ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମଙ୍ଗଳବାର ଦିନର ଭୋଟ ଫଳାଫଳ ସହିତ ରାହୁଲ ଗାନ୍ଧିଙ୍କ କଂଗ୍ରେସ ଦଳ ଶେଷରେ ତାର ଅବକ୍ଷୟକୁ ରୋକିପାରିଛି। ୨୦୧୩ ରେ ଏହି ତିନିଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କ୍ଷମତାଚ୍ୟୁତ ହେବା ପରେ ୧୩୩ ବର୍ଷ ପୁରୁଣା ଦଳକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଚାଲିଥିଲା। ପାଞ୍ଚ ବର୍ଷ ପରେ ଏବେ ରାଜନୀତି ପଲଟି ମାରିଛି।

ଭାରତର ହୃଦୟ କୁହାଯାଉଥିବା ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଜିତିବା ସହିତ ୨୦୧୯ ମହାସମର ପାଇଁ କଂଗ୍ରେସକୁ ଯଥେଷ୍ଟ ଶକ୍ତି ଓ ସାହସ ମିଳିଛି। ଏଥି ସହିତ କଂଗ୍ରେସ ଦଳ ଉପରେ ରାହୁଲ ଗାନ୍ଧୀଙ୍କ ପକ୍କଡ ମଧ୍ୟ ଶକ୍ତିଶାଳୀ ହୋଇଛି। ୨୦୧୪ରେ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଓ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ହାରିବା ଫଳରେ  ସମସ୍ତେ ପ୍ରାୟ କଂଗ୍ରେସର ଭବିଷ୍ୟତ ଉପରେ ଡୋରି ବାନ୍ଧି ଦେଇଥିଲେ।

କଂଗ୍ରେସର ଏହିଭଳି ଦୟନୀୟ ସ୍ଥିତି ଯୋଗୁଁ ଦଳ ତାର ମୂଳଚାଲ ଶକ୍ତି ବି ହରାଇବସିଥିଲା ଓ ଆଞ୍ଚଳିକ ଦଳମାନେ ଏହି ଦଳକୁ ଗୁରୁତ୍ୱ ଦେଉନଥିଲେ। ବିଭିନ୍ନ ସମୟରେ ମେଣ୍ଟ ଗଠନ ଅବଶ୍ୟ ହେଉଥିଲା, କିନ୍ତୁ ସେଗୁଡିକ  ଭାଙ୍ଗି ଯାଉଥିଲା। ମଙ୍ଗଳବାର ଦିନର ଫଳାଫଳ ଏହି ସ୍ଥିତିକୁ ପୂରାପୂରି ବଦଳାଇଦେଇଛି।

ଆଗକୁ କଣ ହେବ ଆସନ୍ତୁ ଦେଖିବା…

ପ୍ରଥମେ, ପୂର୍ବର ସବୁ ନିର୍ବାଚନରେ ହାରିବା ପରେ କଂଗ୍ରେସର ନେତା ଓ କର୍ମୀମାନେ ନିରୁତ୍ସାହିତ ହୋଇ ପଡ଼ିଥିଲେ। ବିଜେପି ଦେହରେ କେହି ହାତ ମାରିପାରିବେ ନାହିଁ ଏହିଭଳି ଏକ ଧାରଣା ସୃଷ୍ଟି ହୋଇଥିଲା। ଗୁଜରାଟରେ ଦଳ କ୍ଷମତାର ପାଖାପାଖି ହୋଇଯାଇଥିଲା ଅଥଚ ସରକାର ଗଢ଼ି ପାରିନଥିଲା। ଏବେ ଏହି ପରିସ୍ଥିତି ବଦଳିବାକୁ ଯାଉଛି। ଖରାପ ସମୟ ଚାଲି ଯାଇଥିବାରୁ ଦଳ ଏବେ ଆଗକୁ ସାହସର ସହିତ ଆଗେଇ ଚାଲିଵ। ଆସନ୍ତା ଲୋକସଭା ନିର୍ବାଚନରେ ଏହି ତିନି ରାଜ୍ୟରୁ ପ୍ରାୟ ୪୫ ଆସନରେ କଂଗ୍ରେସ ଜିତିବ କେବଳ ନୁହେଁ ଅନ୍ୟଭାବେ ମଧ୍ୟ ଦଳ ପାଇଁ ଏହି ନିର୍ବାଚନ ଜବରଦସ୍ତ ଫାଇଦା ମଧ୍ୟ  ଯୋଗାଇବ। ତିନି ରାଜ୍ୟରେ ସରକାର ଗଠନ ପରେ  ଦଳର ପାଣ୍ଠି ଅବସ୍ଥା ମଧ୍ୟ ବଢିବ। ଏବେ କଂଗ୍ରେସର ଆର୍ଥିକ ଅବସ୍ଥା ଗୁରୁତର ହୋଇଥିବାରୁ ଯେମିତି ଖର୍ଚ୍ଚ ହେବା କଥା ତାହା ହୋଇପାରୁନାହିଁ।

