ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶୀ ଓ ସତ୍ରିୟା ନୃତ୍ୟରେ ଝୁମିଲେ ଦର୍ଶକ।

କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ମତୁଆଲା ହୋଇଛନ୍ତି ଦର୍ଶକ। ଓଡ଼ିଶୀ ଏବଂ ସତ୍ରିୟା ନୃତ୍ୟ ଦର୍ଶକଙ୍କ ମନମୋହିଛି।

ଚତୁର୍ଥ ସନ୍ଧ୍ୟାରେ ପ୍ରଥମ ଚରଣରେ ଉପସ୍ଥାପିତ ହୋଇଥିଲା ଶାସ୍ତ୍ରୀୟ ସତ୍ରିୟା। ବୈଷ୍ଣବ ଚେତନାର ପୃଷ୍ଠଭୂମିରେ ଡକ୍ଟର ଅନ୍ୱେଷା ମହନ୍ତ ଏବଂ ସାଥୀ ଶିଳ୍ପୀଙ୍କ ପ୍ରଥମ ପ୍ରସ୍ତୁତି ଥିଲା ଗାୟନ ବାୟନ। ଏହା ଏକ ଆଧ୍ୟାତ୍ମିକ ଭାବ ସଞ୍ଚାର ପାଇଁ ଅନୁକୂଳ ପରିବେଶ ନେଇ ଆସିଥିଲା।

ଏହାପରେ ଆବାହନୀ ନୃତ୍ୟ ବନ୍ଦନାରେ ଶ୍ରୀ ଜଗନ୍ନାଥ ସ୍ତୁତି ଓ ଶୁଦ୍ଧ ନୃତ୍ୟ ରାମଦାନୀରେ ଲାସ୍ୟ ବିମୋହନର ସମନ୍ୱୟକୁ ପରଶି ଦେଇଥିଲେ ନୃତ୍ୟଶିଳ୍ପୀ।

ସତ୍ରିୟାର ଶେଷ ପରିବେଷଣ ରହିଥିଲା ଶ୍ରୀମଦ ଭାଗବତ ଗୀତା ଆଧାରିତ ଭକ୍ତି ତତ୍ତ୍ୱ ଅନ୍ତର୍ଗତ ଭାଗବତ ଦଶ ଲକ୍ଷଣ। ଗୋଲକାଧିପତି ବିଷ୍ଣୁଙ୍କ ଦ୍ୱାରପାଳ ଜୟ-ବିଜୟଙ୍କୁ ଅଭିଶାପ ଓ ସତ୍ୟ ଯୁଗରେ ହିରଣ୍ୟକଶିପୁ ଓ ହରିଣାକ୍ଷ ଭାବେ ଜନ୍ମ ଦେବାର ବୃତାନ୍ତକୁ ଉପସ୍ଥାପନ କରିଥିଲେ  ଶିଳ୍ପୀମାନେ।

ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଆର୍ଟ ଭିଜନର ଶିଳ୍ପୀମାନେ ପରିବେଷଣ କରିଥିଲେ ସଚେତନତାଧର୍ମୀ ନୃତ୍ୟ ସଂରଚନା ରିଫ୍ୟୁଜି। ବଦଳି ଯାଇଥିବା ପୃଥିବୀରେ ହିଂସା ଘୃଣା ବିଦ୍ୱେଷ ଓ ଧର୍ମାନ୍ଧତାର ଶିକାର ହୋଇଥିବା ଅସହାୟ ଓ ନିରୀହ ମଣିଷମାନଙ୍କ ନିଜ ଠିକଣା ଓ ଆଶ୍ରୟ ଖୋଜୁଥିବାର କରୁଣ ଚିତ୍ରକୁ ବାଖ୍ୟା କରିଥିଲା ନୃତ୍ୟ ରଚନା।

ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଡକ୍ଟର ଇଲିଆନା ଚିତାରିସ୍ତିଙ୍କ ନୃତ୍ୟ ସଂଯୋଜନା, ଗୁରୁ ଲକ୍ଷ୍ମୀକାନ୍ତ ପାଲିତଙ୍କ ସଂଗୀତ ସଂଯୋଜନା, ଗୁରୁ ସଚ୍ଚିଦାନନ୍ଦ ଦାସଙ୍କ ବାଦ୍ୟ ରଚନା ଓ କବି ଦେବଦାସ ଛୋଟରାୟଙ୍କ ଆଲେଖ୍ୟକୁ ନେଇ ଆର୍ଟ ଭିଜନ ଶିଳ୍ପୀଙ୍କ ନୃତ୍ୟାଭିନୟ ଖୁବ୍ ମନଛୁଆଁ ଥିଲା।

ଡକ୍ଟର ଚିତାରିସ୍ତିଙ୍କ ଅନ୍ତିମ ପରିବେଷଣ ଥିଲା ଗଙ୍ଗା ଯମୁନା। ମହାକବି କାଳିଦାସଙ୍କ ରଘୁବଂଶ କାବ୍ୟ ଆଧାରରେ ଗଙ୍ଗା ଯମୁନା ନଦୀର କଳ୍ପିତ ରୂପକୁ ଉପସ୍ଥାପିତ କରିଥିଲେ ଶିଳ୍ପୀମାନେ।

କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାକୁ ଉଦଘାଟନ କରିଥିଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ, ରାଜ୍ୟ ଅର୍ଥ କମିଶନର ଅଧକ୍ଷ ରବି ନାରାୟଣ ସେନାପତି ଏବଂ ରାଜ୍ୟ ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦିପ୍ତ କୁମାର ମହାପାତ୍ର।

ଅଧ୍ୟାପକ ଡକ୍ଟର ମୃତ୍ୟୁଞ୍ଜୟ ରଥ ଓ ଡକ୍ଟର ସାଧନା ଶ୍ରୀବାସ୍ତବ ମଞ୍ଚ ପରିଚାଳନା କରିଥିଲେ। ପର୍ଯ୍ୟଟନ ବିଭାଗର ଯୁଗ୍ମ ଶାସନ ସଚିବ ଉତ୍ପଳ କୁମାର ପତି, ସଂଗୀତ ନାଟକ ଏକାଡେମୀ ସଚିବ ଡକ୍ଟର ବିଜୟ କୁମାର ଜେନା, ପର୍ଯ୍ୟଟନ ବିଭାଗ ଅଧିକାରୀ ଡକ୍ଟର ରତିକାନ୍ତ ପଟ୍ଟନାୟକ, ସହ ନିର୍ଦ୍ଦେଶକ ବିଜୟ କୁମାର ଜେନା, ସୁଶାନ୍ତ ପାଣିଗ୍ରାହୀ, ବିଷ୍ଣୁ ପ୍ରସାଦ ସିଂହ ଉପସ୍ଥିତ ଥିଲେ।

Comment