ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଛତିଶଗଡ଼ରେ ୧୫ ବର୍ଷ ପରେ କଂଗ୍ରେସ କ୍ଷମତାକୁ ଫେରିଛି। ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଲାଭ କରିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଅଙ୍କ କଷା ଆରମ୍ଭ ହୋଇଛି। ୨୦୦୩ ମସିହା ପର୍ଯ୍ୟନ୍ତ କଂଗ୍ରେସ ଛତିଶଗଡ଼ରେ କ୍ଷମତାରେ ଥିଲା। କଂଗ୍ରେସ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏବେ ୪ ଜଣଙ୍କ ନାମ ଶୁଣାଯାଉଛି। ଏମାନେ କିଏ ଜାଣନ୍ତୁ।

ତ୍ରିଭୁବନ ସିଂହଦେଓ
ଛତିଶଗଡ଼ରେ ‘ଟିଏସ ବାବା’ ନାମରେ ପରିଚିତ ତ୍ରିଭୁବନେଶ୍ୱର ଶରଣ ସିଂହଦେଓ ବର୍ତ୍ତମାନ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ। ଛତିଶଗଡ଼ରେ ସବୁଠାରୁ ଧନୀ ପରିବାର ଓ ସରଗୁଜା ରାଜ ପରିବାରର ସଦସ୍ୟ ସେ। ଅମ୍ବିକାପୁର ଆସନରୁ ସେ ବିଜୟ ଲାଭ କରିଛନ୍ତି।

ଚରଣଦାସ ମହନ୍ତ
କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ଚରଣଦାସ ମହନ୍ତ ସାତକି ବିଧାନସଭା ଆସନରେ ବିଜୟ ଲାଭ କରିଛନ୍ତି। ସେ ବି ମୁଖ୍ୟମନ୍ତ୍ରୀ ପଦର ପ୍ରବଳ ଦାବିଦାର। ତାଙ୍କ ସହିତ ବିଜେପିର ମେଘରାମ ସାହୁ ନିର୍ବାଚନ ଲଢ଼ୁଥିଲେ।

ଭୁପେଶ ବାଘେଲ
ଛତିଶଗଡ଼ ପିସିସିର ବର୍ତ୍ତମାନ ଅଧ୍ୟକ୍ଷ ଥିବା ଭୁପେଶ ବାଘେଲ ଜଣେ ବଳୁଆ ନେତା ଭାବେ ପରିଚିତ। ବିଭିନ୍ନ ବିବାଦରେ ମଧ୍ୟ ସେ ଫସିଛନ୍ତି ଓ କେତେଥର ଜେଲ ବି ଯାଇଛନ୍ତି। ଏହି ନିର୍ବାଚନରେ କଂଗ୍ରେସର ବିଜୟ ପଛରେ ବାଘେଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମୁଖ୍ୟମନ୍ତ୍ରୀ ରେସରେ ସେ ବି ଆଗୁଆ ଅଛନ୍ତି। ପାଟନ ଆସନରୁ ସେ ଲଢ଼ୁଥିଲେ। ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ବି ବିଚାର କରାଯାଉଛି।

ତାମ୍ରଧ୍ୱଜ ସାହୁ
ଛତିଶଗଡ଼ କଂଗ୍ରେସର ଏକ ମାତ୍ର ଲୋକସଭା ସଦସ୍ୟ ତାମ୍ରଧ୍ୱଜ ସାହୁଙ୍କୁ ଓବିସିର ଚେହେରା ବୋଲି ଧରାଯାଇଥାଏ। କଂଗ୍ରେସର ଗୋଷ୍ଠୀ କନ୍ଦଳ ଭିତରେ ଏଥର ତାଙ୍କୁ ଟିକେଟ ମିଳିଥିଲା। ତାଙ୍କ ନାମ ବି ମୁଖ୍ୟମନ୍ତ୍ରୀ ଦାବିଦାର ତାଲିକାରେ ରହିଛି।

Comment