ଓଡ଼ିଶାଲାଇଭ୍ ବ୍ୟୁରୋ

ତିନି ରାଜ୍ୟରେ ବହୁମତ ହାସଲ କରି କଂଗେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ହେଲେ ବିରୋଧୀଙ୍କ ନମ୍ବର ୧ ନେତା।

ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନ ଫଳାଫଳ ରାହୁଲ ଗାନ୍ଧିଙ୍କ ନେତୃତ୍ଵରେ ମୋହର ଲଗାଇଛି। ଏହି ଫଳାଫଳ ସହ ରାହୁଲଙ୍କୁ ବିରୋଧୀଙ୍କ ନମ୍ବର ୧ ନେତା ବୋଲି କୁହାଯାଉଛି।

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ୫ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ, ତେଲେଙ୍ଗାନା, ରାଜସ୍ଥାନରେ ବିଧାନସଭା ନିର୍ବାଚନର ଫଳାଫଳ ଆସିସାରିଛି।

୨୦୧୯ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ଏହି ନିର୍ବାଚନରେ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସ ବହୁମତ ହାସଲ କରିଛି। ଏହି ରାଜ୍ୟ ଗୁଡ଼ିକରେ ବିଜେପି ନିଜର ସତ୍ତା ହରାଇଛି।

ଗୋଟିଏ ପଟେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସହିତ ବିଜେପିର ବହୁ ବରିଷ୍ଠ ନେତା ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ମାତ୍ର ତାହା କାମ ଦେଇନାହିଁ।

ଗତ କିଛି ବର୍ଷ ଭିତରେ ଏଭଳି ପ୍ରଥମ ଥର ହୋଇଛି କଂଗ୍ରେସ ବିଜେପି ସହ ସିଧା ଟକ୍କର କରି  ବାଜିମାତ କରିଛି। ଏହାପରେ କଂଗ୍ରେସର ମନୋବଳ ସୁଦୃଢ ହୋଇଛି। “୨୦୧୯ ନିର୍ବାଚନରେ ବିଜେପି ଶାସିତ ରାଜ୍ୟ ସହିତ ଅନ୍ୟ ରାଜ୍ୟ ଗୁଡ଼ିକରେ କଂଗ୍ରେସ ବହୁମତ ହାସଲ କରି ସତ୍ତାକୁ ଫେରିବ”, କହିଛନ୍ତି ରାହୁଲ ଗାନ୍ଧି।

ବିଜୟର କାରଣ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିଜେପିକୁ ଆକ୍ରମଣ ବୋଲି କୁହାଯାଉଛି। ନିର୍ବାଚନ ପାଇଁ ରାହୁଲ କରିଥିବା ସମସ୍ତ ରାଲି ଓ ରୋଡ଼ ଶୋରେ ରାଫେଲ୍‌, ସିବିଆଇ, ଆରବିଆଇ ପ୍ରସଙ୍ଗରେ ହିଁ ଫୋକସ କରିଥିଲେ। ଏହାକୁ ମୁଖ୍ୟ ପ୍ରସଙ୍ଗ କରି ରାହୁଲ ବିଜେପିକୁ ଟାର୍ଗେଟ କରିଥିଲେ।

ଦେଶର ଗୁରତ୍ଵପୂର୍ଣ୍ଣ ପ୍ରସଙ୍ଗରେ ରାହୁଲ ଆଲୋଚନା କରି ସରକାରଙ୍କଠାରୁ ଜବାବ ମାଗିଥିବାରୁ ଲୋକଙ୍କ ସମର୍ଥନ ମିଳିଛି। ସେ ସଫଳତା ପାଇଛନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

ବିଜେପି ପାଇଁ ରାହୁଲ ଏବେ ବିରୋଧୀଙ୍କ ନମ୍ବର ୧ ନେତା ଭାବେ ଠିଆ ହୋଇଛନ୍ତି। ଏହି ଦୃଷ୍ଟିରୁ ମୋଦିଙ୍କ ପାଇଁ ୨୦୧୯ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିବା  କଷ୍ଟ ହେବ ବୋଲି ଅନୁମାନ କରାଯାଉଛି।

Comment