ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ସଂସଦ ଓ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ତେତିଶ ପ୍ରତିଶତ ସଂରକ୍ଷଣ ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ  ଚିଠି ଲେଖିବା ପରେ ବୁଧବାର ଦିନ ଏଦିଗରେ ଆଉ ଏକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ।

୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ଏହାକୁ ଏକ ବଡ଼ ଗୋଟିଚାଳନା ବୋଲି ରାଜନୀତି ମହଲରେ ଆଲୋଚନା ହେଉଛି। “ମହିଳା ସଶକ୍ତକରଣ ହେଲେ ଦେଶ ସଶକ୍ତ ହେବ। କୌଣସି ଘର, ପରିବାର, ଓ ଦେଶ କେବେ ବି ମହିଳାଙ୍କ ସଶକ୍ତିକରଣ ବିନା ଆଗକୁ ଯାଇପାରିଛି” ନବୀନ ମୋଦିଙ୍କ ପାଖକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ।

ସେ ଆହୁରି ଲେଖିଥିଲେ ଯେ ଆମ ସମ୍ବିଧାନରେ ଲିଙ୍ଗଗତ ସମତା ବିଷୟ ପ୍ରାଞ୍ଜଳ ଭାବେ କୁହାଯାଇଛି। ସେମାନେ ଶକ୍ତିଶାଳୀ ହେଲେ ଯାଇ ଦେଶ ଆଗକୁ ବଢ଼ିପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ପତ୍ରରେ କହିଥିଲେ। ମହିଳା ସଂରକ୍ଷଣ  ବିଲଟି ସଂସଦରେ ପାସ ହେବା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ସମର୍ଥନ ଜଣାଇବ ବୋଲି ମଧ୍ୟ ନବୀନ ମୋଦିଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ବୁଧବାର ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ସଂସଦରେ ଅଟକି ରହିଥିବା ମହିଳା ସଂରକ୍ଷଣ ବିଲ୍‌ ସପକ୍ଷରେ ସମର୍ଥନ ଯୋଗାଡ଼ କରିବା ପାଇଁ ଏବେ ବିଜେଡିର ସାଂସଦମାନେ ଅଣ୍ଟା ଭିଡ଼ିବେ। ନିଷ୍ପତ୍ତି କରାଯାଇଛି ଯେ ବିଜେଡି ସାଂସଦ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳର ନେତାଙ୍କୁ ଭେଟି ସେମାନଙ୍କର ସମର୍ଥନ ଲୋଡ଼ିବେ। ଯାହା ସ୍ଥିର କରାଯାଇଛି ବିଜେଡି ସାଂସଦମାନେ ଆସନ୍ତା କିଛି ଦିନ ମଧ୍ୟରେ ୭ଟି ଜାତୀୟ ଓ ୧୫ଟି ଆଞ୍ଚଳିକ ଦଳର ନେତାଙ୍କୁ ଭେଟିବେ। ଯେହେତୁ ମୁଖ୍ୟମନ୍ତ୍ରୀ ନିଜେ ଏହି ବୈଠକରେ ଉପସ୍ଥିତ ଥିଲେ ସେହି କାରଣରୁ ସମସ୍ତେ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଉଛନ୍ତି।

ନିଷ୍ପତ୍ତି ଅନୁସାରେ ପ୍ରସନ୍ନ ଆଚାର୍ଯ୍ୟ, ବେଦ ପ୍ରକାଶ ଅଗ୍ରୱାଲ, ଭର୍ତ୍ତୃହରି ମହତାବ ଓ ସରୋଜିନୀ ହେମ୍ବ୍ରମ ବିଜେପି ସହିତ ଏ ନେଇ କଥାବାର୍ତ୍ତା ଆରମ୍ଭ କରିବେ। ସେହିଭଳି ତଥାଗତ ଶତପଥୀ, ବେଦ ପ୍ରକାଶ ଅଗ୍ରୱାଲ,ପ୍ରସନ୍ନ ପାଟଶାଣୀ ଓ ପିନାକୀ ମିଶ୍ରଙ୍କୁ ନେଇ ଗଠିତ ଦଳ କଂଗ୍ରେସ ସହିତ କଥାବାର୍ତ୍ତା କରିବ। ଆଉ ଏକ ପ୍ରତିନିଧି ଦଳରେ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅରବିନ୍ଦ ଢାଲି, ଅନନ୍ତ ଦାସ ରହିବେ ଯେଉଁମାନେ କି ତୃଣମୂଳ କଂଗ୍ରେସ ସହିତ ଆଲୋଚନା କରିବେ। ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା, ଏ ୟୁ ସିଂହଦେଓ ଏବଂ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ସହିତ ଆଲୋଚନା କରିବେ।

ସିପିଆଇ, ସିପିଏମ, ଏନସିପି ସହିତ କଥାବାର୍ତ୍ତା ପାଇଁ ମଧ୍ୟ ଏକ ଟିମ ଗଠନ ହୋଇଛି। ଯେଉଁ ସବୁ ଆଞ୍ଚଳିକ ଦଳର ନେତାଙ୍କୁ ବିଜେଡି ଟିମ ଭେଟିବ ତା ଭିତରେ ରହିଛି ଆମ ଆଦମୀ ପାର୍ଟି, ଏଡିଏମ୍‌କେ, ଡିଏମ୍‌କେ ଜେଡିଏସ, ଜେ ଡି ୟୁ, ଇଣ୍ଡିଆନ ରାଷ୍ଟ୍ରୀୟ ଲୋକ ଦଳ, ନ୍ୟାସନାଲ କନଫେରେନ୍ସ, ଶିରୋମଣି ଅକାଳୀ ଦଳ, ସମାଜବାଦୀ ପାର୍ଟି, ଶିବ ସେନା, ତେଲୁଗୁ ଦେଶମ ପାର୍ଟି ଓ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି।

Comment