ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ ବିଜେପି ହାତରୁ ଖସିଯାଇ କଂଗ୍ରେସ ଶାସିତ ରାଜ୍ୟରେ ପରିଣତ ହୋଇଛି। ଫଳାଫଳରୁ ସ୍ପଷ୍ଟ ଜଣାପଡ଼ୁଛି ୨୦୧୯ ଲୋକସଭା ନିର୍ବାଚନରେ ସରକାର କ୍ଷମତାକୁ ଆସିବା ପାଇଁ ନରେନ୍ଦ୍ର ମୋଦିଙ୍କୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ।

୨୦୧୯ ଲୋକସଭା ନିର୍ବାଚନର କ୍ଷମତା ଚାବି ମୁଖ୍ୟତଃ ୫ଟି ରାଜ୍ୟ ଉପରେ ରହିବ। ଏଥିରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର ଏବଂ ତାମିଲନାଡୁ ରହିଛି। ଦେଶରେ ଇଏ ଏଭଳି ରାଜ୍ୟ, ଯେଉଁଠି ସବୁଠୁ ଅଧିକ ଲୋକସଭା ସିଟ୍ ରହିଛି। ଏହି ୫ଟି ରାଜ୍ୟରେ ମୋଟ୍ ୨୪୯ଟି ସଂସଦୀୟ ସିଟ୍ ରହିଛି। ୨୦୧୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ମେଣ୍ଟକୁ ୧୪୮ଟି ସିଟ୍ ମିଳିଥିଲା। ଅନ୍ୟପଟେ କଂଗ୍ରେସକୁ ୧୦ଟି ଏବଂ ଅନ୍ୟ ଖାତାରେ ୯୧ଟି ସିଟ୍ ଆସିଥିଲା।

୨୦୧୯ ଲୋକସଭା ନିର୍ବାଚନରେ ପୁଣି ଏହି ୫ରାଜ୍ୟ ଉପରେ ସମସ୍ତଙ୍କ ନଜର ରହିବ। ବିଧାନସଭା ନିର୍ବାଚନ ଫଳାଫଳରେ ସ୍ପଷ୍ଟ ହେଉଛି ନିର୍ବାଚନୀ ଦୃଶ୍ୟ ବଦଳିପାରେ। ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବାବେଳେ କଂଗ୍ରେସ ପାଇଁ ସମ୍ଭାବନାର ଆଶା ସୃଷ୍ଟି ହୋଇଛି।

ଉତ୍ତରପ୍ରଦେଶ

ଉତ୍ତରପ୍ରଦେଶରେ ମୋଦିଙ୍କ ଦବଦବା ରହିଛି। ଗତ ଲୋକସଭା ନିର୍ବାଚନରେ ବିଜେପି ୟୁପିରୁ ୮୦ଟି ଲୋକସଭା ଆସନରୁ ୭୧ଟି ଜିତିବାରେ ସଫଳ ହୋଇଥିଲା। ଏହାଛଡ଼ା ୨ଟି ସିଟ୍ ବିଜେପି ସହଯୋଗୀକୁ ମିଳିଥିଲା। ଏହିଭଳି ବିଜେପିକୁ ମୋଟ୍ ୭୩ଟି ଆସନ ମିଳିଥିଲା। ଅନ୍ୟପଟେ କଂଗ୍ରେସକୁ ୨ ସିଟ୍ ମିଳିଥିଲା। ଏହାଛଡ଼ା ୨୦୧୭ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରି କ୍ଷମତା ଦଖଲ କରିଥିଲା।

