ଓଡ଼ିଶାଲାଇଭ୍ ବ୍ୟୁରୋ

ବିନା ଅନୁମତିରେ ଡ୍ରୋନ ଉଡ଼ାଇବା ଉପରେ ସରକାରଙ୍କ କଟକଣା

ଆକାଶରେ ଡ୍ରୋନ ଉଡ଼ାଣକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ନୂଆ ନିୟମ ଲାଗୁ ହୋଇଛି। ଏଥର ଡ୍ରୋନ ଉଡ଼ାଣ ପାଇଁ ଅନୁମତି ଆବଶ୍ୟକ। ବିନା ଅନୁମତିରେ ଡ୍ରୋନ ଉଡ଼ାଇଲେ ଡ୍ରୋନ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡିସେମ୍ବର ୧ରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟମ ଲାଗୁ ହେବା ପରେ ଓଡ଼ିଶା ପୋଲିସ ଏହି ଦିଗରେ ବିଶେଷ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି।

୨୫୦ ଗ୍ରାମ୍‌ରୁ କମ୍ ଓଜନବିଶିଷ୍ଟ ଡ୍ରୋନ ଉଡ଼ାଣ ପାଇଁ ପୋଲିସ ପାଖରୁ ଅନୁମତି ଆଣିବାକୁ ପଡ଼ିବ। ୨୫୦ ଗ୍ରାମ୍‌ରୁ ଅଧିକ ଓଜନର ଡ୍ରୋନ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଠାରୁ ଅନୁମତି ଦରକାର।

ଓଡ଼ିଶାରେ ଝାରସଗୁଡ଼ା, ରାଉରକେଲା, ପୁରୀ, ବ୍ରହ୍ମପୁର, ଭୁବନେଶ୍ଵର ଓ କଟକ ଜିଲ୍ଲାରେ ପ୍ରାୟ ୫୦୦ଟି ଘରୋଇ ଡ୍ରୋନ ଉଡ଼ାଣ ହେଉଛି ବୋଲି ପୋଲିସ ସୂଚନା ଦେଇଛି। ଏହାକୁ ବାଦ୍ ଦେଇ ପୋଲିସ୍ ବିଭାଗ ପାଖରେ ୨ଟି ସରକାରୀ ଡ୍ରୋନ ରହିଛି। ଏହାକୁ ମାଓ ବିଛିନ୍ନାଞ୍ଚଳରେ ମାଓସନ୍ଧାନ ପାଇଁ ବ୍ୟବହାର କରାଯାଏ। ସେହିପରି ଘରୋଇ ଡ୍ରୋନ ବିବାହ କାର୍ଯ୍ୟକ୍ରମ, ରିଆଲିଟି ଶୋ, ସିରିଏଲ ଓ ସିନେମା ସୁଟିଙ୍ଗରେ ବ୍ୟବହାର କରାଯାଏ।

ଆକାଶରେ ଡ୍ରୋନ ଉଡ଼ିବା ସହ ଚିତ୍ର ଉତ୍ତୋଳନ ଦ୍ୱାରା ବ୍ୟକ୍ତିର ଗୋପନୀୟତା କ୍ଷୁର୍ଣ୍ଣ ହେବାର ଅଭିଯୋଗ ଆସିବା ପରେ ସରକାର ଏହି ନିୟମ ଲାଗୁ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଡ୍ରୋନ ପଞ୍ଜିକରଣ ପାଇଁ https://digitalsky.dgca.gov.in/register ୱେବସାଇଟ ଭାରତରେ ପ୍ରଥମ ଥର ପାଇଁ ଖୋଲାଯାଇଛି।

  • ନାନୋ ଡ୍ରୋନ(୨୫୦ ଗ୍ରାମ୍‌ରୁ କମ୍)
  • ମାଇକ୍ରୋ ଡ୍ରୋନ(୨୫୦ ଗ୍ରାମ୍‌ରୁ ଅଧିକ ଓ ୨କିଲୋଗ୍ରାମରୁ କମ୍)
  • ସ୍ମଲ ଡ୍ରୋନ(୨ କିଲୋଗ୍ରାମ୍‌ରୁ ଅଧିକ ଓ ୨୫ କିଲୋଗ୍ରାମ୍‌ରୁ କମ୍ )
  • ମିଡିୟମ ଡ୍ରୋନ (୨୫୦ କିଲୋଗ୍ରାମ୍‌ରୁ ଅଧିକ ଓ ୧୫୦ କିଲୋଗ୍ରାମ୍‌ରୁ କମ୍)
  • ଲାର୍ଜ ଡ୍ରୋନ (୧୫୦ କିଲୋଗ୍ରାମରୁ ଅଧିକ)

ଓଜନ ଅନୁସାରେ ଘରୋଇ ଡ୍ରୋନମାଲିକ ନିଜର ଆବଶ୍ୟକୀୟ ପରିଚୟ ପତ୍ର ଦାଖଲ କରି ଡ୍ରୋନର ପଞ୍ଜିକରଣ କରିବାକୁ ପଡ଼ିବ। ପଞ୍ଜିକରଣ ସମୟରେ ଡ୍ରୋନମାଲିକ, ପାଇଲଟ ତଥା ଡ୍ରୋନ ଉଡ଼ାଉଥିବା ଅଞ୍ଚଳର ନାମ ବିସ୍ତୃତ ଭାବେ ଦର୍ଶାଇବାକୁ ପଡ଼ିବ। ଅନ୍ୟପଟେ ସରକାରୀ ଡ୍ରୋନ ପାଇଁ କୌଣସି ପଞ୍ଜିକରଣ କରିବାକୁ ପଡ଼ିବ ନାହିଁ।

ବିନା ଅନୁମତିରେ ଡ୍ରୋନ ଉଡ଼ାଣ କଲେ ଡ୍ରୋନକୁ ବେଆଇନ୍ ଘୋଷଣା କରାଯିବ ଏବଂ ପୋଲିସ ଦ୍ୱାରା ସଂପୃକ୍ତ ଡ୍ରୋନମାଲିକଙ୍କ ନାମରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

Comment