ଓଡ଼ିଶାଲାଇଭ୍ ବ୍ୟୁରୋ

ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଜେନା ହଟିବା ପରେ କଂଗ୍ରେସରେ କମ୍ପନ।

ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ଆଶା କରାଯାଉଥିଲା କଂଗ୍ରେସରେ କନ୍ଦଳ କମିବ। ବିଶୃଙ୍ଖଳା ଛାଡ଼ି ଶୃଙ୍ଖଳିତ ହେବେ କଂଗ୍ରେସ କର୍ମୀ। କିନ୍ତୁ ସେମିତି କିଛି ଘଟୁନାହିଁ। ପ୍ରସାଦ ହରିଚନ୍ଦନଙ୍କ ଅମଳରେ ଯାହା ଚାଲିଥିଲା ଏବେ ନିରଞ୍ଜନଙ୍କ ସମୟରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି।

କିଛିଦିନ ହେଲା ନୀରବ ରହିଥିବା କଂଗ୍ରେସ ଶିବିର ଗତ ଦୁଇ ଦିନ ହେଲା ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ନେଇ ହଲ୍‌ଚଲ୍ ହୋଇଯାଇଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ଗତ ଗୁରୁବାର ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ତାଙ୍କ ଜାଗାରେ ଅନ୍ୟତମ ବରିଷ୍ଠ ନେତା ଗଣେଶ୍ୱର ବେହେରାଙ୍କୁ ଅଧ୍ୟକ୍ଷ କରାଯାଇଛି। ଏହାକୁ ନେଇ ହିଁ କଂଗ୍ରେସରେ କମ୍ପନ ଦେଖାଦେଇଛି।

ଶ୍ରୀକାନ୍ତ ଇସ୍ତାହାର କମିଟିରୁ ହଟିଥିବାରୁ ବରିଷ୍ଠ ନେତାମାନେ ଏହାକୁ ସ୍ୱାଗତ କରିବା ସହ ଶ୍ରୀକାନ୍ତଙ୍କୁ କଟାକ୍ଷ କରିଛନ୍ତି। ଏପଟେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀକାନ୍ତ କଂଗ୍ରେସକୁ ବାଣ ମାରିଛନ୍ତି।

“ଶ୍ରୀକାନ୍ତଙ୍କୁ ଶୃଙ୍ଖଳିତ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଏବେ ଯଦି ସେ ନଚେତିବେ ତାହାଲେ ଆଗକୁ ପରିସ୍ଥିତି କ’ଣ ହେବ କହିବା ମୁସ୍କିଲ୍। ଅଧିକ ବିଶୃଙ୍ଖଳିତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ”, କହିଛନ୍ତି ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳ।

ଇସ୍ତାହାର କମିଟିରୁ ହଟିବା ପରେ ଶ୍ରୀକାନ୍ତ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଉପରେ ଆଙ୍ଗୁଳି ଉଠାଇଛନ୍ତି।

“ଇସ୍ତାହାର କମିଟି ଅଧ୍ୟକ୍ଷ ହେବା ପରେ ମୁଖବନ୍ଧ ପ୍ରସ୍ତୁତ କରି ପ୍ରଦେଶ କଂଗ୍ରେସ ଏବଂ ଏଆଇସିସି ସଦସ୍ୟଙ୍କ ପାଖକୁ ପଠାଇଥିଲି। ରାଜ୍ୟରେ ପୁଣିଥରେ ଦଳକୁ ମଜବୁତ କରିବା ଓ କ୍ଷମତାକୁ ଫେରାଇବା ପାଇଁ ତିନୋଟି ପ୍ରସ୍ତାବ ଦେଇଥିଲି। ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ନହୁଏ ତାହାଲେ ରାଜ୍ୟରେ କଂଗ୍ରେସ ପଙ୍ଗୁ ହୋଇଯିବ”, କହିଛନ୍ତି ଶ୍ରୀକାନ୍ତ ଜେନା।

ଶ୍ରୀକାନ୍ତଙ୍କର ପ୍ରଥମ ପ୍ରସ୍ତାବ ଥିଲା – ୨୦୧୯ରେ କଂଗ୍ରେସ କ୍ଷମତାକୁ ଆସିଲେ ଦଳିତ, ଆଦିବାସୀ ଓ ପଛୁଆ ବର୍ଗ ନେତାଙ୍କ ମଧ୍ୟରୁ ଗୋଟିଏ ବର୍ଗର ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ। ସାଧାରଣ ଏବଂ ଓବିସି ବର୍ଗରୁ ଜଣକୁ ଉପ-ମୁଖ୍ୟମନ୍ତ୍ରୀ କରାଯିବ।

ଦ୍ୱିତୀୟ ପ୍ରସ୍ତାବ ଥିଲା – ଯେଉଁ ଖଣି ମାଫିଆ ଲକ୍ଷ ଲକ୍ଷ ଟଙ୍କା ଲୁଟିଛନ୍ତି ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯାଉ। ଏହି ସମ୍ପତ୍ତିକୁ ଓଡ଼ିଶାର ବିକାଶରେ ଲଗାଯାଉ ଏବଂ ସେମାନଙ୍କୁ ଜେଲ ପଠାଯାଉ।

ତୃତୀୟ ପ୍ରସ୍ତାବ ଥିଲା – ମେଡିକାଲ, ଇଞ୍ଜିନିୟରିଂ, ଓ ଟେକ୍ନିକାଲରେ ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଲୋକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବା।

ଶ୍ରୀକାନ୍ତ ଏହି ଅବସରରେ ପଟ୍ଟନାୟକ ପରିବାରକୁ ଟାର୍ଗେଟ କରିଛନ୍ତି।

“ଓଡ଼ିଶାରେ ଦୁଇଟି ପରିବାର ୪୦ ବର୍ଷ ହେଲା ଶାସନ କଲେଣି। ଏବେ ବି ଶାସନ କରୁଛନ୍ତି। ରାଜ୍ୟର ୯୪ ଭାଗ ଲୋକ ପରିବର୍ତ୍ତନ ଚାହିଁଛନ୍ତି। ଜଣେ କଂଗ୍ରେସ ନେତା ଭାବେ ଗାଁକୁ ଯିବି। ଜନମତ ନିଆଯିବ। ପ୍ରତି ଗାଁରେ ଜନମତ ବାକ୍ସ ବସାଇ ଦୁଇଟି ପରିବାର ନା ୯୪ ପ୍ରତିଶତ ଲୋକ ରାଜ୍ୟକୁ ଶାସନ କରିବେ ସେନେଇ ମତାମତ ନିଆଯିବ”, କହିଛନ୍ତି ଶ୍ରୀକାନ୍ତ।

Comment