କୁହାଯାଉଛି ୨୦୧୯ ଲୋକସଭା ନିର୍ବାଚନ ଏସପି, ବିଏସପି ଏବଂ କଂଗ୍ରେସ ଏକାଠି ନିର୍ବାଚନୀ ମୈଦାନକୁ ଓହ୍ଲାଇପାରନ୍ତି। ଯଦି ଏହି ମେଣ୍ଟ ହୁଏ ତାହେଲେ ବିଜେପି ସମୀକରଣକୁ ଅଡୁଆରେ ପକାଇପାରନ୍ତି। ଗତ କିଛି ମାସ ତଳେ ହୋଇଥିବା ୩ଟି ଲୋକସଭା ଉପନିର୍ବାଚନରେ ବିଜେପି ପରାଜୟବରଣ କରିଥିଲା। ଏଭଳି ସ୍ଥିତିରେ ୨୦୧୪ ଭଳି ୨୦୧୯ରେ ସଫଳତା ଦୋହରାଇବା ବିଜେପି ପାଇଁ ଚ୍ୟାଲେଞ୍ଜ।

ମହାରାଷ୍ଟ୍ର

୨୦୧୯ରେ ମୋଦି ସରକାର କ୍ଷମତାକୁ ଫେରିବା ପଛରେ ମହାରାଷ୍ଟ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ମହାରାଷ୍ଟ୍ରର ମୋଟ୍ ୪୮ ଲୋକସଭା ଆସନ ରହିଛି। ୨୦୧୪ରେ ବିଜେପିକୁ ୨୩ଟି ଆସନ ମିଳିଥିବାବେଳେ ସହଯୋଗୀ ଶିବସେନାକୁ ୧୮ଟି ସିଟ୍ ମିଳିଥିଲା। ଅନ୍ୟପଟେ କଂଗ୍ରେସକୁ ୨, ଏନସିପି ୪ଟି ଆସନ ମିଳିଥିଲା। ସେହିପରି ଜଣେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ବିଜୟୀ ହୋଇଥିଲେ।

ବର୍ତ୍ତମାନ ସ୍ଥିତି ଦେଖିଲେ ବିଜେପି ଓ ଶିବସେନା ମଧ୍ୟରେ ସେଭଳି ଭଲ ସମ୍ପର୍କ ଥିବା ଦେଖାଯାଉନି। ୨୦୧୯ରେ ଦୁଇ ଦଳ ଅଲଗା ଅଲଗା ନିର୍ବାଚନ ଲଢ଼ିବା ପାଇଁ ସଙ୍କେତ ଦେଇସାରିଛନ୍ତି। କଂଗ୍ରେସ ଏବଂ ଏନସିପି ଏକାଠି ନିର୍ବାଚନ ଲଢ଼ିବା ପାଇଁ ଆଲୋଚନା କରିଛନ୍ତି। ଏଭଳି ସ୍ଥିତିରେ ୨୦୧୪ ନିର୍ବାଚନ ଫଳାଫଳ ବିଜେପି କରିପାରିବ ସହଜ ମନେ ହେଉନି।

ବିହାର

୨୦୧୯ରେ ବିହାରର ବି ଭୂମିକା ମହତ୍ତ୍ୱପୂର୍ଣ୍ଣ ରହିବ। ବିହାରରେ ମୋଟ୍ ୪୦ଟି ସିଟ୍ ରହିଛି। ଗତ ୨୦୧୪ ଲୋକସଭା ନିର୍ବାଚନରେ ବିଜେପିକୁ ୨୨, ସହଯୋଗୀ ଏଲଜେପିକୁ ୬ ଏବଂ ଆରଏଲଏସପିକୁ ୩ଟି ସିଟ୍ ମିଳିଥିଲା। ଏବେ ଆରଏଲଏସପି ଏନଡିଏରୁ ଅଲଗା ହୋଇଯାଇଛି। ସେହିପରି ପୁଣି ଜେଡିୟୁ ଏନଡିଏର ସହଯୋଗୀ ହୋଇସାରିଛି। ବିଜେପି ଗତ ନିର୍ବାଚନ ତୁଳନାରେ ୧୭ଟି ଆସନରେ ନିର୍ବାଚନ ଲଢ଼ିବ। ଏଭଳି ସ୍ଥିତିରେ ପୂର୍ବରୁ ହିଁ ବିଜେପିର ସିଟ୍ ସଂଖ୍ୟା ହ୍ରାସ ପାଇସାରିଛି। ସେହିଭଳି କଂଗ୍ରେସ ଏବଂ ଆରଜେଡି  ଏକାଠି ଅଛନ୍ତି। ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଆରଜେଡି ସ୍ଥିତି ମଜଭୁତ ହେବାରେ ଲାଗିଛି। ବର୍ତ୍ତମାନର ନିର୍ବାଚନ ଫଳାଫଳରୁ କଂଗ୍ରେସ-ଆରଜେଡି ମେଣ୍ଟ ଆଗକୁ ଭଲ ରେଜଲ୍ଟ କରିବ ବୋଲି ନଜର ରହିଛି।