ଦ୍ଵିତୀୟରେ ମୋଦି ବିରୋଧୀ ଶକ୍ତିଙ୍କ ରାହୁଲ ଏବେ ମୁଖ୍ୟ ନେତା  ହୋଇ ବାହାରିବେ। ନିଜ ଦଳକୁ କ୍ଷମତାରେ ବସାଇବା ବ୍ୟତୀତ ରାଜ୍ୟ ନେତାମାନଙ୍କ ମଧ୍ୟରେ ମଧ୍ୟ ସେ ଏଣିକି ଗ୍ରହଣୀୟ ହେବା ସୁନିଶ୍ଚିତ। ଅବଶ୍ୟ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ରାହୁଲ ମାତ ଦେଇପାରିବେ କି ନା ସେ କଥା କହିବା କଷ୍ଟ। କିନ୍ତୁ ଏକଥା ନିଶ୍ଚିତଯେ ମୋଦିଙ୍କ ବିରୁଦ୍ଧରେ ୨୦୧୯ରେ ଏକ ବିଶ୍ୱାସନୀୟ ବିକଳ୍ପ ରାହୁଲ ଛିଡ଼ା କରାଇପାରିବେ।ଏବେ କେହି ଆଉ ରାହୁଳଙ୍କୁ ‘ପପୁ’ ବୋଲି କହିବାକୁ ସାହସ କରିବେ ନାହିଁ।

ତୃତୀୟ କଥା ହେଉଛି ଆଗାମୀ ଦିନରେ ଜାତୀୟ ସ୍ତରରେ ମେଣ୍ଟର ପରିକଳ୍ପନା ଜୋର ଧରିବ। ବିଭିନ୍ନ ରାଜନୈତିକ ଦଳ ସହ ମେଣ୍ଟ ବେଳେ କଂଗ୍ରେସର ମୂଳଚାଲ ଏହା ପରେ କଡ଼ା ହେବ। ଆଞ୍ଚଳିକ ଦଳର ନେତାମାନେ ଆଗ ଭଳି ଆଉ ଅଧିକ ସଂଖ୍ୟକ ସ୍ଥାନ କଂଗ୍ରେସ ଠାରୁ ଦାବି କରିବେ ନାହିଁ। ଦେଶର ସବୁ ବିରୋଧୀ ଦଳର ନେତାଙ୍କୁ ଏକାଠି କରି ମୋଦିଙ୍କ ବିରୁଦ୍ଧରେ ଲଢେଇ ଜୋରଦାର କରିବା କାମ ମୁଖ୍ୟତଃ ଏବେ ରାହୁଲ ଗାନ୍ଧିଙ୍କର। ବର୍ତ୍ତମାନ କଂଗ୍ରେସକୁ ‘ଦେବାନେବା’ ନୀତି ଉପରେ ଅଧିକ ଚାଲିବାକୁ ହେବ। ତେବେ ଯାଇ ୨୦୧୯ରେ ଗଣିତ ବଦଳିବ।

Comment