ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଆଇଏମ୍‌ସିରେ ‘ହକି’ ପୁସ୍ତିକା ଉନ୍ମୋଚିତ। ପୁସ୍ତକରେ ରହିଛି ହକି ଆରମ୍ଭରୁ ଓଡ଼ିଶା ବିଶ୍ୱକପ୍ ଯାଏଁ ସମସ୍ତ ଗୁରୁତ୍ଵପୂର୍ଣ୍ଣ ବିବରଣୀ।

ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୧୮ ଅବସରରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି) ପକ୍ଷରୁ ଏକ ସ୍ୱତନ୍ତ୍ର ପୁସ୍ତିକା ‘ହକି’ ପ୍ରକାଶନ ହୋଇଛି। ପୋଷ୍ଟର ପରାମର୍ଶଦାତା ସମ୍ପାଦକ ଅଂଶୁମାନ ବନାର୍ଜୀ ଓ ଆଇଆଇଏମ୍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ଗୁରୁବାର ଏହି ପୁସ୍ତକ ଉନ୍ମୋଚନ କରିଥିଲେ।

ଶହେ ପୃଷ୍ଠା ସମ୍ବଳିତ ଏହି ପୁସ୍ତିକାରେ ହକି ଖେଳ ଆରମ୍ଭରୁ ୨୦୧୮ ବିଶ୍ୱକପ୍ ଯାଏ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି ।

“ହକି ଖେଳକୁ ବୁଝିବା ଓ ଏହାର ଉତ୍କର୍ଷତା ଜାଣିବାରେ ଏହି ପୁସ୍ତିକା ବେଶ୍ ସହାୟକ ହେବ। ଏଥିସହ ହକି ଉପରେ ରୁଚି ରଖୁଥିବା କ୍ରୀଡ଼ା ସାମ୍ବାଦିକଙ୍କୁ ମଧ୍ୟ ଏହା ସାହାଯ୍ୟ କରିବ”, କହିଛନ୍ତି ଡକ୍ଟର ଚାଟାର୍ଜୀ।

ହକି ଖେଳରେ ଭାରତର ଆଧିପତ୍ୟର ଏକ ସ୍ୱର୍ଣ୍ଣିମ ଇତିହାସ ରହିଛି । ପ୍ରଥମଥର ପାଇଁ ଭାରତ ୧୯୨୮ ଅଲମ୍ପିକ୍ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଏହାପୂର୍ବରୁ ନ୍ୟୁଜିଲାଣ୍ଡକୁ ପ୍ରଥମ ଅନ୍ତର୍ଜାତୀୟ ଗସ୍ତରେ ଯାଇ ମୋଟ ୨୧ ମ୍ୟାଚରୁ ଭାରତ ୧୮ଟି ମ୍ୟାଚରେ ବିଜୟୀ ହୋଇଥିଲା ।

ଆଉ ସେହିଠାରୁ ଆରମ୍ଭ ହୋଇଥିଲା ହକିରେ ଭାରତର ଅପରାଜୟ ଧାରା

୧୯୨୮ରୁ ୧୯୫୬ ମଧ୍ୟରେ ଲଗାତର ୬ଟି ହକି ଅଲମ୍ପିକ୍‌ରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ବର୍ତ୍ତମାନ ସୁଦ୍ଧା ଭାରତୀୟ ପୁରୁଷ ହକି ଦଳ ଅଲମ୍ପିକ୍‌ରେ ସବୁଠୁଁ ଶ୍ରେଷ୍ଠ ଦଳ ଭାବେ ୮ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଦୁଇଟି ବ୍ରୋଞ୍ଚ ପଦକ ହାସଲ କରିଛି । ସେହିପରି ଭାରତ ୧୯୭୫ ବିଶ୍ୱକପ୍ ବିଜେତା ମଧ୍ୟ ହୋଇଥିଲା ।

ଏସବୁର ବିଶେଷ ବିବରଣୀ ପୁସ୍ତିକାରେ ରହିଛି । ଏଥିସହିତ ହକି ଖେଳର ବିଭିନ୍ନ ନିୟମ, ସିନ୍ଥେଟିକ୍ ଘାସର ପ୍ରଚଳନ ପରେ ପରିବର୍ତ୍ତିତ ବିଭିନ୍ନ ନିୟମ, ପ୍ରଣାଳୀ ଓ କୌଶଳ ଆଦିର ପୁଙ୍ଖାନୁପୁଙ୍ଖ ତଥ୍ୟ ଉଲ୍ଲେଖ କରାଯାଇଛି ।

ସେହିପରି ଅନ୍ତର୍ଜାତୀୟ ହକି ଫେଡେରେସନ ସଂସ୍ଥାର ଗଠନ, କାର୍ଯ୍ୟାବଳୀ ଓ ଭୂମିକା ବିଷୟରେ ମଧ୍ୟ ଆଲୋଚନା କରାଯାଇଛି । ଏହା ବ୍ୟତୀତ ଅଲମ୍ପିକ୍, ହକି ବିଶ୍ୱକପ୍, ଚାମ୍ପିୟନ୍ସ ଟ୍ରଫି, କମନୱେଲ୍‌ଥ ଗେମ୍ସ, ଏସିଆନ୍ ଗେମ୍ସ, ସୁଲତାନ୍ ଆଜ୍‌ଲାନ ଶାହା କପ୍, ହକି ଏଫ୍ଆଇଏଲ୍ ବିଶ୍ୱ ଲିଗ୍ ପରି ବିଭିନ୍ନ ଟୁର୍ଣ୍ଣାମେଣ୍ଟ ଓ ଏହାର ଫଳାଫଳକୁ ନେଇ ବିସ୍ତୃତ ସୂଚନା ଉପସ୍ଥାପିତ ହୋଇଛି ।