ପଶ୍ଚିମବଙ୍ଗ

ପଶ୍ଚିମବଙ୍ଗରେ ମୋଟ୍ ୪୨ଟି ଲୋକସଭା ଆସନ୍ ରହିଛି। ୨୦୧୪ ନିର୍ବାଚନରେ ବିଜେପିକୁ ୨ଟି ସିଟ୍ ମିଳିଥିଲା। ଟିଏମସି ୩୪ଟି ସିଟ୍ ପାଇବାରେ ସଫଳ ହୋଇଥିଲା। ପଶ୍ଚିମବଙ୍ଗରେ ବର୍ତ୍ତମାନ ବିଜେପିର ଗ୍ରାଫ୍ ବଢ଼ୁଥିବାବେଳେ ରାଜ୍ୟରେ ଦ୍ୱିତୀୟ ଦଳ ଭାବେ ଉଭା ହୋଇଛି। ଆସନ୍ତା ନିର୍ବାଚନ ପାଇଁ ବିଜେପି ୨୨ଟି ସିଟ୍ ଉପରେ ନଜର ରଖିଛି। କିନ୍ତୁ ଟିଏମସି ବିରୋଧୀ ଦଳ ସହ ମିଶି ନିର୍ବଚନୀ ମୈଦାନକୁ ଓହ୍ଲାଇବା ନେଇ ଆଲୋଚନା ଜାରି ରଖିଛି । ଯଦି ବିରୋଧୀ ଏକାଠି ନିର୍ବାଚନ ଲଢ଼ନ୍ତି ତାହାଲେ ବିଜେପିକୁ ତାର ଟାର୍ଗେଟ ପୂରଣ କରିବାରେ ବଡ଼ ଚ୍ୟାଲେଞ୍ଜ ହେବ।

ତାମିଲନାଡୁ

୨୦୧୯ ଲୋକସଭା ନିର୍ବାଚନରେ ତାମିଲନାଡୁ ଭଳି ରାଜ୍ୟ ମୁଖ୍ୟ ଭୂମିକା ତୁଲାଇବ। ପ୍ରଦେଶରେ ମୋଟ୍ ୩୯ଟି ଲୋକସଭା ଆସନ ରହିଛି। ୨୦୧୪ ଲୋକସଭା ନିର୍ବାଚନରେ ଏଆଇଏଡିଏମକେକୁ ୩୭ଟି ସିଟ୍ ମିଳିଥିଲା ବେଳେ ବିଜେପିକୁ ଗୋଟିଏ ସିଟ୍ ମିଳିଥିଲା। ଏଆଇଏଡିଏମକେ ପ୍ରାର୍ଥୀଙ୍କ ସହ ବିଜେପି କଡ଼ା ଟକ୍କର ମଧ୍ୟ ଦେଇଥିଲା। କଂଗ୍ରେସ ଏବଂ ଡିଏମକେ ଏକାଠି ଲଢ଼ୁଥିବାରୁ ବିଜେପି ପାଇଁ ଲୋକସଭା ନିର୍ବାଚନ ଚ୍ୟାଲେଞ୍ଜ ହେବ।

Comment