ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଢ଼େ ୪ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଯାତ୍ରାରେ ସରକାର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଏହି ତଥ୍ୟ ସାମ୍ନାକୁ ଆସିଛି। ସଂସଦରେ ଆଗତ ଏକ ପ୍ରଶ୍ନରେ ସୂଚନା ଦେଇଛନ୍ତି ବିଦେଶ ରାଷ୍ଟ୍ରମନ୍ତ୍ରୀ ବି.କେ. ସିଂହ। ପ୍ରଧାନମନ୍ତ୍ରୀ ଏହି ଗସ୍ତରେ ୮୪ଟି ବିଦେଶ ଯାତ୍ରା କରିଛନ୍ତି।

ଏହି ଗସ୍ତରେ ଖର୍ଚ୍ଚ ହୋଇଛି ଅଧିକ ଟଙ୍କା

ପ୍ରଧାନମନ୍ତ୍ରୀ ଯେତେଥର ବିଦେଶଗସ୍ତରେ ଯାଇଛନ୍ତି, ସେଥିରୁ ଅଧିକ ଖର୍ଚ୍ଚ ଏୟାର ଇଣ୍ଡିଆର ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହୋଇଛି। ଏହାଛଡ଼ା ଅନ୍ୟ ଯେଉଁ ଅର୍ଥ ଖର୍ଚ୍ଚ କରାଯାଇଛି। ସୁରକ୍ଷା କାରଣରୁ ସେଗୁଡ଼ିକ ବିଷୟର ସୂଚନା ଦିଆଯାଇନାହିଁ।

୨୦୧୪ରେ ଜାପାନରୁ ବିଦେଶ ଯାତ୍ରା ଆରମ୍ଭ

୨୦୧୪ ମେ’ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରୁ ବିଦେଶ ଯାତ୍ରା ଆରମ୍ଭ କରିଥିଲେ। ଜାପାନରେ ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଭେଟିଥିଲେ। ସେହିପରି ବହୁଥର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଭେଟିଛନ୍ତି। ଏହାଛଡ଼ା ପଡ଼ୋଶୀ ଦେଶ ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କୁ ମଧ୍ୟ ବହୁବାର ଭେଟିଛନ୍ତି।

ବିରୋଧୀଙ୍କ ସମାଲୋଚନା

୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନୋଟବନ୍ଦୀ ଘୋଷଣା କରିବା ପରେ ପୁଣି ଜାପାନ ଗସ୍ତରେ ଯାଇଥିଲେ । ଏହାକୁ ନେଇ ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଥିଲେ। ଲୋକଙ୍କ ପାଖରେ ଟଙ୍କା ନଥିବାବେଳେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଯାଉଛନ୍ତି କହି ସମାଲୋଚନା କରିଥିଲେ।

ଜୁଲାଇ ୨୦୧୭ ସୁଦ୍ଧା ଗସ୍ତର ତାଲିକା

୨୦୧୭ ଜୁଲାଇ ସୁଦ୍ଧା ପ୍ରଧାନମନ୍ତ୍ରୀ ୬ଟି ମହାଦ୍ୱୀପର ୩୧ଟି ବିଦେଶ ଯାତ୍ରା କରିଥିଲେ। ଆମେରିକା, ପଡ଼ୋଶୀ ଦେଶ, ଦକ୍ଷିଣ ପୂର୍ବ ଦେଶ ସହିତ ୪୯ ଦେଶ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ୫ଥର ଆମେରିକା ଯିବା ସହ ଫ୍ରାନ୍ସ, ଜର୍ମାନୀ ଏବଂ ରୁଷ  ତିନି ଥର ଲେଖାଏଁ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ଗତ ତିନି ବର୍ଷରେ ୩.୪ ଲକ୍ଷ କିଲୋମିଟର ଯାତ୍ରା କରିଛନ୍ତି।

୨୦୧୪ ମେ’ ୨୬ରୁ ଭାରତ ପ୍ରଧାନମନ୍ତ୍ରୀଙ୍କ ପାଇଁ ୨୭୫ କୋଟି ଖର୍ଚ୍ଚ ହୋଇଛି। ପ୍ରଧାନମନ୍ତ୍ରୀ ୩୧.୨ କୋଟି ଟଙ୍କାର ସବୁଠୁ ମହଙ୍ଗା ଯାତ୍ରା କରିଛନ୍ତି। ଏହି ଗସ୍ତରେ ଫ୍ରାନ୍ସ, ଜର୍ମାନୀ ଏବଂ କାନାଡା ରହିଛି। ୨୦୧୫ ଅପ୍ରେଲ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ରହିଥିଲା।  ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ସୁଦ୍ଧା ବିଦେଶ ଦେଶରେ ସବୁଠୁ ଅଧିକ ୫୫ ଦିନ କାଟି ସାରିଲେଣି। ଦ୍ୱିତୀୟ ଗସ୍ତରେ ୪୦ ଦିନ ଏବଂ ତୃତୀୟ ଗସ୍ତରେ ୨୪ ଦିନ ବିଦେଶରେ ରହିଛନ୍ତି।

୨୦୧୪ରେ ପ୍ରଧାନମନ୍ତ୍ରୀ ୯ଥର ବିଦେଶ ଗସ୍ତରେ ଯାଇଥିଲାବେଳେ ୨୦୧୫ରେ ୨୮ଥର ଯାଇଛନ୍ତି। ସେହିଭଳି ୨୦୧୬ରେ ୧୮ ଥର ବିଦେଶ ଯାଇଥିଲାବେଳେ ୨୦୧୭ର ଜୁଲାଇ ସୁଦ୍ଧା ୧୧ ଥର ବିଦେଶ ଗସ୍ତରେ ଯାଇଛନ୍ତି।

Comment