ପୁସ୍ତିକାର ଅନ୍ୟ ଏକ ଅଧ୍ୟାୟରେ ଭାରତୀୟ ହକି ଫେଡେରେସନ୍, ହକି ଇଣ୍ଡିଆ ଓ ଭାରତୀୟ କ୍ରୀଡ଼ା ପ୍ରାଧିକରଣ କର୍ତ୍ତୃପକ୍ଷ ଭଳି ସଂସ୍ଥା ଉପରେ ମଧ୍ୟ ଆଲୋଚନା ହୋଇଛି ।

ଏହାସହ ଉଭୟ ପୁରୁଷ ଓ ମହିଳା ହକି ଦଳ, ଅର୍ଜୁନ ପୁରସ୍କାର ବିଜେତାଙ୍କ ନାମ, ପ୍ରମୁଖ ଅନ୍ତର୍ଜାତୀୟସ୍ତରର ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଦର୍ଶନ, ପ୍ରିମିୟର ହକି ଲିଗ୍, ହକି ଇଣ୍ଡିଆ ଲିଗ୍ ସମ୍ପର୍କରେ ଅନେକ ତଥ୍ୟ ପୁସ୍ତକକୁ ସମୃଦ୍ଧ କରିଛି ।

ପଞ୍ଚମ ଅଧ୍ୟାୟରେ ମେଜର ଧ୍ୟାନଚାନ୍ଦ, ବଲବିର୍ ସିଂହ ସାର୍, ଲେସ୍‌ଲି କ୍ଲାଉଡିୟସ୍, ଉଦ୍ଧମ୍ ସିଂହ, ଧନରାଜ୍ ପାଇଲେ, ଶାହାବାଜ୍ ଅହମ୍ମଦ, ଦିଲ୍ଲୀପ୍ ତିର୍କୀ, ସୁନୀତା ଲାକ୍ରା, ରାନୀ ରାମପାଲ୍‌ଙ୍କ ଭଳି ଶ୍ରେଷ୍ଠ ଖେଳାଳିଙ୍କ କଥା ଉଲ୍ଲେଖ ରହିଛି ।

ହକି ଖେଳରେ ଓଡ଼ିଶାର ଅବଦାନକୁ ନେଇ ମଧ୍ୟ ଏକ ଅଧ୍ୟାୟ ଖୁବ୍ ତଥ୍ୟଭିତ୍ତିକ ହୋଇଛି । ଶେଷ ଅଧ୍ୟାୟରେ ହକି ଖେଳ ଓ ଖେଳାଳିଙ୍କୁ ନେଇ ନିର୍ମିତ ଚଳଚ୍ଚିତ୍ର, ପ୍ରକାଶିତ ପୁସ୍ତକ ସମ୍ବନ୍ଧରେ ସୂଚନା ଦିଆଯାଇଛି ।

ଡକ୍ଟର ମୃଣାଳ ଚାଟାର୍ଜୀଙ୍କ ପରିକଳ୍ପନାରେ ଏହି ପୁସ୍ତିକାର ବିଷୟବସ୍ତୁ ସମ୍ପାଦନା ଏକାଡେମିକ୍ ଆସିଷ୍ଟାଣ୍ଟ ହୃଷିକେଶ ମିଶ୍ର କରିଥିବାବେଳେ ଗବେଷଣାରେ ସହଯୋଗ କରିଥିଲେ ୨୦୧୮-୧୯ ବ୍ୟାଚ୍ ଶିକ୍ଷାର୍ଥୀ ଅଭିନବ କୁମାର, ଆଦିତ୍ୟ କୁମାର, ଅକ୍ଷୟ ଗୋସ୍ୱାମୀ, ଅନିମେଶ ଦେବ, ଅନୁରାଗ ରୋଶନ, ଆର୍ଯ୍ୟା ଶରନ୍, ଭାରତ

ଭୂଷଣ ପରିଡ଼ା, ଧର୍ମେନ୍ଦ୍ର କୁମାର ପ୍ରଧାନ, ଦ୍ୱୀପାୟନ ରୟ, କୋୟଲ ଗୋପ୍, ଶୈଳୀ ଦେ’, ଶ୍ରୀୟିନା

ଶ୍ରୀବାସ୍ତବ, ଶ୍ରେୟା ମୁଖାର୍ଜୀ, ବୈଭବ ଚକ୍ରବର୍ତ୍ତୀ ଓ ଯଶବନ୍ତ ଆନ୍ନା । ଏହାର କଭର୍ ଓ ଡିଜାଇନ୍ କରିଛନ୍ତି ଏକାଡେମିକ୍ କୋର୍ଡିନେଟର୍ ଜିତେନ୍ଦ୍ର ପତି ।

Comment