ଓଡ଼ିଶାଲାଇଭ୍‌ ବ୍ୟୁରୋ

୫ଟି ରାଜ୍ୟର ବିଧାନସଭା ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଏଗ୍‌ଜିଟ୍ ପୋଲରୁ ଆସିଲା ବଡ଼ ରାୟ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ଟି ରାଜ୍ୟରେ ଶେଷ ହୋଇଛି ବିଧାନସଭା ନିର୍ବାଚନ। ଫଳାଫଳ ପ୍ରକାଶ ପାଇବାକୁ କିଛିଦିନ ବାକି ଥିବା ବେଳେ ବିଭିନ୍ନ ଟିଭି ଚ୍ୟାନେଲ ପକ୍ଷରୁ କରାଯାଇଥିବା ଏଗ୍‌ଜିଟ୍ ପୋଲ ରିପୋର୍ଟ ପ୍ରକାଶ ପାଇଛି।

ବିଭିନ୍ନ ଟିଭି ଚ୍ୟାନେଲ ଭିନ୍ନ ଭିନ୍ନ ରିପୋର୍ଟ ଦେଇଥିଲେ ମଧ୍ୟ ଦୁଇଟି ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବ ବୋଲି ଜଣାପଡ଼ିଛି।

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏବେ ସମସ୍ତଙ୍କର ନଜର ଫଳାଫଳ ଉପରେ। ଏହି ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଆସନ୍ତା ଡିସେମ୍ବର ୧୧ରେ  ପ୍ରକାଶ ପାଇବ। ତେବେ ନିର୍ବାଚନ ଫଳାଫଳର ତିନି ଦିନ ପୂର୍ବରୁ ଆସିଛି ଏଗଜିଟ୍ ପୋଲ ରିପୋର୍ଟ। ଏଗ୍‌ଜିଟ୍ ପୋଲ ଆକଳନ ଅନୁସାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।

ରାଜସ୍ଥାନରେ ବିଜେପିକୁ ଝଟକା ଲାଗିଥିବାବେଳ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ କଂଗ୍ରେସ ସହ କଡ଼ା ଟକ୍କର ଦେବ ବିଜେପି। ତେଲେଙ୍ଗାନାରେ ତେଲେଙ୍ଗାନା ରାଷ୍ଟ୍ର ସମିତି ପୁଣି ଥରେ କ୍ଷମତାକୁ ଆସିବ। ଉତ୍ତର ପୂର୍ବ ରାଜ୍ୟ ମିଜୋରାମରେ ବିଜେପି, କଂଗ୍ରେସ ସହ ଟକ୍କର ଦେଉଛି ମିଜୋ ନ୍ୟାଶନାଲ ଫ୍ରଣ୍ଟ।

ମଧ୍ୟପ୍ରଦେଶରେ ସରକାରକୁ ଆସିପାରେ ବିଜେପି

ଏଗ୍‌ଜିଟ୍ ପୋଲ ମୁତାବକ ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଏହି ରାଜ୍ୟରେ ନଭେମ୍ବର ୨୮ରେ ସମସ୍ତ ୨୩୦ ସିଟରେ ମତଦାନ ହୋଇଥିଲା। ଏହି ରାଜ୍ୟରେ ବିଜେପି ଗତ ୧୫ ବର୍ଷ ହେବ କ୍ଷମତାରେ ରହି ଆସିଛି। ଶିବରାଜ ସିଂହ ଚୌହ୍ଵାନ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହେବା ପାଇଁ ସମସ୍ତ ଶକ୍ତି ନିର୍ବାଚନରେ ଖଟାଇଛନ୍ତି। ମାତ୍ର ଆସିଥିବା ଏଗ୍‌ଜିଟ୍ ପୋଲ ଅନୁଯାୟୀ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ବ୍ୟବଧାନ  ବହୁତ କମ୍ ରହିଛି। ବିଜେପି ଆସନ ସଂଖ୍ୟା ହ୍ରାସ ସେତ୍ତ୍ୱେ ସଂଖ୍ୟାଗରିଷ୍ଠତା ପାଇବ ବୋଲି ଆକଳନ କରାଯାଇଛି।

ତେଲେଙ୍ଗାନାରେ ଟିଆର୍‌ଏସ୍‌ ଯାଦୁ

ଏଗ୍‌ଜିଟ୍ ପୋଲ୍ ଅନୁସାରେ ତେଲେଙ୍ଗାନାରେ ପୁଣି ଟିଆରଏସ୍ ଯାଦୁ ଚାଲିବ। ୧୧୯ ନିର୍ବାଚନ କ୍ଷେତ୍ରରୁ ଟିଆରଏସ୍ ଅଧିକ ଆସନରେ ବିଜୟ ଲାଭ କରିପାରେ।

ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୬୦ ରହିଛି। ୨୦୧୬ରେ ଟିଆରଏସ୍ ୬୩ଟି ଆସନରେ ବିଜୟୀ ହୋଇଥିଲା। କଂଗ୍ରେସକୁ ୨୧, ଟିଡିପିକୁ ୧୫ ଏବଂ ବିଜେପି ୫ଟି ଆସନରେ ବିଜୟୀ ହୋଇଥିଲା।

ଛତିଶଗଡ଼ରେ ରମଣ ପଛରେ!

