ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଓଡ଼ିଶା ରାଜନୀତିରେ ବିଜୟ ମହାପାତ୍ର ଜଣେ ଅପରାଜୟ ସୈନ୍ୟ ଯାହାଙ୍କୁ ଭାଗ୍ୟ କେବେ ସାଥି ହୋଇନି। ଗୋଟିଏ ସମୟରେ ବିଜୁ ପଟ୍ଟନାୟକଙ୍କ ପରେ ସେ ଥିଲେ ଓଡ଼ିଶାର ସବୁଠୁ କ୍ଷମତାଶାଳୀ ବ୍ୟକ୍ତି। ୧୯୯୦ ରୁ ୧୯୯୫ ମଧ୍ୟରେ ବିଜୁ ପଟ୍ଟନାୟକଙ୍କ ଦ୍ୱିତୀୟ ପାଳି ସରକାରରେ ସବୁ ବଡ଼ବଡ଼ ବିଭାଗ ତାଙ୍କ ହାତରେ ଥିଲା। ତେବେ ୨୦୦୦ ମସିହା ପରଠାରୁ ଯେଉଁଦିନ ନବୀନ ତାଙ୍କ ଟିକେଟ କାଟିଦେଲେ  ସେ ରାଜନୀତିର ଅନ୍ଧଗଳି ଭିତରେ ଫସି ରହିଛନ୍ତି।

ନିକଟରେ ବିଜେପିରୁ ଇସ୍ତଫା ଦେବା ପରେ ତାଙ୍କ ଘର ବାପସିକୁ ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଛି। ସତ କହିଲେ, ବିଜୟ ବର୍ତ୍ତମାନ ତାଙ୍କ ରାଜନୈତିକ ଜୀବନର ଏକ ବିରାଟ ଘଡ଼ିସନ୍ଧି ମୁହୂର୍ତ୍ତରେ ଠିଆ ହୋଇଛନ୍ତି। ଯେଉଁଭଳି ପରିସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଦଳର ସୁପ୍ରିମୋଙ୍କ ଦ୍ୱାରା ତାଙ୍କ ନାମକୁ  କାଟି ଦିଆଗଲା ସେହି ଅପମାନକୁ ଆତ୍ମସାତ କରି ପୁଣି ବିଜେଡିକୁ ଫେରିବା ଏକ କଷ୍ଟକର ନିଷ୍ପତ୍ତି ନିଶ୍ଚିତରେ।

ରାଜନୀତି ପର୍ଯ୍ୟବେକ୍ଷକମାନେ କିନ୍ତୁ ପ୍ରାୟ ଏକମତ ଯେ ବିଜୁ ଜନତା ଦଳକୁ ତାଙ୍କ ଫେରିବା ନିଶ୍ଚିତ ଯଦିଓ ବିଜୟ ନିଶ୍ଚିତ ନୁହନ୍ତି ଦଳକୁ ଫେରିଲେ ବି ତାଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା କଣ ହେବ।

“ବିଜେପିରୁ ଇସ୍ତଫା ଦେବା ପରେ ପରେ କଂଗ୍ରେସ ଓ ବିଜେଡିର ବହୁ ନେତା ମୋତେ ଭେଟିଛନ୍ତି। କିନ୍ତୁ ସେମାନେ ଦଳର ନିଷ୍ପତ୍ତିକର୍ତ୍ତା ନୁହଁନ୍ତି।” ବିଜୟ ଏକଥା ଗୋଟିଏ ଇଂରେଜୀ ଦୈନିକକୁ କହିଥିଲେ। ଏହା କହିବା ବେଳେ ସେ ସ୍ପଷ୍ଟ କରିଦେଇଥିଲେ ଯେ ସେ ଯାହା କରିବେ ଦିଲ୍ଲୀପ ରାୟଙ୍କ ସହ କଥାବାର୍ତ୍ତା କରି ହିଁ କରିବେ ଯାହାଙ୍କ ସହ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ବଡ଼ ପ୍ରଶ୍ନ ହେଉଛି ଯଦି ବି ସେ ବିଜେଡିରେ ମିଶନ୍ତି ତାଙ୍କ ନୂଆ ଭୂମିକା କଣ ହେବ।

ବିଗତ ୧୮ ବର୍ଷ ଧରି ସେ ନବୀନ ପଟ୍ଟନାୟକଙ୍କ ସରକାରର ଜଣେ କଟୁ ସମାଲୋଚକ ହୋଇ ଆସିଛନ୍ତି। ଅଧିକନ୍ତୁ, ତାଙ୍କ ଭଳି ଜଣେ ବରିଷ୍ଠ ଓ ଅଭିଜ୍ଞ ନେତା ଦଳକୁ ଫେରିଲେ ଦଳ ଭିତରେ କମ୍ପନ ସୃଷ୍ଟି ହେବା ନିଶ୍ଚିତ। ଯେଉଁମାନଙ୍କୁ ବିଜୟ ମହାପାତ୍ର ରାଜନୀତିକୁ ଆଣିଥିଲେ ସେମାନେ ଏହିକ୍ଷଣି ବିଜେଡିରେ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଅଛନ୍ତି। ଏଣୁ ଆଗାମୀ ନିର୍ବାଚନ ପୂର୍ବରୁ ସେ ଦଳକୁ ଫେରିବେ କି ପରେ ଆସିବେ ଏହା ଏକ ବଡ଼ ପ୍ରଶ୍ନବାଚୀ।

