ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟରେ ରାଜନୈତିକ ବାତାବରଣ କ୍ରମଶଃ ଉଷ୍ମ ହୋଇ ଆସୁଥିବା ବେଳେ ମହିଳାଙ୍କ ପାଇଁ ତେତିଶ ପ୍ରତିଶତ ସଂରକ୍ଷଣ ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଯେଉଁ ଚିଠି ଲେଖିଛନ୍ତି ତାହାକୁ ଏକ ବଡ଼ ଗୋଟିଚଳନା ବୋଲି କୁହାଯାଉଛି। ନବୀନ ମୋଦିଙ୍କ ପାଖକୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଚିଠି ଲେଖିଆସିଛନ୍ତି। କିନ୍ତୁ ଏହି ପତ୍ରର ଗୁରୁତ୍ୱ କିଛିଟା ଅଧିକ।

ପତ୍ରରେ ନବୀନ ଯାହା ଲେଖିଛନ୍ତି ସେଥିରେ ବେଶ୍ ଚଲାକି ବି ରହିଛି। ସଂସଦ ଓ ବିଧାନସଭାମାନଙ୍କରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷିତ ରଖିବା ପାଇଁ ଆପଣ ନିଜେ ନେତୃତ୍ୱ ନିଅନ୍ତୁ ବୋଲି ଚିଠିରେ କୁହାଯାଇଛି।

ମହିଳା ସଶକ୍ତିକରଣ ହେଲେ ଦେଶ ସଶକ୍ତ ହେବ। କୌଣସି ଘର, ପରିବାର,ସମାଜ ଦେଶ କେବେ ବି ମହିଳାଙ୍କ ସଶକ୍ତିକରଣ ବିନା ଆଗକୁ ଯାଇପାରିଛି ବୋଲି ନବୀନ ଏହି ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଆହୁରି ଲେଖିଛନ୍ତି ଯେ ଆମ ସମ୍ବିଧାନରେ ଲିଙ୍ଗଗତ ସମତା ବିଷୟ ପ୍ରାଞ୍ଜଳ ଭାବେ କୁହାଯାଇଛି। ଯେତେବେଳେ ଆମ ମା, ଭଉଣୀ ଓ ଝିଅ (ଯେଉଁମାନେ ଦେଶର ଲୋକସଂଖ୍ୟାର ଅଧାଅଧି) ସେମାନେ ଶକ୍ତିଶାଳୀ ହେଲେ ଯାଇ ଏବଂ ଆଇନ ପ୍ରଣୟନ ବ୍ୟବସ୍ଥା ସହ ସେମାନଙ୍କୁ ସାମିଲ କରାଗଲେ ହିଁ  ଦେଶ ଆଗକୁ ବଢ଼ିପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପତ୍ରରେ କହିଛନ୍ତି।

Indian PM Narendra Modi

ଉକ୍ତ ପତ୍ରରେ ଓଡ଼ିଶା କଥା ମଧ୍ୟ କୁହାଯାଇଛି। ମହିଳା ସଂରକ୍ଷଣ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇ ଆସିଛି। ୧୯୯୦ ମସିହାରେ ବିଜୁ ପଟ୍ଟନାୟକ ପ୍ରଥମେ ମହିଳାମାନଙ୍କୁ ରାଜନୀତିର ପରିସର  ଭିତରକୁ ଆଣିଲେ। ପଞ୍ଚାୟତ ଓ ସ୍ୱାୟତ୍ତ ଶାସନ ସଂସ୍ଥାମାନଙ୍କରେ ସେ ହିଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷିତ କଲେ। ପରେ ୨୦୧୧ ମସିହାରେ ଓଡ଼ିଶା ସରକାର ପଞ୍ଚାୟତ ଓ ନଗରପାଳିକା ଗୁଡ଼ିକରେ ମହିଳାଙ୍କ ପାଇଁ ଆସନ ସଂଖ୍ୟା ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି ବୋଲି ନବୀନ ତାଙ୍କ  ଚିଠିରେ ଦୃଢୋକ୍ତି କରିଛନ୍ତି। ଏହା ଫଳରେ ଓଡ଼ିଶାରେ ମହିଳାମାନେ ବିକାଶର ମୁଖ୍ୟ ଧାରାକୁ ଆସିପାରିଲେ ବୋଲି ନବୀନ କହିଛନ୍ତି।

ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ଏ କଥା ମଧ୍ୟ ଲେଖିଛନ୍ତି ଯେ ପାର୍ଲାମେଣ୍ଟ ଓ ବିଧାନସଭାରେ  ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ସମ୍ପର୍କିତ ପ୍ରସ୍ତାବ ଓଡ଼ିଶା ବିଧାନସଭାରେ ଗୃହୀତ ହୋଇସାରିଛି। ପତ୍ରର ଶେଷରେ ନବୀନ ପଟ୍ଟନାୟକ ଲେଖିଛନ୍ତି ଯେ ଏ ବର୍ଷ ଆମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ କରୁଛୁ। ମହାତ୍ମା ଗାନ୍ଧୀ ସବୁବେଳେ କହୁଥିଲେ ଲିଙ୍ଗଗତ ସମତା ଓ ନାରୀ ସଶକ୍ତିକରଣ ବିନା କୌଣସି ଉନ୍ନତି ସାଧନ ହୋଇପାରିବ ନାହିଁ। ଏଣୁ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଗାନ୍ଧୀଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେଵ ବୋଲି ସେ କହିଛନ୍ତି। ଏଥିସହ ବିଲ୍‌ଟି ସଂସଦରେ ପାସ ହେବା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ସମର୍ଥନ ଜଣାଇବ ବୋଲି ନବୀନ ମୋଦିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Comment