ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ରାମନଗର ପଞ୍ଚାୟତର ସରକାରୀପଡ଼ା ଗ୍ରାମବାସୀଙ୍କ ମନରେ ଭୟ। ପାଞ୍ଚ ଖଣ୍ଡି ଗାଁର ଆରାଧ୍ୟ ଦେବତା ଶିବ ଠାକୁର ରାମେଶ୍ୱରଙ୍କୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।

ମନ୍ଦିରର ପୂଜାରୀ ଗୋପାଳକୃଷ୍ଣ ମହାପାତ୍ର ସ୍ଥାନୀୟ ପୋଲିସ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଜମ୍ବୁ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଦୁର୍ବୃତ୍ତଙ୍କ ଟେର ପାଇନି ପୋଲିସ।

ସରକାରୀପଡ଼ା ଗାଁର ଶିବ ଠାକୁର ରାମେଶ୍ୱର ହେଉଛନ୍ତି ପ୍ରସିଦ୍ଧ ଠାକୁର। ମନସ୍କାମନା ରଖି ଭକ୍ତମାନେ ଏଠାକୁ ଧାଇଁ ଆସନ୍ତି। କିନ୍ତୁ ବୁଧବାର ରାତିରେ ବ୍ୟତିକ୍ରମ ଦେଖାଦେଇଛି। ମନ୍ଦିରର ପୁଜାରୀ ଗୋପାଳକୃଷ୍ଣ ମହାପାତ୍ର ପୂଜା ସାରି ପହଡ଼ ପକାଇ ଘରକୁ ଯାଇଥିଲେ।

ଗୁରୁବାର ସକାଳେ ପୂଜା କରିବାକୁ ଆସିଲା ବେଳକୁ ଘର ମଧ୍ୟରୁ ଧୂଆଁ ବାହାରୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମନ୍ଦିରର କବାଟ ଖୋଲି ଦେଖିବା ବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। କେହି ଦୁର୍ବୃତ୍ତ ରାମେଶ୍ୱରଙ୍କ ମୂର୍ତ୍ତି ଉପରେ ମନ୍ଦିରରେ ଥିବା ପ୍ରାଚୀନ ପୋଥି ଓ ଅନ୍ୟାନ୍ୟ ସାମଗ୍ରୀ ରଖି ପୋଡ଼ି ଦେଇଥିଲା।

ଠାକୁରଙ୍କ ଦେହରେ ଲାଗି ହୋଇଥିବା ସୁନାର ମୁକୁଟ, ରୂପା ନାଗ, ପାର୍ଶ୍ୱ ଦେବତା ରାଧାକୃଷ୍ଣଙ୍କ ମୂର୍ତ୍ତିଗୁଡ଼ିକୁ ଲୁଟି ନେଇଛି।

ଏହି ଖବର ଚାରିଆଡ଼େ ପ୍ରଚାର ହୋଇଗଲା ପରେ ଆଖପାଖ ଗାଁର ଲୋକେ ମନ୍ଦିର ନିକଟରେ ରୁଣ୍ଡ ହୋଇଥିଲେ। ପରେ ମନ୍ଦିର ପୂଜକ ଫାଣ୍ଡିରେ ଏତଲା ଦେଇଥିଲେ।

Comment