ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଜବରଦସ୍ତ ସଫଳତା ମିଳିଛି। ଲୋକସଭା ନିର୍ବାଚନ ପୂର୍ବରୁ ଏହି ୫ ବିଧାନସଭା ନିର୍ବାଚନକୁ ସେମି ଫାଇନାଲ କୁହାଯାଉଥିଲା। ସେମି ଫାଇନାଲରେ ବିଜେପି ବଡ଼ ଧକ୍କା ଖାଇଛି। ଏହାର ତିନୋଟି ଯାକ ରାଜ୍ୟ ହାତରୁ ଖସିବା ଏକ ରକମ ନିଶ୍ଚିତ।

୨୦୧୪ ଲୋକସଭା ନିର୍ବାଚନରେ ଏହି ତିନି ରାଜ୍ୟ ଯଥା ଛତିଶଗଡ଼, ମଧ୍ୟପ୍ରଦେଶ ଓ ରଜସ୍ଥାନ ମୋଟ ୬୫ଟି ଆସନ ଦେଇଥିଲେ। ଆଗାମୀ ଲୋକସଭା ନିର୍ବାଚନରେ ଏଥି ଭିତରୁ ଗୁଡ଼ାଏ ଆସନ ବିଜେପି ଖାତାରୁ କଟିବା ସ୍ପଷ୍ଟ।

ତେଣେ ତେଲେଙ୍ଗାନାରେ କେ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ ବିପୁଳ ପରିମାଣର ସଫଳତା ହାସଲ କରିଛି। ସେଠି ପୁଣି ଟିଆରଏସ ସରକାର ଗଠନ କରିବ। ତେଲେଙ୍ଗାନା ଫଳାଫଳରୁ ଚନ୍ଦ୍ରଶେଖର ରାଓଙ୍କ ରାଜ୍ୟରେ ଆଗୁଆ ନିର୍ବାଚନ କରାଇବା ନିଷ୍ପତ୍ତିକୁ ସମର୍ଥନ ମିଳିଛି। ମିଜୋରାମରେ କଂଗ୍ରେସକୁ ହାରିବାକୁ ପଡିଛି। ସେଠି ମିଜୋ ନ୍ୟାସନାଲ ଫ୍ରଣ୍ଟର ପ୍ରାର୍ଥୀମାନେ ଜିତି ଚାଲିଛନ୍ତି।

ଆଜିର ଫଳାଫଳରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ କଂଗ୍ରେସକୁ ଲୋକେ ପୁଣି ଗ୍ରହଣ କରିବାକୁ ଆରମ୍ଭ କଲେଣି। ରାଜସ୍ଥାନରେ ତ ରାହୁଲଙ୍କ ଦଳକୁ ଅସାଧାରଣ ସଫଳତାର ମିଳିଛି। ୨୦୦ ସ୍ଥାନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ଦୁଇ ତୃତୀୟାଂଶ ଆସନ ପାଇଁ ସରକାର ଗଠନ କରିବାକୁ କଂଗ୍ରେସ ଯାଉଛି। ଛତିଶଗଡ଼ରେ ମଧ୍ୟ ୯୦ ଆସନ ମଧ୍ୟରୁ କଂଗ୍ରେସକୁ ଅଧାରୁ ଅଧିକ ଆସନ ପ୍ରାପ୍ତ ହୋଇଛି। ମଧ୍ୟପ୍ରଦେଶ ଗୋଟିଏ ରାଜ୍ୟ ଯେଉଁଠି କଂଗ୍ରେସ ଓ ବିଜେପି ଭିତରେ କଣ୍ଟାକଣ୍ଟି ପ୍ରତିଯୋଗିତା ଚାଲୁଥିବା ଦେଖାଯାଉଛି।

ମଧ୍ୟ ଭାରତର ଏହି ତିନିଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ କଂଗ୍ରେସର ବିଜୟ ଦଳକୁ ଏକ ନୂଆ ସ୍ଥିତିରେ ଥୋଇଛି। ଦଳ ପାଇଁ ଏହି ବିଜୟ ନୈତିକ ସ୍ତରରେ  କାମ କରିବ ବୋଲି ଆଶା କରାଯାଉଛି। ୨୦୧୪ ସାଧାରଣ ନିର୍ବାଚନରେ ମୋଦି ଓ ଶାହଙ୍କ ଯୋଡ଼ିକୁ ପ୍ରଥମ ଥର ପାଇଁ ମସ୍ତବଡ଼ ଧକ୍କା ପହଞ୍ଚିଛି। କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ମୋଦି ଓ ଶାହ ଯେଉଁଭଳି ତାତ୍ସଲ୍ୟ କରି ଆସୁଥିଲେ ତାହା ପଲଟିଯାଇଛି।

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ କଂଗ୍ରେସ ଚନ୍ଦ୍ରବାବୁ ନାଇଡୁଙ୍କ ସହ ମିଶି ଯେଉଁ ମେଣ୍ଟ ଗଢ଼ିଥିଲେ ତାହା କାମ ଦେଇନାହିଁ। ବିଜେପି ତେଲେଙ୍ଗାନରେ ଏକଲା ଲଢ଼ୁଥିଲା।

LEAVE A REPLY

Please enter your comment!
Please enter your name here