ୍କୁ ସେହି ସିନେମାରୁ ଆଉଟ୍‌ ହୋଇଥିଲେ। ତେଣେ ସେହି ସିନେମାର ଅନ୍ୟତମ କଳାକାର ନାନା ପାଟେକରଙ୍କୁ ମଧ୍ୟ ‘ହାଉସଫୁଲ୍‌-୪’ରୁ ବିଦା ହେବାକୁ ପଡ଼ିଥିଲା।

ଠିକ୍ ସେହିପରି ଜଣାଶୁଣା ନିର୍ଦ୍ଦେଶକ ବିକାଶ ବହଲଙ୍କ ଉପରେ ଯୌନ ଶୋଷଣ ଆସିବା ପରେ ତାଙ୍କ ବିରୋଧରେ ବି ପ୍ରଯୋଜନା ସଂସ୍ଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ରିତିକ୍ ରୋଶନଙ୍କ ଅଭିନୀତ ଫିଲ୍ମ ‘ସୁପର-୩୦’ରୁ ବିକାଶ ବହଲଙ୍କୁ ଆଉଟ୍‌ କରାଯାଇଛି।

ଶୋ’ ମ୍ୟାନ୍ ସୁଭାଷ ଘାଇଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିବା କେଟ୍ ଶର୍ମା କିନ୍ତୁ ଖପ୍ପା। କାରଣ ସେ କହିଛନ୍ତି ଯେ ଥାନାରେ ଏତଲା ଦେବା ପରେ ମଧ୍ୟ ପୋଲିସ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାର ଆଦୌ ଅଗ୍ରଗତି ହେଉନାହିଁ। ସେ ନ୍ୟାୟ ପାଇବାର ଆଶା ଛାଡ଼ି ଦେଇଛନ୍ତି। ତା’ ଛଡ଼ା କେଟ୍‌ କହିଛନ୍ତି ଯେ ତାଙ୍କୁ ଲୋକେ ଥଟ୍ଟା କରୁଛନ୍ତି। ସେ ଯୌନ ଶୋଷଣର ଶିକାର ହୋଇଥିବା ଅଭିନେତ୍ରୀ ଭାବେ ବ୍ରାଣ୍ଡେଡ୍‌ ହୋଇଯାଇଛନ୍ତି ବୋଲି କହିଛନ୍ତି କେଟ୍ ଶର୍ମା। ଏହି କାରଣରୁ ସେ ପୋଲିସ ନିକଟରେ ଯେଉଁ ଏତଲା ଦେଇଥିଲେ, ତାକୁ ପ୍ରତ୍ୟାହାର କରି ନେବାକୁ ଚାହୁଁଛନ୍ତି। କାରଣ ଏହି ଘଟଣା ପରେ ତାଙ୍କ ପରିବାର ମଧ୍ୟ ଅସୁବିଧା ଭୋଗୁଛନ୍ତି।

କେଟ୍ ଶର୍ମା ଅକ୍ଟୋବର ୧୨ ତାରିଖରେ ପୋଲିସ ନିକଟରେ ଏତଲା ଦେଇଥିଲେ। ଏହା ପରେ ମଧ୍ୟ ପୋଲିସ ହାତବାନ୍ଧି ବସିଥିଲା। ତା’ପରେ କେଟ୍ ଶର୍ମା ତିନି ଥର ଥାନାକୁ ଯାଇ ପଚରାଉଚୁରା କରିବା ପରେ ପୋଲିସ ଅକ୍ଟୋବର ୨୫ ତାରିଖରେ ତାଙ୍କର ଷ୍ଟେଟମେଣ୍ଟ୍ ରେକର୍ଡ କରିଥିଲା। ପୁଣି ପ୍ରାୟ ମାସକ ପରେ ଆଉ ଥରେ ପୋଲିସ ତାଙ୍କର ଷ୍ଟେଟମେଣ୍ଟ୍ ଦେବାକୁ ପ୍ରସ୍ତୁତ ହେଉଥିବା ଜାଣିବା ପରେ କେଟ୍ ଶର୍ମା କ୍ଷୁବ୍ଧ ହେଲେ। ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ କେଟ୍‌ ଶର୍ମା ଇତିମଧ୍ୟରେ ଏହି ମାମଲା ପ୍ରତ୍ୟାହାର କରିବାକୁ ଲଖିତ ଭାବେ ଜଣାଇସାରିଛନ୍ତି। ଅର୍ଥାତ୍‌ ଏହି ଅଭିଯୋଗ ଏଇଠି ସରିଲା।

