ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ବୈଶିଙ୍ଗା ଥାନା ଅଧିନସ୍ତ ପଞ୍ଚୁପାଲି ହାଇସ୍କୁଲ ହଷ୍ଟେଲରେ ଏକ ଅଭାବନୀୟ ଘଟଣା ପାଇଁ ବିଦ୍ୟାଳୟ ପରିସରରେ ଉତ୍ତେଜନା। ବିଦ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସମେତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଉପରେ ମାଡ଼। ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣାଧିନ ହୋଇପଡ଼ିଛି।

ଏହି ହାଇସ୍କୁଲ ପରିସରରେ ଥିବା ଛାତ୍ରୀନିବାସର ଜନୈକା ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କ ପ୍ରତି ସେହି ବିଦ୍ୟାଳୟର ରବିନ୍ଦ୍ର ସାହୁ ନାମକ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଗତ ଶୁକ୍ରବାର ଦିନ ଅସଦାଚରଣ କରିଥିଲେ।

ଏହି ଘଟଣାକୁ ନେଇ ସୋମବାର ବିଦ୍ୟାଳୟ ପରିସରରେ ଅଭିଭାବକମାନଙ୍କ ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜିତ ଗ୍ରାମବାସୀମାନେ ବିଦ୍ୟାଳୟର ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଉପରେ ମାଡ଼ମାରିବା ସହିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଉପରେ ବି ଅ।କ୍ରମଣ କରିଥିଲେ। କିଛି ସମୟ ପାଇଁ ବୈଶିଙ୍ଗା ବଡ଼ସାହି ରାସ୍ତା ମଧ୍ୟ ଅବରୋଧ କରିଥିଲେ ଉତ୍ତେଜିତ ଲୋକେ।

ଖବର ପାଇ ବୈଶିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଅଭିଯୁକ୍ତ ୪ର୍ଥ ଶ୍ରେଣୀ କର୍ମଚାରୀ ରବିନ୍ଦ୍ର ସାହୁଙ୍କୁ ଉଦ୍ଧାର କରିବା ସହିତ ପୀଡ଼ିତା ଛାତ୍ରୀଙ୍କ ଅଭିଭାବକଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତ ପିଅନ ରବିନ୍ଦ୍ରକୁ ଗିରଫ କରିଥିଲା। ପରେ ପରିସ୍ଥିତି ଶାନ୍ତି ପଡିଥିଲା।

Comment