ବିଗତ ଅଠର ବର୍ଷ ଧରି ବିଜୟ ମହାପାତ୍ରଙ୍କ ସହ ବିଜେଡ଼ି ନେତାମାନଙ୍କ ରାଜନୈତିକ ଛାଡ଼ନ୍ତୁ ସାମାଜିକ ସମ୍ପର୍କ ବି ରହିପାରିନାହିଁ। କିନ୍ତୁ ଯାହା କୁହାଯାଏ ରାଜନୀତିରେ ସବୁକିଛି ସମ୍ଭବ।

ଉଲ୍ଲେଖଯୋଗ୍ୟ ଯେ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ୧୯୯୭ରେ ବିଜୁ ଜନତା ଦଳ ଗଠନ ପଛରେ ବିଜୟଙ୍କର ହିଁ ମୁଖ୍ୟ ଭୂମିକା ଥିଲା। ଯେଉଁ ରାଜନୈତିକ ବ୍ୟାପାର କମିଟିର ସେ ଅଧ୍ୟକ୍ଷ ଥିଲେ ତାହାକୁ ୨୦୦୦ ମସିହାରେ ନବୀନ ଭାଙ୍ଗିଦେଇଥିଲେ। ଏହାର କାରଣ ବିଜୟ ଏକ ବିକଳ୍ପ ରାଜନୈତିକ କ୍ଷମତା କେନ୍ଦ୍ର ହୋଇପଡ଼ିଥିଲେ ଓ ନବୀନଙ୍କ ଅନେକ ନିଷ୍ପତ୍ତିକୁ ବିରୋଧ କରିବା ଆରମ୍ଭ କରିଥିଲେ। ଏଥିପାଇଁ ବିଜୟଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।

୨୦୦୦ ମସିହାରେ ବିଜେଡିରୁ ବହିଷ୍କାର ହେବା ପରେ ବିଧାନସଭା ନିର୍ବାଚନ ଚାଲିଥିବାରୁ  ପାଟକୁରା ଆସନରେ ତୃଣମୂଳ କଂଗ୍ରେସର ତ୍ରିଲୋଚନ ବେହେରାଙ୍କୁ ସେ ସମର୍ଥନ ଜଣାଇଥିଲେ। ବୁଝାମଣା ହୋଇଥିଲା ଯେ ନିର୍ବାଚନ ଜିତିବା ପରେ ତ୍ରିଲୋଚନ ଇସ୍ତଫା ଦେବେ। କିନ୍ତୁ ସେ ତାହା କଲେ ନାହିଁ ଓ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଭାଙ୍ଗିଥିଲେ।

ଏଥିରେ ବିବ୍ରତ ନହୋଇ ବିଜୟ ୨୦୦୧ରେ ଗଠନ କଲେ ଓଡ଼ିଶା ଗଣ ପରିଷଦ ବା ଓଜିପି। ୨୦୦୪ ବିଧାନସଭା ନିର୍ବାଚନରେ ଓଜିପି ଦୁଇଟି ଆସନ ପାଇଲା ସତ ହେଲେ ନିଜେ ବିଜୟ ପାଟକୁରାରୁ ହାରି ଯାଇଥିଲେ। ପରେ ସେ ଓଜିପିକୁ ଶରଦ ପାୱାରଙ୍କ ଏନସିପି ସହିତ ମିଶେଇଲେ। କିନ୍ତୁ ୨୦୦୯ରେ ଏନସିପି ବିଜେଡି ସହିତ ନିର୍ବାଚନୀ ବୁଝାମଣା କରିବା ହେତୁ ବିଜୟ ଏନସିପି ଛାଡ଼ିଦେଇଥିଲେ।

ଏନସିପି ପରିତ୍ୟାଗ କରି ବିଜୟ ଆସିଲେ ବିଜେପିକୁ। ହନୁ ମଲା ବେଳେ ସତ କହିବା ଭଳି  ବିଜୟ ଏବେ  କହୁଛନ୍ତି ଯେ ବିଜେପିରେ ଯୋଗ ଦେବା ତାଙ୍କର ‘ମସ୍ତବଡ଼ ଭୁଲ’ ଥିଲା। ବିଜୟଙ୍କ ଅଦର୍ଶଗତ ଭିନ୍ନତା ଓ ବିଜେପିର ରାଜ୍ୟ ନେତୃତ୍ୱ ତାଙ୍କୁ ଗ୍ରହଣ ନକରିବା ଫଳରେ ସେ ବିଜେପିରେ ଏକଘରକିଆ ହୋଇପଡିଥିଲେ। ଏହାର ପରିମାଣ ସ୍ୱରୂପ ସେ କିଛି ଦିନ ଧରି ବିଜେପିର କାର୍ଯ୍ୟକ୍ରମଗୁଡ଼ିକୁ ଘୋର  ସମାଲୋଚନା କରୁଥିଲେ।

ବର୍ତ୍ତମାନ ଯଦି ପ୍ରକୃତରେ ବିଜେଡିକୁ ସେ ଫେରନ୍ତି, ବିଜେପିରେ ଥିଲା ବେଳର ଅବସ୍ଥା ଯେ ଏଠି ବିଜେଡିରେ ବି ନହେବ ସେ କଥା କିଏ କହିବ? ବିଜେଡିକୁ ଫେରି ଆସିବା ବିଜୟଙ୍କ ଆଉ ଗୋଟିଏ ‘ମସ୍ତବଡ଼ ଭୁଲ’ ହେବନାହିଁ ତ??

Comment