ଏଣେ ବରିଷ୍ଠ ଅଭିନେତା ଆଲୋକ ନାଥ ତାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଥିଲେ ଲେଖିକା ତଥା ଟେଲି ନିର୍ମାତ୍ରୀ ବିନିତା ନନ୍ଦା। ଅକ୍ଟୋବର ମାସରେ ଏଭଳି ଅଭିଯୋଗ ଆସିଥିଲା। ଏହି ମାମଲାରେ ଆଲୋକ ନାଥଙ୍କ ବିରୋଧ ବିଳମ୍ବରେ ହେଉପଛେ କାର୍ଯ୍ୟାନୁଷ୍ଠାନ ହୋଇଛି।

ବିଗ୍‌ବସର ପୂର୍ବତନ ପ୍ରତିଯୋଗୀ ପୂଜା ମିଶ୍ର ବଲିଉଡର ସୁପରଷ୍ଟାର ସଲମାନ୍‌ ଖାନ୍‌, ଅରବାଜ୍ ଖାନ୍ ଓ ସୋହେଲ୍‌ ଖାନ୍‌ ତିନି ଭାଇ ମିଶି ତାଙ୍କ ସହିତ ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଥିଲେ। ଏହାର କୌଣସି ପ୍ରତିକ୍ରିୟା ବି ଦେଖିବାକୁ ମିଳିନାହିଁ।

ତେବେ ଏକ ଲୋକପ୍ରିୟ ଟେଲି ରିଆଲିଟି ସୋ’ରେ ଜଜ୍‌ ରୂପେ ଦାୟିତ୍ୱ ନିର୍ବାହ କରୁଥିବା ଅନୁ ମଲିକଙ୍କୁ କିନ୍ତୁ ଆଉଟ୍ ହେବାକୁ ପଡ଼ିଥିଲା। ଅନୁ ମଲିକଙ୍କ ବିରୁଦ୍ଧରେ ‘ଇଣ୍ଡିଆନ୍‌ ଆଇଡଲ୍‌’ ରିଆଲିଟି ସୋ’ର ସହକାରୀ  ପ୍ରଯୋଜକ ଡାନିକା ଡିସୁଜା ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଏହାର ଫଳ ଭୋଗିବାକୁ ପଡ଼ିଥିଲା ସଙ୍ଗୀତକାର ଅନୁ ମଲିକଙ୍କୁ।

ଠିକ୍ ସେହିପରି ଅକ୍ଟୋବର ମାସରେ ନବାଗତ ନିର୍ଦ୍ଦେଶକ ମୁକେଶ ଛାବ୍ରାଙ୍କ ବିରୋଧରେ ମଧ୍ୟ ଯୌନ ଶୋଷଣର ଅଭିଯୋଗ ଆସିଥିଲା। ଏହା ପରେ ପ୍ରଯୋଜନା ସଂସ୍ଥା ଫକ୍ସଷ୍ଟାର୍ ଷ୍ଟୁଡିଓଜ୍‌ ଇଣ୍ଡିଆ ମୁକେଶଙ୍କୁ ଫିଲ୍ମ ‘କିଜି ଔର୍‌ ମନି’ରୁ ବିଦା କରିଥିଲେ।

Comment