ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭର୍ତ୍ତୃହରିଙ୍କ ଧାଡ଼ିଏ କଥା ଏବେ କଟକ ରାଜନୀତିକୁ ରୋଚକ ମୋଡ଼ ଦେଇଛି।

‘ଏବେ ଜିନ୍ଦାବାଦ କରିବାର ସମୟ ଆସିନି’ – କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଏହି ଧାଡ଼ିଏ କଥା ରାଜୀନିତିକୁ ରୋଚକ କରିଛି। ଭର୍ତ୍ତୃହରି କାହିଁକି ଏମିତି କଥା କହିଲେ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

କଟକ ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସିଡିଏଠାରେ ଗତ ବୁଧବାର ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ସମନ୍ୱିତ ପରିମଳ ଉନ୍ନତିକରଣ ପ୍ରକଳ୍ପ ଯୋଜନାରେ ଏହି ପ୍ଲାଣ୍ଟ ନିର୍ମାଣ ହୋଇଛି। ଜାପାନ ଇଣ୍ଟରନ୍ୟାସନାଲ କୋ-ଅପରେସନ ଏଜେନ୍ସି (ଜାଇକା)ର  ସହାୟତାରେ ୧୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ପ୍ଲାଣ୍ଟ।

ଏହା ସମ୍ପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ଦଳୀୟ ସମାବେଶଠାରୁ କିଛି କମ୍ ନଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କଟକ ଜିଲ୍ଲାର ଦୁଇ ମନ୍ତ୍ରୀଙ୍କ ସମତେ ବିଧାୟକମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା।

ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ଚୌଦ୍ୱାର-କଟକ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳ, ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଆମନ୍ତ୍ରିତ କରାଯାଇଥିଲା। କେବଳ ଚନ୍ଦ୍ରସାରଥୀଙ୍କୁ ଛାଡ଼ି ଅନ୍ୟମାନେ ଉପସ୍ଥିତ ଥିଲେ।

ହେଲେ ନିଜର ଉପସ୍ଥିତି ଜାହିର କରିବା ପାଇଁ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭାତ ବିଶ୍ୱାଳଙ୍କ ସମର୍ଥକ ଶକ୍ତି ପ୍ରଦର୍ଶନ କରିବାକୁ ପଛାଇ ନଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଉଭୟ ସମର୍ଥକଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଲାଗିଥିଲା।

ଜିନ୍ଦାବାଦ ଧ୍ୱନିରେ ଉଦଘାଟନସ୍ଥଳ କମ୍ପିଥିଲା। ‘ଆୱାର ସିଏମ୍‌, ଆୱାର ହିରୋ’ ନାରା ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ କର୍ମୀ। ଖାଲି ସେତିକି ନୁହେଁ, ସମର୍ଥକମାନେ ନିଜ ନିଜ ବିଧାୟକମାନଙ୍କର ଜିନ୍ଦାବାଦ ଧ୍ୱନି ଦେଇ ପରିବେଶକୁ ସରଗରମ୍ କରିଦେଇଥିଲେ।

କଟକ ସାଂସଦ ଭର୍ତ୍ତୃହରି ମହତାବ ଉଦଘାଟନୀ ମଞ୍ଚରେ ଭାଷଣ ଦେବା ବେଳେ ସମର୍ଥକମାନଙ୍କ ଉଦ୍ଦେଶ୍ୟରେ କହିଥିଲେ – ‘ଏବେ ଜିନ୍ଦାବାଦ କରିବାର ସମୟ ଆସିନି’। ଭର୍ତ୍ତୃହରି ପରୋକ୍ଷରେ ସୂଚାଇ ଦେଇଥିଲେ ଯେ ଏହା ହେଉଛି ସରକାରୀ କାର୍ଯ୍ୟକ୍ରମ। ଆଗକୁ ନିର୍ବାଚନ ଆସୁଛି। ଜିନ୍ଦାବାଦ ସେତେବେଳେ ପକାଇବ।

ଅତୀତରେ ଭର୍ତ୍ତୃହରି ଅନେକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି। କଂଗ୍ରେସ ସହ ବିଜେଡିର ମେଣ୍ଟ କରିବା ପ୍ରସଙ୍ଗ ହେଉ କି ନିଜ ସମ୍ପାଦିତ ଖବରକାଗଜରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସମ୍ପାଦକୀୟ ଲେଖିବା ପ୍ରସଙ୍ଗକୁ ନେଇ ଭର୍ତ୍ତୃହରି ବିବାଦରେ ଥିଲେ। ‘ଏବେ ଜିନ୍ଦାବାଦ କରିବାର ସମୟ ଆସିନି’ କହି ଭର୍ତ୍ତୃହରି ରାଜନୀତିକୁ ଆହୁରି ରୋଚକ କରିଛନ୍ତି।

କଟକ ରାଜନୀତିରେ ଦେବାଶିଷ ସାମନ୍ତରାୟ ଏବଂ ପ୍ରଭାତ ବିଶ୍ୱାଳଙ୍କ ଭିତରେ ସମ୍ପର୍କ କ’ଣ ତାହା କାହାକୁ ଅଛପା ନାହିଁ। ଛାତ୍ର ସଂସଦ ନିର୍ବାଚନ, ମହାନଗର ନିଗମ ନିର୍ବାଚନ ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଉଭୟଙ୍କ ସମର୍ଥକମାନଙ୍କ ଭିତରେ ଛକାଛକି ଚାଲିଥାଏ।

ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ କାର୍ଯ୍ୟକ୍ରମ ରହିଥାଏ ଉଭୟ ବିଧାୟକଙ୍କ ସମର୍ଥକମାନଙ୍କ ଭିତରେ ଗୋପାଳପୁର ଛକରୁ ପତିଆରା ଲଢ଼େଇ ଦେଖିବାକୁ ମିଳିଥାଏ। ଉଭୟ ଗୋଷ୍ଠୀର ସମର୍ଥକମାନେ ପୃଥକ ପୃଥକ ବାଇକ ରାଲିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥାନ୍ତି। ଏହାର ଆଉ ଏକ ନମୁନା ଟ୍ରିଟମେଣ୍ଟ ପ୍ଲାଣ୍ଟ ଉଦଘାଟନ ବେଳେ ମଧ୍ୟ ଦେଖିବାକୁ ମିଳିଛି।

Comment