ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳା ବିଲ୍ ପାସ୍ କରିବା ପାଇଁ ୨୨ଟି ରାଜନୀତିକ ଦଳର ନେତୃବୃନ୍ଦଙ୍କୁ ଭେଟିବେ ବିଜେଡି ପ୍ରତିନିଧି।

୨୦୧୯ ନିର୍ବାଚନ ପୂର୍ବରୁ ଭୋଟ ବ୍ୟାଙ୍କ ସୁଦୃଢ଼ କରିବା ପାଇଁ ବିଜେଡି କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନି। ସ୍ମାର୍ଟ ଫୋନ ଥୋପ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ୭ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଘୋଷଣା କରିଥିବା ବିଜେଡି ଏବେ ମହିଳା ସଂରକ୍ଷଣ ବିଲ୍ ପାସ୍ ପାଇଁ ଅଣ୍ଟା ଭିଡ଼ିଛି।

ସଂସଦ ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ କରିବାକୁ ବିଜେଡି ଆଗକୁ ବାହାରିଛି। ସଂରକ୍ଷଣ ବିଲ୍ ପାସ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ। ଏହାର ୨୪ ଘଣ୍ଟା ନପୂରୁଣୁ ନବୀନ ନିବାସରେ ବିଜେଡି ନେତାମାନେ ଏହି ପ୍ରସଙ୍ଗରେ ମନ୍ଥନ କରିଛନ୍ତି।

୨୦୧୯ ନିର୍ବାଚନ ପୂର୍ବରୁ ମହିଳା ସଂରକ୍ଷଣ ବିଲ୍ ବିଲ୍ କିପରି ପାସ୍ ହେବ ସେଥିପାଇଁ ବିଜେଡି ଗୁରୁତ୍ୱ ଦେଉଛି। ଏଥିପାଇଁ ବିଭିନ୍ନ ଜାତୀୟ ଏବଂ ଆଞ୍ଚଳିକ ଦଳ ସହ ଆଲୋଚନା କରିବା ପାଇଁ ବିଜେଡି କମିଟି ଗଠନ କରିଛି। ଏହି କମିଟିରେ ବିଧାୟକ, ସାଂସଦ ଏବଂ ମନ୍ତ୍ରୀ ରହିଛନ୍ତି।

କମିଟିର ସଦସ୍ୟମାନେ ୨୨ଟି ରାଜନୈତିକ ଦଳକୁ ଭେଟି ମହିଳା ବିଲ୍ ପାସ୍ ପାଇଁ ସମର୍ଥନ ଲୋଡ଼ିବେ। ୧୫ଟି ଆଞ୍ଚଳିକ ଦଳ ଏବଂ ୭ଟି ଜାତୀୟ ଦଳର ସମର୍ଥନ ପାଇଁ ବିଜେଡି ଏଭଳି ଉଦ୍ୟମ କରିଛି।

କିଏ ଭେଟିବେ କାହାକୁ?

ବିଜେପିର ସମର୍ଥନ ପାଇଁ ଚାରି ଜଣିଆ ପ୍ରତିନିଧି ମଣ୍ଡଳୀ ଗଠନ କରାଯାଇଛି। ଏଥିରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଭର୍ତ୍ତୃହରି ମହତାବ, ସରୋଜିନୀ ହେମ୍ବ୍ରମ, ବିଧାୟକ ବେଦପ୍ରକାଶ ଅଗ୍ରୱାଲ ରହିଛନ୍ତି।

କଂଗ୍ରେସ ନେତୃବୃନ୍ଦଙ୍କୁ ଭେଟିବା ପାଇଁ ସାଂସଦ ତଥାଗତ ସତପଥୀ, ପିନାକୀ ମିଶ୍ର, ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବେଦପ୍ରକାଶ ଅଗ୍ରୱାଲ ରହିଛନ୍ତି।

ତୃଣମୂଳ କଂଗ୍ରେସକୁ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ମନ୍ତ୍ରୀ ଅନନ୍ତ ଦାସ, ଅରବିନ୍ଦ ଢାଲି ଭେଟିବେ। ସେହିପରି ତେଲୁଗୁଦେଶମ ପାର୍ଟିର ନେତୃବୃନ୍ଦଙ୍କୁ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଏନ୍ ଭାସ୍କର ରାଓ ଭେଟିବେ।

ଶିବସେନା ନେତୃବୃନ୍ଦଙ୍କୁ ଅରୂପ ପଟ୍ଟନାୟକ, ବଳଭଦ୍ର ମାଝି ଭେଟିବେ।

ମଙ୍ଗଳବାର ଦିନ ନବୀନ ମୋଦିଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଥିଲେ ଯେ ମହିଳା ବିଲ୍ ପାସ୍ କରିବା ପାଇଁ ଓଡ଼ିଶା ବିଧାନସଭାରେ ଏନେଇ ସର୍ବସମ୍ମତିକ୍ରମେ ସଙ୍କଳ୍ପ ପାରିତ ହୋଇଛି। ଏଣୁ ଏହାକୁ ପାରିତ କରାଯାଉ।

୧୯୯୦ରେ ପଞ୍ଚାୟତ ଓ ପୌରପାଳିକାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ବିଜୁ ପଟ୍ଟନାୟକ। ୨୦୧୧ରେ ଓଡ଼ିଶା ସରକାର ଏହାକୁ ବୃଦ୍ଧି କରି ୫୦ ପ୍ରତିଶତ କରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ।

Comment