କପିଳାସ ଭୂୟାଁ

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ହେଉଛି ଆମ ଦେଶର ସପ୍ତମ ବୃହତ୍ତମ ଜାତୀୟ ଉଦ୍ୟାନ। ଇଉନେସ୍କୋ ପକ୍ଷରୁ ଏହାକୁ ବାୟୋସ୍ଫିଅର ମାନ୍ୟତା ମଧ୍ୟ ମିଳିଛି।

ଶିମିଳିପାଳରେ ରହନ୍ତି ପ୍ରାୟ ୯୯ ମହାବଳ ବାଘ। ତେଣୁ ଶିମିଳିପାଳ ହେଉଛି ଏକ ବାଘ ସଂରକ୍ଷଣ ଅଞ୍ଚଳ। ଏହାଛଡା ଏଠାରେ ରହିଛନ୍ତି ପ୍ରାୟ ୪୩୨ ବଣୁଆ ହାତୀ।

ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଶିମିଳିପାଳର କୋର ଏରିଆରେ ନିର୍ବିଘ୍ନରେ ଚଳପ୍ରଚଳ କରନ୍ତି ବାଘ, ହାତୀ ଓ ଅନ୍ୟାନ୍ୟ ଜୀବଜନ୍ତୁ। କିନ୍ତୁ ଏହି କୋର ଏରିଆରେ ସାନ୍ତାଳ, ହୋ ଓ ଖଡିଆ ଆଦିବାସୀମାନଙ୍କର କେତେକ ଗାଁ ପୂର୍ବରୁ ରହିଥିଲା। ତେଣୁ ଜୀବଜନ୍ତୁ ଓ ମଣିଷମାନଙ୍କ ଭିତରେ ସଂଘର୍ଷମୟ ଅବସ୍ଥା ଲାଗି ରହୁଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୨୦୧୩ ମସିହାଠାରୁ ଶିମିଳିପାଳର କୋର ଏରିଆରେ ଥିବା ଏକାଧିକ ଗାଁକୁ ଅନ୍ୟତ୍ର ଉଠାଇନେବା ଆରମ୍ଭ କରାଗଲା। ସେହି ପଦକ୍ଷେପ ଅନୁଯାୟୀ ୨୦୧୬ ମସିହାରେ ଶିମିଳିପାଳର କୋର ଏରିଆରେ ଥିବା କବାଟଘାଇ ଓ କିଆଝରୀ ଗାଁ ଦୁଇଟିକୁ ଉଠାଇ ନିଆଯାଇ ଯଶିପୁର ବ୍ଲକର ମଣଦା ଓ ଅନୁକୂଳପୁର ଏବଂ କରଞ୍ଜିଆ ବ୍ଲକର ଖଣ୍ଡିଆଦର ଠାରେ ପୁନର୍ବାସ ବ୍ୟବସ୍ଥା କରାଗଲା।

ଗାଁ ଉଠାଇବା ପାଇଁ ଜଙ୍ଗଲ ବିଭାଗର ନିୟମ ଅନୁଯାୟୀ ସରକାରଙ୍କ ପକ୍ଷରୁ ପ୍ରତି ପରିବାରକୁ ଆର୍ଥିକ କ୍ଷତିପୂରଣ ଦିଆଯିବା ସହ ପୁନର୍ବାସ କଲୋନୀରେ ୧୦ ଡିସିମିଲ ଜାଗା ଦିଆଗଲା। ସେହି ଜାଗାରେ ଘର ତିଆରି କରିବା ପାଇଁ ସରକାରଙ୍କ ବିଜୁ ପକ୍କା ଘର ଯୋଜନାରେ ଆର୍ଥିକ ସାହାଯ୍ୟ ମଧ୍ୟ ଦିଆଗଲା।

ପୁନର୍ବାସ କଲୋନୀରେ ରାସ୍ତା ଘାଟ ସହ ନିଷ୍କାସନ ନାଳ ସରକାରଙ୍କ ତରଫରୁ କରିଦିଆ ଯାଇଛି। ସୋଲାର ଲାଇଟ ସହ ବିଦ୍ୟୁତ ଆଲୋକ ମଧ୍ୟ ଯୋଗାଇ ଦିଆ ଯାଇଛି। ବୋରିଂ କରି ନଳକୂପ ବସାଇବା ସହ ସେଠାରୁ ପାଣି ଉଠାଇ ଟାଙ୍କିକୁ ନେଇ ପାଇପ ଦ୍ଵାରା ସମସ୍ତଙ୍କୁ ଯୋଗାଇ ଦିଆଯାଉଛି।

କବାଟଘାଇରୁ ବିସ୍ଥାପିତ ହୋଇଥିବା ସମୁଦାୟ ୪୭ ପରିବାରରୁ ଯଶିପୁର ବ୍ଲକର ମଣଦା ଠାରେ ୪୦ ପରିବାର ଓ  ଅନୁକୂଳପୁର ଠାରେ ଅନ୍ୟ ସାତଟି ପରିବାରକୁ ପୁନର୍ବାସ ବ୍ୟବସ୍ଥା କରାଯାଇଛି। ଏଠାରେ ଅଧିକାଂଶ ପରିବାର ହେଉଛନ୍ତି ସାନ୍ତାଳ ଆଦିବାସୀ।

ସେହିଭଳି କିଆଝରୀ ଗାଁରୁ ବିସ୍ଥାପିତ ହୋଇଥିବା ୩୨ ହୋ ଓ ୪୭ ଖଡିଆ ଆଦିବାସୀ ପରିବାରକୁ କରଞ୍ଜିଆ ବ୍ଲକର ଖଣ୍ଡିଆଦର ଠାରେ ଦୁଇଟି ଅଲଗା ଅଲଗା କଲୋନୀରେ ପୁନର୍ବାସ କରା ଯାଇଛି।

ଏବେ ମଣଦା, ଅନୁକୂଳପୁର ଓ ଖଣ୍ଡିଆଦର ଠାରେ ସମସ୍ତ ୧୨୬ ଆଦିବାସୀ ପରିବାର ବିଜୁ ପକ୍କା ଘର କରି ଭଲରେ ରହୁଛନ୍ତି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

Comment