ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଆରବିଆଇ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସରକାର ତାଙ୍କୁ ୩ ବର୍ଷ ପାଇଁ ନିଯୁକ୍ତି କରିଛନ୍ତି। ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନୋଟବନ୍ଦୀ ଘୋଷଣା କରିବା ପୂର୍ବରୁ ଯେଉଁ ଟିମ୍ ଏହି ବିଷୟ ଉପରେ ନିଷତ୍ତି ନେଇଥିଲେ ଶକ୍ତିକାନ୍ତ ଦାସ ଏଥିରେ ମୁଖ୍ୟ ଥିଲେ।

ନୋଟବନ୍ଦୀ ଲାଗୁ ହେବା ପରେ ଯେଉଁ ଛୋଟ ବଡ଼ ଘୋଷଣା କରାଯାଇଥିଲା ସେଥିରେ ମୁଖ୍ୟ ଭୂମିକା ତୁଲାଉଥିଲେ। ମେ ୨୦୧୭ରେ ସରକାର ଏକ ଟଙ୍କିଆ ନୋଟ୍ ଛାପିବାର ଘୋଷଣା କରିଥିଲେ। ଭାରତ ସରକାରଙ୍କ ତରଫରୁ ଜାରି ହୋଇଥିବା ଏହି ନୋଟରେ ଶକ୍ତିକାନ୍ତ ଦାସଙ୍କ ହସ୍ତାକ୍ଷର ରହିଥିଲା।

ଫୋକସରେ ସରକାର ଓ ରିଜର୍ଭ ବ୍ୟାଙ୍କ ବିବାଦ

ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଯେଉଁ ଫାଟ ସୃଷ୍ଟି ହୋଇଛି ତାହାକୁ ବନ୍ଦ କରି ଉଭୟ ଅନୁଷ୍ଠାନ ଭିତରେ ଏକ ବିଶ୍ଵାସର ବାତାବରଣ ସୃଷ୍ଟି କରିବା ଶକ୍ତିକାନ୍ତଙ୍କ ପ୍ରଥମ କାମ। କାରଣ ବିଗତ କିଛି ମାସ ହେଲାଣି ଦୁଇ ପକ୍ଷ ମଧ୍ୟରେ ସମ୍ପର୍କ ବହୁତ ଖରାପ ସ୍ତରକୁ ଚାଲିଯାଇଛି। ସେହି ସମ୍ପର୍କରେ ଶକ୍ତିକାନ୍ତଙ୍କୁ ଉନ୍ନତି ଆଣିବାକୁ ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କର ଗୌରବ ଫେରାଇ ଆଣିବା ପାଇଁ ତାଙ୍କୁ କାମ କରିବାକୁ ପଡ଼ିବ।

ଯେଉଁ ୧୧ଟି ସରକାରୀ ବ୍ୟାଙ୍କ ଉପରେ ଋଣ ପ୍ରଦାନ କରିପାରିବେ ନାହିଁ ବୋଲି କଟକଣା ଲଗା ଯାଇଛି ତାହାକୁ ହଟାଇବା ଦିଗରେ ଉଦ୍ୟମ କରିବାକୁ ହେବ। ରିଜର୍ଭ ବ୍ୟାଙ୍କ ଭଣ୍ଡାର ପାଖାପାଖି ସାଢ଼େ ନଅ ଲକ୍ଷ କୋଟି ଟଙ୍କା ରହିଛି। ସେଥିରୁ ୩–୪ ଲକ୍ଷ କୋଟି ଟଙ୍କା ସରକାର ଚାହୁଁଛନ୍ତି। ସେଥିପାଇଁ ଅର୍ଥନୈତିକ ପୁଞ୍ଜି ରୂପରେଖ (ଇସିଏଫ୍)କୁ ନେଇ ରିଜର୍ଭ ବ୍ୟାଙ୍କ–ସରକାରଙ୍କ ମଧ୍ୟରେ ବିବାଦ ଥିଲା। ଏହି ବିବାଦର କିଭଳି ସୁରୁଖୁରୁରେ ସମାଧାନ ହେବ ସେ ଦିଗରେ କାମ କରିବାକୁ ପଡ଼ିବ।

ଅର୍ଥନୀତିର ଗତିକୁ ତ୍ଵରାନ୍ଵିତ କରିବା ପାଇଁ ସୁଧ ହାରକୁ କମ୍ କରିବାକୁ ରିଜର୍ଭ ବ୍ୟାଙ୍କ ଉପରେ ସରକାର ସବୁ ବେଳେ ଚାପ ପକାଉଥିଲେ। ସୁଧ ହାର ହ୍ରାସ କରି ସରକାର ଓ କର୍ପୋରେଟ୍ ଜଗତକୁ ଖୁସି କରିବାକୁ ଶକ୍ତିକାନ୍ତ ପ୍ରୟାସ କରିପାରନ୍ତି।

Comment