ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଓଡ଼ିଶା ସମନ୍ୱିତ ପରିମଳ ଉନ୍ନତିକରଣ ପ୍ରକଳ୍ପ ଯୋଜନାରେ ପଦକ୍ଷେପ
  • ପ୍ରତିଦିନ ୩ କୋଟି ୬୦ ଲକ୍ଷ ଲିଟର ବିଶୋଧନ କରିବାର କ୍ଷମତା
  • ୨୦୪୫ ସୁଦ୍ଧା ୧୧ ଲକ୍ଷ ବାସିନ୍ଦାଙ୍କୁ ମିଳିବ ସୁଫଳ
  • ୧୧୦ କୋଟି ଟଙ୍କାରେ ନିର୍ମିତ ହୋଇଛି ପ୍ଲାଣ୍ଟ
  • ସୁଧୁରିବ କଟକ ସହର ପରିମଳ ଚିତ୍ର

କଟକ ସିଡିଏସ୍ଥିତ ଅତ୍ୟାଧୁନିକ ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ଲାଣ୍ଟ ୧୧୦ କୋଟି ଟଙ୍କା ବ୍ୟୟର ନିର୍ମିତ ହୋଇଛି। ପ୍ରତିଦିନ ୩ କୋଟି ୬୦ ଲିଟର ବିଶୋଧନ କରିବାର କ୍ଷମତା ରହିଛି ଏହି ପ୍ଲାଣ୍ଟରେ।

ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ର ସାମିଲ ହୋଇଥିଲେ ଏବଂ ଏହି ପ୍ଲାଣ୍ଟକୁ ବୁଲି ଦେଖିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, “ଏହି ବିଶୋଧନାଗାର ଏବଂ ଭୂତଳ ସ୍ୱେରେଜ୍‌ ଲାଇନ୍‌ ଦ୍ୱାରା କଟକର ୬୦ ପ୍ରତିଶତ ଲୋକ ଉପକୃତ ହୋଇପାରିବେ। ଏହି ପ୍ରକଳ୍ପ କଟକ ସହରରେ ଡ୍ରେନେଜ୍‌ ବ୍ୟବସ୍ଥାର ସୁଧାର ଆଣିବା ସହ ଆସନ୍ତା ୩୦ ବର୍ଷ ପର୍ଯ୍ୟନ୍ତ ଏଗାର ଲକ୍ଷ କଟକବାସୀଙ୍କର କଷ୍ଟ ଦୂର କରିବ।”

କଟକ ସହରର ପରିମଳ ଚିତ୍ର ବଦଳାଇବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା। ଏଥିସହ କଟକ ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ୨୭୫ କିଲୋମିଟରରୁ ଅଧିକ ଦୈର୍ଘ୍ୟର ସ୍ୱିରେଜ ପାଇପ୍‌ଲାଇନ୍ ନିର୍ମାଣ ହୋଇଛି।

ସେହିପରି ପୋଲିସ କଲୋନିରେ ଘଣ୍ଟା ପ୍ରତି ୭୨ ଲକ୍ଷ ଲିଟର ନିଷ୍କାସନ କ୍ଷମତା ବିଶିଷ୍ଟ ଡ୍ରେନେଜ୍ ପମ୍ପିଙ୍ଗ୍ ଷ୍ଟେସନର ନିର୍ମାଣ କରାଯାଇଛି। ପ୍ରାୟ ତିନି ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମାଣ କରାଯାଇଛି।

ଜାପାନ ଇଣ୍ଟରନ୍ୟାସନାଲ କୋ-ଅପରେସନ ଏଜେନ୍ସି (ଜାଇକା)ର  ସହାୟତାରେ ଏହି ପ୍ଲାଣ୍ଟ ନିର୍ମାଣ କରାଯାଇଛି। ଏହାସହ କଟକର ମତ୍ତଗଜପୁର ଏବଂ ଭୁବନେଶ୍ୱରର କିଛି ଅଞ୍ଚଳକୁ ନେଇ ଆଉ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯାଉଛି। ଏହା ଆଉ କିଛି ଦିନ ପରେ ଲୋକାର୍ପିତ ହେବ।

୨୦୪୫ ମସିହା ସୁଦ୍ଧା କଟକ ସହରର ୧୧ ଲକ୍ଷରୁ ଅଧିକ ବାସିନ୍ଦାଙ୍କୁ ସୁଫଳ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଯୋଜନାରେ କଟକ ସହରର ନାଳ ନର୍ଦ୍ଦମାର ଉନ୍ନତି ତଥା ବର୍ଷା ଜଳ ନିଷ୍କାସନ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ମୁଖ୍ୟ ଏବଂ ଶାଖା ଡ୍ରେନ ଉନ୍ନତିକରଣ କରିବା ସହ ଡ୍ରେନରେ କଠିନ ବର୍ଜ୍ୟବସ୍ତୁ ନପକାଇବା ପାଇଁ ତାର ଜାଲି ବ୍ୟବସ୍ଥା କରିବା, ସମାଜ ଅଫିସଠାରୁ ମାତୃଭବନ ପର୍ଯ୍ୟନ୍ତ ଖୋଲା ଡ୍ରେନ ବନ୍ଦ କରିବା, ଡ୍ରେନ୍ ତିଆରି ତଥା ତା’ଉପରେ ଯିବା ଆସିବା କରିବା ପାଇଁ ରାସ୍ତା ନିର୍ମାଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ବର୍ଷା ଜଳ ନିଷ୍କାସନ ପାଇଁ ୭ଟି ସ୍ୱୟଂଚାଳିତ ସ୍ଲୁଇସ ଗେଟ୍ ଓ ୫ଟି ବୃହତ ପମ୍ପିଙ୍ଗ୍ ଷ୍ଟେସନ୍ ନିର୍ମାଣ କରାଯାଉଛି।

ବୁଧବାଠାରୁ ସିଡିଏ ପ୍ଲାଣ୍ଟରେ ଉତ୍ତରରେ ମହାନଦୀ ରିଂ-ବନ୍ଧଠାରୁ ଦକ୍ଷିଣରେ କାଠଯୋଡ଼ି ରିଂ-ବନ୍ଧ ଅଞ୍ଚଳ ଏବଂ ବିଡ଼ାନାସି, ସିଡିଏ ସମେତ ମଙ୍ଗଳାବାଗ, ଫ୍ରେଣ୍ଡସକଲୋନି, ଝୋଲାସାହି, ବଙ୍ଗାଳୀ ସାହି, ପୁରୀଘାଟ ଆଦି ଅଞ୍ଚଳର ଲୋକ ଏହି ପ୍ରକଳ୍ପର ସେବା ନେଇ ପାରିବେ।

ଏହି ଉଦ୍‌ଘାଟନୀ ସମାରୋହରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଭର୍ତ୍ତୃହରି ମହତାବ, ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତି ଥିଲେ।

Comment