ଓଡ଼ିଶାଲାଇଭ୍‌ ବ୍ୟୁରୋ

“ମୋଦି ଗଣତନ୍ତ୍ର ପାଇଁ ଭିଲେନ୍” – କହିଲେ ପ୍ରଖ୍ୟାତ ଦକ୍ଷିଣ ଭାରତୀୟ ଅଭିନେତା ପ୍ରକାଶ ରାଜ୍‌। ଓଡ଼ିଶା ଜନଚେତନା ମଞ୍ଚ ପକ୍ଷରୁ ଉତ୍କଳ ମଣ୍ଡପରେ ଆୟୋଜିତ ‘ସମ୍ବିଧାନ ବଞ୍ଚାଅ’, ‘ଦେଶ ବଞ୍ଚାଅ’ କାର୍ଯ୍ୟକ୍ରମରେ ଯୋଗଦେଇ ସେ ମୋଦିଙ୍କୁ କଡ଼ା ସମାଲୋଚନା କରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ରହୁ ନଥିବା ଜଣେ ରାଜନେତା। ବିଧାନସଭା ନିର୍ବାଚନ ଆସିଲେ ହିଁ ତାଙ୍କୁ ଦେଖିବାକୁ ମିଳେ। ମୋଦିଙ୍କୁ ଦେଖିଲେ ମୋତେ ବିକ୍ରମ ବେତାଳଙ୍କ କାହାଣୀ ମନେ ପଡ଼ିଯାଏ। ମୋଦି ସବୁଠାରୁ ବଡ଼ ମିଛୁଆ, ସେ ଦେଶବାସୀଙ୍କୁ ପ୍ରତ୍ୟେକ ଦିନ ମିଛ କହୁଛନ୍ତି। ସେ ଦେଶବାସୀଙ୍କ ସମ୍ମୁଖରେ ଅଭିନୟ କରୁଛନ୍ତି, ହେଲେ ତାଙ୍କ ପାଖରେ ସାଧାରଣ ଜନତାଙ୍କ ଦୁଃଖ ଶୁଣିବାକୁ ସମୟ ନାହିଁ। କଳାକାରମାନଙ୍କଠୁ ବଳି ଅଭିନୟ କରିପାରନ୍ତି ସେ।”

ତାଙ୍କ ସମ୍ବୋଧନରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ବିଧାନ ହିଁ ନାଗରିକଙ୍କ ରକ୍ଷାକବଚ, କୌଣସି ଧର୍ମଗ୍ରନ୍ଥ ମନୁଷ୍ୟ ଜାତିର ରକ୍ଷା କବଚ ହୋଇପାରେନା। ସମ୍ବିଧାନ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗରୁ ଉର୍ଦ୍ଧ୍ବରେ ରହି ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରିଥାଏ। ପ୍ରକୃତରେ ଆମ ଦେଶ ସମ୍ୱିଧାନ ଦ୍ୱାରା ହିଁ ପରିଚାଳିତ ହେବ। କୌଣସି ବାଇବେଲ୍‌, କୋରାନ, ଗୀତା କି ବେଦ ଦ୍ୱାରା ଦେଶ ପରିଚାଳିତ ହୋଇପାରିବ ନାହିଁ।

“ଗଣତନ୍ତ୍ରରେ ଏକଚ୍ଛତ୍ରବାଦର କୌଣସି ସ୍ଥାନ ନାହିଁ। ହିଟଲରଙ୍କୁ ଦୁନିଆ ଦେଖିସାରିଛି। ଆଉ ଗୋଟିଏ ହିଟଲର ସୃଷ୍ଟି ନକରିବା ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥା ରହିଛି। କିନ୍ତୁ ଭାରତବର୍ଷରେ କ୍ଷମତାସୀନ ସରକାର ଅଣତାନ୍ତ୍ରିକ କାମ କରିଚାଲିଛି। ଜନସାଧାରଣ ୫ବର୍ଷ ତଳେ କରିଥିବା ଭୁଲ୍ ଆଗାମୀ ନିର୍ବାଚନରେ ଦୋହରାଇବେ ନାହିଁ ବୋଲି ମୁଁ ଆଶା କରୁଛି,” କହିଛନ୍ତି ପ୍ରକାଶ।

ପ୍ରକାଶ ରାଜ୍‌ ନିଜ ବକ୍ତବ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଅମିତ ଶାହଙ୍କ ବିଶେଷତ୍ୱ କ’ଣ? ଅମିତ ଏ ଦଳ ଓ ସେ ଦଳରୁ ବିଧାୟକ କିଣି ସରକାର କରିବେ। ସେ ଜଣେ ଚାଣକ୍ୟ। ସେହିପରି ଯୋଗୀ ନାମକରଣ କରିବାରେ ମାହିର। ହାଇଦ୍ରାବାଦ୍‌ ଆସି ତାର ନାମକୁ ଭାଗ୍ୟନଗର କରିବେ ବୋଲି କହିଥିଲେ ସେ। କେରଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଉଦ୍ଧାର ପାଇଁ ସାରା ଦେଶ ଏକଜୁଟ ହୋଇଥିଲା। ହେଲେ ଠିକ୍‌ ସେହି ସମୟରେ ସାବରିମାଲା ପ୍ରସଙ୍ଗରେ କେରଳକୁ ଭାଗ ଭାଗ କରି ଦିଆଗଲା।

ବୈଠକକୁ ତାଙ୍କୁ ଅଭିନେତା ଭାବରେ ଡକା ନଯାଇ ଜଣେ ନାଗରିକ ହିସାବରେ ଡକାଯାଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ।

ପ୍ରକାଶ ରାଜ୍‌ ପରିଶେଷରେ କହିଥିଲେ “ସରକାରଙ୍କୁ ପ୍ରତିଟି ପଦକ୍ଷେପରେ ପ୍ରଶ୍ନ ପଚାରିବା ସାଧାରଣ ଜନତାଙ୍କର ଅଧିକାର। ଯଦି ଆମେ କିଛି ପଚାରିବାନି, ସରକାର ଆମକୁ ମୂର୍ଖ ବନେଇଚାଲିବେ।”

LEAVE A REPLY

Please enter your comment!
Please enter your name here