ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବୀର ଦାସଙ୍କ ମୋବାଇଲ ଫୋନରୁ ନେଟୱର୍କ ଗାଏବ ହୋଇଯିବାରୁ ବିଏସଏନଏଲର ଦୁଇ ଅଧିକାରୀଙ୍କୁ ଜେଲରେ ରାତି କାଟିବାକୁ ପଡ଼ିଛି।

ଘଟଣାଟି ସୋମବାର ରାତିରେ ଘଟିଛି। ମୁଖ୍ୟମନ୍ତ୍ରୀ ରଘୁବୀର ଦାସ ରାତିରେ ସନ୍ତାଲ ଗସ୍ତରେ ବାହାରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଫୋନରୁ ନେଟୱର୍କ ଗାଏବ ହୋଇଯାଇଥିଲା। ଏଥିରେ ରାଗିଯାଇ ବିଏସଏନଏଲର ଟିଡିଏମ୍ ପିକେ ସିଂହ ଏବଂ ଜେଟିଓ ରାଜୀବ କୁମାରଙ୍କୁ ଘରକୁ ଡାକିବା ସହ ପୋଲିସ ଜିମା ଦେଇଥିଲେ।

ରାତି ୧୨ଟାରୁ ୩ଟା ପର୍ଯ୍ୟନ୍ତ ଦୁଇ ବିଏସଏନଏଲ ଅଧିକାରୀ ଥାନାରେ ସମୟ କାଟିଥିଲେ। ପରେ ପୋଲିସ ଦୁଇ ଅଧିକାରୀଙ୍କୁ ଛାଡ଼ି ଦେଇଥିଲା।

ମୁଖ୍ୟମନ୍ତ୍ରୀ ରାତ୍ରି ବିଶ୍ରାମ ପାଇଁ ଦୁମକା ରାଜଭବନରେ ରହିଥିଲେ। ସେଠାରେ ବିଏସଏନଏଲ ନେଟୱର୍କ କାମ ନକରିବାରୁ ମୁଖ୍ୟମନ୍ତ୍ରୀଙ୍କ ମୋବାଇଲ କାମ କରିନଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ବିରକ୍ତି ପ୍ରକାଶ କରି ଅଧିକାରୀଙ୍କୁ ରିପୋର୍ଟ ମାଗିଥିଲେ। ଦୁଇ ଅଧିକାରୀ ସଫେଇ ଦେଇଥିଲେ ମଧ୍ୟ ଅସନ୍ତୁଷ୍ଟ ମୁଖ୍ୟମନ୍ତ୍ରୀ ଭର୍ତ୍ସନା କରିବା ସହ ଜେଲ ପଠାଇ ଦେଇଥିଲେ।

ଦୁଇ ଅଧିକାରୀଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇନାହିଁ। ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

Comment