ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କୃଷକଙ୍କ ଋଣ ଛାଡ ପାଇଁ ପ୍ରସ୍ତୁତ ହେଉଛନ୍ତି ମୋଦି ସରକାର।

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ଭଳି କୃଷି ପ୍ରଧାନ ରାଜ୍ୟରେ କଂଗ୍ରେସ ବହୁମତ ସହ ବିଜୟୀ ହେବାପରେ କେନ୍ଦ୍ର ସରକାର ଚିନ୍ତାରେ ପଡ଼ିଛନ୍ତି। ତେଣୁ କେନ୍ଦ୍ର ସରକାର କୃଷକଙ୍କ ପାଇଁ ରାଜକୋଷ ଖୋଲିବାକୁ ଯାଉଛନ୍ତି। କୃଷକଙ୍କ ଋଣ ଛାଡ଼ ପାଇଁ ପ୍ରସ୍ତୁତ ହେଉଛନ୍ତି ମୋଦି ସରକାର। କେନ୍ଦ୍ର ସରକାର ୨୦୧୯ରେ ହେବାକୁ ଥିବା ବଜେଟ୍‌ରେ କୃଷକଙ୍କ ପାଇଁ ନୂଆ ଯୋଜନା ଖୋଲିବାର ସମ୍ଭାବନା ରହିଛି।

ସମଗ୍ର ଦେଶରେ ୨୬.୩ କୋଟି କୃଷକ ଓ ସେମାନଙ୍କ ପରିବାରଙ୍କ ଦ୍ୱାରା ବ୍ୟାଙ୍କରୁ ନିଆ ଯାଇଥିବା ସମସ୍ତ ଋଣ ଛାଡ କରିବା ଦିଗରେ କେନ୍ଦ୍ର ସରକାର କାମ ଆରମ୍ଭ କରିଛି। ଋଣ ଛାଡ଼ କରିବାର ମୋଟ ରାଶି ହେଉଛି ୫୬.୫ ବିଲିୟନ ଡଲାର।

ଦେଶରେ କୃଷିଋଣକୁ ନେଇ ମୋଦି ସରକାର ଉପରେ କୃଷକଙ୍କ କ୍ରୋଧ ଚଳିତବର୍ଷ ବିଧାନସଭା ନିର୍ବାଚନରେ ପ୍ରତିଫଳିତ ହୋଇଛି। ବିଜେପିର ଗଡ଼ କୁହାଯାଇଥିବା ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ଭଳି କୃଷିପ୍ରଧାନ ରାଜ୍ୟରେ କଂଗ୍ରେସର ବିଜୟ ଏଥିରୁ ସ୍ପଷ୍ଟ ଜଣାପଡୁଛି। ବର୍ତ୍ତମାନ କେନ୍ଦ୍ରସରକାର କୃଷକଙ୍କ ପ୍ରତି ବିଶେଷ ଧ୍ୟାନ ଦେବାକୁ ଯାଉଛନ୍ତି ଯାହାର ଫାଇଦା ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ମିଳିପାରିବ।

୨୦୧୯ ଫେବୃଆରୀ ୧ରେ କେନ୍ଦ୍ର ସରକାର ସଂସଦରେ ମଧ୍ୟବର୍ତ୍ତୀ ବଜେଟ ଉପସ୍ଥାପନା କରିବେ। ଏହି ବଜେଟରେ କିଛି ଅଲଗା ହେବାର ସମ୍ଭାବନା ରହିଛି। ବଜେଟରେ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ଗ୍ରାମୀଣ ଅର୍ଥବ୍ୟବସ୍ଥା ଉପରେ ବିଶେଷ ଫୋକସ୍‌ କରିବେ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧି କହିଛନ୍ତି, ୨୦୧୯ରେ କଂଗ୍ରେସ ଶାସନ ଗାଦିକୁ ଆସିଲେ ଦେଶର ସମସ୍ତ କୃଷିଋଣ ଛାଡ଼ ହେବ। ରାହୁଲ ଗାନ୍ଧିଙ୍କ ପ୍ରତିଶୃତି ପରେ ମୋଦି ସରକାରର କୃଷକଙ୍କ ପ୍ରତି ସହାନଭୁତି ଭାବ ବେଶ୍‌ ଆକର୍ଷଣୀୟ। ବର୍ତ୍ତମାନ ୨୦୧୯ ଲୋକସଭା ନିର୍ବାଚନରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି ଏହା ଦେଖିବାର ଅଛି।

Comment