ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଯଲିଉଡର କେତେ ଜଣ ଏମିତି ଚର୍ଚ୍ଚିତ ନାଟ୍ୟକାର, ନିର୍ଦ୍ଦେଶକ ଓ ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି, ଯେଉଁମାନେ ଚଳଚ୍ଚିତ୍ରରେ ବି କାମ କରିଛନ୍ତି। ଆସନ୍ତୁ ଜାଣିବା ସେହି ଯଲିଉଡର ଚର୍ଚ୍ଚିତ ବ୍ୟକ୍ତିମାନଙ୍କ ସମ୍ପର୍କରେ…

ଯାତ୍ରାଜଗତର ଚଳଚ୍ଚିତ୍ର ଓ ଚଳଚ୍ଚିତ୍ରରୁ ଯାତ୍ରା ଜଗତ ଭିତରେ କିଛି ସଂଯୋଗ ରହିଛି। ସିନେ ଅଭିନେତା, ଅଭିନେତ୍ରୀମାନେ କେତେକ ସମୟରେ ଯାତ୍ରାରେ ଅଭିନୟ କରି ଚର୍ଚ୍ଚିତ ହୋଇଛନ୍ତି। ହେଲେ ଏମିତି ବି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ଯଲିଉଡରେ ସଫଳ ହେବା ପରେ ଓଲିଉଡରେ ଏଣ୍ଟ୍ରି ନେଇଛନ୍ତି।

ଯଲିଉଡରେ ଜଣେ ବରିଷ୍ଠ ନିର୍ଦ୍ଦେଶକ ହେଲେ ସଚ୍ଚି ଦାସ, ଯିଏ କି ‘ଶାଗୁଣା ବସିଛି ଡେଣା ମେଲାଇ’ ଭଳି ଯୁଗାନ୍ତକାରୀ ନାଟକର ନିର୍ଦ୍ଦେଶନା ଦେଇଥିଲେ। ଏହା ଛଡ଼ା ସେ ବହୁ ଯାତ୍ରାନାଟକର ନିର୍ଦ୍ଦେଶନା ଦେଇଛନ୍ତି। ସଚ୍ଚି ଦାସ ଯାତ୍ରା ଜଗତର ଜଣେ ସଫଳତମ ନିର୍ଦ୍ଦେଶକ, ମାତ୍ର ଓଲିଉଡରେ ତାଙ୍କୁ ବେଳେ ବେଳେ ଅଭିନେତା ଭାବେ ଦେଖିବାକୁ ମିଳିଛି।

ଅନନ୍ତ ଓଝା

ଯଲିଉଡରେ ଲୋକପ୍ରିୟତାରେ ଶୀର୍ଷରେ ପହଞ୍ଚିଥିଲେ ନାଟ୍ୟକାର ସ୍ୱର୍ଗତ ଅନନ୍ତ ଓଝା। ସେ ବହୁ ଚର୍ଚ୍ଚିତ ନାଟକର ରଚୟିତା ଯାହା କାହାରିକୁ ଅଛପା ନାହିଁ। ହେଲେ ଆପଣ କ’ଣ ଜାଣନ୍ତି କି ଅନନ୍ତ ଓଝା ବି ଓଡ଼ିଆ ସିନେମା ଜଗତରେ ପାଦ ଥାପିଥିଲେ। ସେ ଅର୍ଚ୍ଚିତାଙ୍କ ଅଭିନୀତ ହିଟ୍ ସିନେମା ‘ଏସିପି ସାଗରିକା’ର କାହାଣୀ ରଚନା କରିଥିଲେ। ଏହି ଫିଲ୍ମ ପରେ ଅବଶ୍ୟ ତାଙ୍କର ଅନ୍ୟ କୌଣସି ଓଡ଼ିଆ ସିନେମା ପରଦାକୁ ଆସିନାହିଁ।

ଆଶୁତୋଷ ମହାପାତ୍ର

ଯଲିଉଡର ଅନ୍ୟତମ ଚର୍ଚ୍ଚିତ ନାଟ୍ୟକାର ତଥା ନିର୍ଦ୍ଦେଶକ ଆଶୁତୋଷ ମହାପାତ୍ର ଟେଲିଜଗତରେ ଅଭିନେତା ଭାବେ ସକ୍ରିୟ। ଯଲିଉଡର ଅନ୍ୟତମ ଲୋକପ୍ରିୟ ନାଟ୍ୟକାର ନିର୍ଦ୍ଦେଶକ ହେଲେ ସନ୍ତୋଷ ନାରାୟଣ ଦାଶ। ସେ ଏବେ ଓଲିଉଡରେ ସଂଳାପ ଲେଖକ ଭାବେ ବେଶ୍ ସକ୍ରିୟ ଅଛନ୍ତି। ସେ ପ୍ରେମକୁମାର, ଇଶ୍କ ପୁଣି ଥରେ ଭଳି ସିନେମା ସମେତ କେତେକ ସିନେମାର ସଂଳାପ ଲେଖିଛନ୍ତି।

ଯାତ୍ରାଜଗତର ଚର୍ଚ୍ଚିତ ନାଟ୍ୟକାର ନିର୍ଦ୍ଦେଶକ ହର ବାରିକ ଯଲିଉଡରେ ବେଶ୍ ସଫଳ ହେବା ପରେ ଓଲିଉଡରେ ସଂଳାପ ଲେଖକ ଭାବେ ଏଣ୍ଟ୍ରି ଦେଇଥିଲେ। ସେ ‘ବନ୍ଦେ ଉତ୍କଳ ଜନନୀ’ ଓ ‘ଅଭିମନ୍ୟୁ’ ଭଳି ଓଡ଼ିଆ ସିନେମାର ସଂଳାପ ଲେଖିଛନ୍ତି। ଯଲିଉଡର ଜଣାଶୁଣା ନାଟ୍ୟକାର ଦୀପକ ଜେନା ବି ‘ବାଳୁଙ୍ଗା ଟୋକା’ ଭଳି କେତୋଟି ଫିଲ୍ମର ସଂଳାପ ଲେଖିଛନ୍ତି।

ବିକାଶ ଶୁକ୍ଳା

ଠିକ୍ ସେହିପରି ଯାତ୍ରା ଜଗତର ଶୀର୍ଷ ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା ବି ଓଲିଉଡରେ ଏଣ୍ଟ୍ରି ନେଇଛନ୍ତି। ସେ ‘ମତେ ବୋହୂ କରି ନେଇଯା’ ଭଳି ଓଡ଼ିଆ ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

Comment