ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଆଗାମୀ ୨୦୧୯ ନିର୍ବାଚନ ପାଖେଇ ଆସୁଥିଲା ବେଳେ ବିଜେପି ବ୍ୟତୀତ ଅନ୍ୟ ଦଳର ନଜର ବି ଓଡ଼ିଶା ଉପରେ ପଡ଼ିଛି। ଖବର ମିଳିଛି ଯେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ଦଳ ପକ୍ଷରୁ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଦିଆଯିବ। ଏ ନେଇ ଏକ ଆନୁଷ୍ଠାନିକ ଘୋଷଣା କରାଯାଇଛି।

ଓଡ଼ିଶା ଦାୟିତ୍ୱରେ ଥିବା ଟିଡିପିର ରାଜେଶ ପାତ୍ର କହିଛନ୍ତି ଯେ ଟିଡିପି ୫୨ ବିଧାନସଭା ଓ ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଛିଡ଼ା କରିବ। ବିଶେଷ କରି ଓଡ଼ିଶାର ଯେଉଁ ସବୁ ଇଲାକାରେ ତେଲୁଗୁ ଜନସଂଖ୍ୟା ରହୁଛନ୍ତି ସେହି ସବୁ ଅଞ୍ଚଳରେ ଟିଡିପିର ପ୍ରାର୍ଥୀ ଲଢ଼ିବେ।

ରାଜେଶ କହିଛନ୍ତି ଯେ ମୁଖ୍ୟତଃ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ୍, ଗଜପତି ଓ ମାଲକାନଗିରି ଜିଲ୍ଲାକୁ ଟିଡିପି ଟାର୍ଗେଟ କରିବ। ଟିଡିପି ନେତୃତ୍ୱ ଏହି ସବୁ ଜିଲ୍ଲାରୁ ଭୋଟ ପାଇବା ପାଇଁ ବେଶ୍ ଆଶାବାଦୀ। ଅନୁମାନ କରାଯାଉଛି କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ ଆସ୍କା ଲୋକସଭା ଆସନରେ ଟିଡିପି ପ୍ରାର୍ଥୀ ଠିଆ କରିବା ପରେ ଅନ୍ୟ ଲୋକସଭା ନିର୍ବାଚନ ମଣ୍ଡଳୀ କଥା ବିଚାର କରାଯିବାର ସମ୍ଭାବନା ରହିଛି। ଟିଡିପି ମୁଖ୍ୟଙ୍କ ଦ୍ୱାରା ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ପାତ୍ର କହିଛନ୍ତି।

ସେହିଭଳି ୫୨ ବିଧାନସଭା ଆସନ ପାଇଁ ଦଳ ପକ୍ଷରୁ ଏକ ସର୍ଭେ କରାଯାଇଥିଲା ଯେଉଁଠି ପ୍ରାର୍ଥୀ ଦିଆଯିବ। ଓଡ଼ିଶାର ତେଲୁଗୁ ଭୋଟରମାନଙ୍କୁ ଦଳ ପକ୍ଷରୁ ଚନ୍ଦ୍ରବାବୁ ନାଇଡୁଙ୍କ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ କୁହାଯିବ ବୋଲି ପାତ୍ର ପ୍ରକାଶ କରିଛନ୍ତି।

ବରିଷ୍ଠ ବିଜେଡି ନେତା ଓ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ତେଲୁଗୁ ଦେଶମ ପ୍ରାର୍ଥୀ ଦେଲେ ତାଙ୍କ ଦଳ କିମ୍ବା ଓଡ଼ିଶା ରାଜନୀତି ଉପରେ କୌଣସି ପ୍ରକାର ପ୍ରଭାବ ପକାଇବ ନାହିଁ। କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ତେଲୁଗୁ ଦେଶମ ପ୍ରାର୍ଥୀମାନେ ବିଜେଡି ଭୋଟକୁ ଖାଇବେ ଓ ତାହା ଦ୍ୱାରା କଂଗ୍ରେସର ହିଁ ଫାଇଦା ହେବ। ତେଣେ ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ ତେଲୁଗୁ ଦେଶମ ପ୍ରାର୍ଥୀ ଦେଲେ ଓଡ଼ିଶା ରାଜନୀତି ଉପରେ ଏହା କିଛି ପ୍ରଭାବ ପକାଇବ ନାହିଁ।

ଦକ୍ଷିଣ ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଉପରେ ତେଲୁଗୁ ଦେଶମ ଆଖି ପକାଇଥିବା ବେଳେ ଉତ୍ତର ଓଡ଼ିଶାରେ ନିଖିଳ ଭାରତ ତୃଣମୂଳ କଂଗ୍ରେସ ମଧ୍ୟ ଓଡ଼ିଶାରେ ପଶିବାକୁ ଚାହୁଁଛି। ମମତା ବାନାର୍ଜୀ ଘୋଷଣା କରିସାରିଛନ୍ତି ଯେ ଓଡ଼ିଶାରେ ଆସନ୍ତା ନିର୍ବାଚନରେ ଟିଏମସି ପ୍ରାର୍ଥୀ ଦେବ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସଭାପତି ଶିବୁ ସୋରେନ୍ ମଧ୍ୟ କିଛି ଆସନରେ ବିଶେଷ କରି ମୟୁରଭଞ୍ଜ ଜିଲ୍ଲାରେ ପ୍ରାର୍ଥୀ ଦେବା ପାଇଁ ମସୁଧା କରୁଛନ୍ତି।

Comment