ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସରକାରୀ ଯୋଜନା ବାଟମାରଣା ରୋକିବାକୁ ପଦକ୍ଷେପ
  • ପ୍ରତି ମାସ ୧୫ରୁ ୨୦ ତାରିଖ ଭିତରେ ହେବ କ୍ୟାମ୍ପ
  • ସରକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଯିବ
  • ଶ୍ରେଷ୍ଠ ପଞ୍ଚାୟତକୁ ମିଳିବ ୫ ଲକ୍ଷ ଟଙ୍କା

୨୦୧୯ ନିର୍ବାଚନକୁ ଆଉ ୪ ମାସ। ଏହା ପୂର୍ବରୁ ଭୋଟ ବ୍ୟାଙ୍କ ଉପରେ ନଜର ପକାଇଛନ୍ତି ରାଜ୍ୟ ସରକାର। ତୃଣମୂଳ ସ୍ତରର ଭୋଟରଙ୍କୁ ଅକ୍ତିଆର କରିବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାର ନାଁ ହେଉଛି ‘ପିଠା’।

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ପଞ୍ଚାୟତ ସ୍ତରର ଲୋକଙ୍କୁ ଜଣାଇବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।

ଏହି ଯୋଜନା ‘ଆମ ଗାଁ ଆମ ବିକାଶ’ ଅଧୀନରେ କାମ କରିବ। ପ୍ରତି ମାସ ୧୫ରୁ ୨୦ ତାରିଖ ଭିତରେ ପ୍ରତି ପଞ୍ଚାୟତରେ କ୍ୟାମ୍ପ କରାଯିବ। ଏହି କ୍ୟାମ୍ପରେ ଆମ ଏଲଇଡି, ମିଶନ ଶକ୍ତି, ମଧୁ ବାବୁ ପେନସନ ଯୋଜନା, କଳାକାର ଭତ୍ତା, ନିର୍ମାଣ ଶ୍ରମିକଙ୍କୁ ମିଳୁଥିବା ଯୋଜନା ବାବଦରେ ଆଲୋଚନା କରାଯିବା ସହ ପ୍ରକୃତ ହିତାଧିକାରୀଙ୍କ ପାଖରେ ଯୋଜନା ପହଞ୍ଚୁଛି କି ନାହିଁ ସେନେଇ ଆଲୋଚନା ହେବ।

ବ୍ଲକ ସ୍ତରର ଜଣେ ପର୍ଯ୍ୟବେକ୍ଷକ ଏହି ଯୋଜନାର ତଦାରଖ କରିବେ।

ପିଠା ଯୋଜନାରେ ସଫଳତା ହାସଲ କରିଥିବା ପଞ୍ଚାୟତଗୁଡ଼ିକ ମଧ୍ୟରୁ ପ୍ରତି ବ୍ଲକରୁ ଗୋଟିଏ ପଞ୍ଚାୟତକୁ ଶ୍ରେଷ୍ଠ ପଞ୍ଚାୟତ ଭାବେ ବଛାଯିବ। ଶ୍ରେଷ୍ଠ ପଞ୍ଚାୟତକୁ ଜିଲ୍ଲା ସ୍ତରରେ ୫ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ। ଏହାସହ ରାଜ୍ୟସ୍ତରୀୟ କ୍ୟାମ୍ପରେ ଶ୍ରେଷ୍ଠ ପଞ୍ଚାୟତ, ଶ୍ରେଷ୍ଠ ବ୍ଲକ, ଶ୍ରେଷ୍ଠ ଜିଲ୍ଲାକୁ ସ୍ୱତନ୍ତ୍ର ଅନୁଦାନ ଦିଆଯିବ।

Comment