ମଧ୍ୟପ୍ରଦେଶ ପରି ଛତିଶଗଡ଼ରେ ମଧ୍ୟ ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଛି। ବିଭିନ୍ନ ଜାତୀୟ ଗଣମାଧ୍ୟମ ଦ୍ଵାରା କରାଯାଇଥିବା ଏଗଜିଟ୍ ପୋଲ ମୁତାବକ ଏଠାରେ କଂଗ୍ରେସ ବିଜେପିଠୁ ଆଗୁଆ ରହିଛି।

ଛତିଶଗଡ଼ରେ ବିଜେପି ସରକାର ୧୫ ବର୍ଷ ଧରି ରହିଛି। କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଏଥର ଯଥା ସମ୍ଭବ ଚେଷ୍ଟା କରିଛି। ଗତ ତିନୋଟି ନିର୍ବାଚନର ଫଳାଫଳ ପ୍ରାୟତଃ ସମାନ ଥିବା ବେଳେ ଏଥର ଚିତ୍ର ଭିନ୍ନ ରହିଛି। ଛତିଶଗଡ଼ର ସମସ୍ତ ୯୦ ସିଟରେ ଏଥର ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ଏଠାରେ ସରକାର ଗଠନ ପାଇଁ ୪୬ଟି ଆସନ ଆବଶ୍ୟକ। ୨୦୧୩ ବିଧାନସଭା ନିର୍ବାଚନରେ ବିଜେପିକୁ ୪୯, କଂଗ୍ରେସ ୩୯ ଏବଂ ବିଏସପିକୁ ଗୋଟିଏ ଆସନ ମିଳିଥିଲା।

ରାଜସ୍ଥାନରେ ‘ହାତ’ ରାଜୁତି!

ରାଜସ୍ଥାନରେ ବିଜେପିକୁ ଜୋରଦାର ଝଟକା ଲାଗିବାକୁ ଯାଉଛି। ଏଠାରେ କଂଗ୍ରେସକୁ ବହୁମତ ମିଳୁଥିବା ବିଭିନ୍ନ ଏଗ୍‌ଜିଟ୍ ପୋଲରୁ ଜଣାପଡ଼ୁଛି। ରାଜସ୍ଥାନରେ ଗତ ଶୁକ୍ରବାର ସମସ୍ତ ୨୦୦ ଆସନରେ ମତଦାନ ପ୍ରକ୍ରିୟା ପୂରା ହୋଇଥିଲା।

ଏଥର ୭୦ରୁ ଅଧିକ ପ୍ରତିଶତ ଲୋକ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ରାଜସ୍ଥାନରେ ନିର୍ବାଚନ ମତଦାନ ପରେ ଆସିଥିବା ଏଗ୍‌ଜିଟ୍ ପୋଲରେ ଏଥର  କଂଗ୍ରେସ ସରକାର ଗଠନ କରୁଥିବା ଦେଖାଯାଇଛି।

୨୦୦ ଆସନ ବିଶିଷ୍ଟ ବିଧାନସଭା  ନିର୍ବାଚନରେ ସରକାର ଗଠନ ପାଇଁ ୧୦୧ ସିଟ୍ ଆବଶ୍ୟକ। ୨୦୧୩ ବିଧାନସଭା ନିର୍ବାଚନରେ ବିଜେପିକୁ ୧୬୩, କଂଗ୍ରେସକୁ ୨୧ଟି ସିଟ୍ ମିଳିଥିଲା।

ମିଜୋରାମରେ କଡ଼ା ଟକ୍କର

ମିଜୋରାମରେ କଂଗ୍ରେଗ ଏବଂ ନ୍ୟାସନାଲ ଫ୍ରଣ୍ଟ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି। ମିଜୋରାମରେ ୪୦ଟି ବିଧାନସଭା ଆସନ ରହିଛି। ୨୦୧୩ରେ କଂଗ୍ରେସକୁ ୩୪ ଏବଂ ଏମଏନଏଫ କୁ ୫ଟି ଆସନ ମିଳିଥିଲା।

Comment