ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିଜିଟାଲରେ ଟଙ୍କା କାରବାର କରିବା ବେଳେ ଭୁଲ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବାର ଅନେକ ଆଶଙ୍କା ଥାଏ। ଭୁଲ ତଥ୍ୟ କିମ୍ବା ଭୁଲ ନମ୍ବର ଯୋଗୁଁ ଅନେକ ସମୟରେ ଭୁଲ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଯାଇଥାଏ। ଏଭଳି ସ୍ଥିତିରେ ଟଙ୍କା ଫେରି ପାଇବାର ଉପାୟ ଜାଣିନଥିବା ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି।

ତେବେ ଏନେଇ ବ୍ୟସ୍ତ ହେବାର ନାହିଁ। ଭୁଲ ଖାତାକୁ ଟ୍ରାନ୍ସଫର ହୋଇଥିବା ଟଙ୍କାକୁ ଆପଣ ସହଜରେ ପାଇପାରିବେ। ପ୍ରଥମେ ଆପଣ ନିଜ ବ୍ୟାଙ୍କକୁ ଯାଇ ଶାଖା ପରିଚାଳକଙ୍କୁ ଅବଗତ କରାନ୍ତୁ। ଫୋନ୍ କିମ୍ବା ଇ-ମେଲ୍ ମାଧ୍ୟମରେ ବି ଜଣାଇପାରିବେ। ବ୍ୟାଙ୍କକୁ ଟଙ୍କା ପଠାଇବାର ତାରିଖ, ସମୟ, ନିଜ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଯେଉଁ ବ୍ୟାଙ୍କକୁ ଭୁଲରେ ଟଙ୍କା ଟ୍ରାନ୍ସଫର ଏବଂ କେତେ ଟଙ୍କା ଟ୍ରାନ୍ସଫର ହୋଇଛି ତାହାର ବିବରଣୀ ଦିଅନ୍ତୁ।

ଭୁଲ୍ ଖାତାରେ ଟ୍ରାନ୍ସଫର ହୋଇଥିବା ବ୍ୟାଙ୍କ ଶାଖାକୁ ମଧ୍ୟ ଯୋଗାଯୋଗ କରି ଭୁଲରେ ହୋଇଥିବା ଟ୍ରାନ୍ସଫର ବିଷୟରେ ଜଣାନ୍ତୁ। ଅଭିଯୋଗ ପରେ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଟଙ୍କା ଟ୍ରାନ୍ସଫର କରିବା ପାଇଁ ଅନୁମତି ମାଗିବ। ଗ୍ରାହକଙ୍କ ଅନୁମତି ପରେ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯିବ। ଯଦି ଭୁଲରେ ଟଙ୍କା ପାଇଥିବା ବ୍ୟକ୍ତି ଟଙ୍କା ଫେରାଇବାକୁ ମନାକରନ୍ତି ଆପଣ ଆଇନର ଆଶ୍ରୟ ନେଇପାରିବେ। ଆରବିଆଇ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି।

Comment