ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୁ କୃଷକ ଜନତା ଦଳରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପରିବର୍ତ୍ତନ କରିଛନ୍ତି। ଏସମ୍ପର୍କରେ ଆଜି ସୂଚନା ମିଳିଛି। ରାଜ୍ୟସଭା ସାଂସଦ ତଥା ପଶ୍ଚିମ ଓଡ଼ିଶାର ଛାମୁଆଁ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜୁ କୃଷକ ଜନତା ଦଳର ସଭାପତି ଭାବେ ନିଯୁକ୍ତ କରାଯାଇଛି।

ସେହିପରି ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିଜୁ କୃଷକ ଜନତା ଦଳର ସଂପାଦକ ଦାୟିତ୍ଵ ଦେଇଛନ୍ତି ନବୀନ।

ନବୀନ ସରକାରର ଅନ୍ୟତମ ଫୋକସ୍ କୃଷି ଓ କୃଷକ। ତେବେ ସାଙ୍ଗଠନିକ କ୍ଷେତ୍ରରେ ଦଳରେ ଏହି ବିଭାଗ ଦୁର୍ବଳ ରହିଥିଲା। ଏହାକୁ ଟାଣୁଆ କରିବା ସହ ଆଗାମୀ ଭୋଟ ପୂର୍ବରୁ ବିଭିନ୍ନ କୃଷକ ପ୍ରସଙ୍ଗକୁ ମୁକାବିଲା କରିବାକୁ ପାଇଁ ନବୀନ ଏହି ନିଷ୍ପତ୍ତି ନେଇଥିବା କୁହାଯାଇପାରେ।

ବର୍ତ୍ତମାନ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ନବୀନଙ୍କ ଉପରେ ପ୍ରବଳ ଚାପ ରହିଛି। ସଙ୍ଗଠନ କୃଷକମାନଙ୍କ ପାଇଁ ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ ପ୍ରସଙ୍ଗ ଉଠାଇ ଆସୁଛି।

କିଛି ସପ୍ତାହ ତଳେ ସଙ୍ଗଠନ ପକ୍ଷରୁ ରାଜଧାନୀରେ ଏକ ବଡ଼ ଧରଣର ରାଲିର ଆୟୋଜନ ହୋଇଥିଲା। ତେବେ ସେତେବେଳେ ପୋଲିସ ପ୍ରଶାସନ ବଳରେ ନବ ନିର୍ମାଣ କୃଷକ ସଙ୍ଗଠନର ପ୍ରସ୍ତୁତିକୁ ଏକ ପ୍ରକାର ଭଣ୍ଡୁର କରିଦେଇଥିଲେ ସରକାର।

ଏବେ ସଙ୍ଗଠନ ପୁଣିଥରେ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରୁଛି। କୃଷକମାନଙ୍କ ପ୍ରସଙ୍ଗରେ ଯେକୌଣସି କଥା ଉଠିଲେ ଏହାର ମୁକାବିଲା କରିବାକୁ ଏବେ ପ୍ରସ୍ତୁତ ହେଉଛି ବିଜୁ କୃଷକ ଜନତା ଦଳ।

Comment