ଓଡ଼ିଶାଲାଇଭ ବ୍ୟୁରୋ

ରାଫେଲ ଡିଲ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ରାୟ ଶୁଣାଇଛନ୍ତି। ଡିଲରେ କୌଣସି ଆର୍ଥିକ ହେରଫେର ହୋଇନଥିବା କୋର୍ଟ କହିଛନ୍ତି। ଏହା ସହିତ ତଦନ୍ତ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି।

ରାଫେଲ ବିମାନ କିଣାରେ କୌଣସି ଦୁର୍ନିୀତି ହୋଇ ନଥିବା ସୁପ୍ରିମକୋର୍ଟ କହିଛନ୍ତି। ଏହାସହିତ ପ୍ରତିରକ୍ଷା ସାମଗ୍ରୀ କିଣାରେ ହସ୍ତକ୍ଷେପ ଲାଗି ମନା କରିଛନ୍ତି କୋର୍ଟ। ରାଫେଲ ଡିଲର ସମସ୍ତ ମାମଲା ଠିକ ଅଛି, ଯାହା କେନ୍ଦ୍ର ସରକାରଙ୍କ ପାଇଁ ବଡ଼ ଆଶ୍ୱସ୍ତି ବୋଲି କୁହାଯାଉଛି। ସୁପ୍ରିମକୋର୍ଟଙ୍କ ୩ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି।

ଏହାପରେ ଗୃହମନ୍ତ୍ରୀ ରାଜନାଥ ସିଂ ପ୍ରତିକ୍ରୀୟା ରଖିଛନ୍ତି, ”କଂଗ୍ରେସ ଲୋକଙ୍କୁ ଭ୍ରମିତ କରିଛି। ରାଫେଲ ପ୍ରସଙ୍ଗରେ କଂଗ୍ରେସ ମିଛ କହିଛି, ରାଜନୀତି ଲାଗି କଂଗ୍ରେସ ଏମିତି କରିଛି। ଏମିତି କରି କଂଗ୍ରେସ ରାଜନୀତିରେ ଅଧିକ ଦିନ ତିଷ୍ଠି ପାରିବନି।” ସେପଟେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଓକିଲ ଓ ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ। ସେ କହିଛନ୍ତି ଯେ ରାଫେଲ ଡିଲରେ ବେଇମାନୀ ହୋଇଛି।

ରାଫେଲ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ ବିରୋଧୀ ଦଳଗୁଡ଼ିକ ଏନଡିଏ ସରକାରକୁ ଲଗାତାର ଟାର୍ଗେଟ କରିଥିଲେ ଏବଂ ସଂସଦରେ ଏହି ପ୍ରସଙ୍ଗକୁ ନେଇ ଅନେକ ତର୍କ ବିତର୍କ ବି ହୋଇଥିଲା। ଗୋଟିଏ ଯୁଦ୍ଧ ବିମାନ ପିଛା ପ୍ରାୟ ୧୬୭୦ କୋଟି ଟଙ୍କା ମୂଲ୍ୟରେ ଭାରତ ସରକାର ବିମାନ କିଣିଥିବା ବେଳେ ୟୁପିଏ ସରକାର ଅମଳରେ ଏହାର ଦାମ ୫୨୬ କୋଟି ଟଙ୍କା ଥିଲା ବୋଲି କଂଗ୍ରେସ ଦାବି କରିଥିଲା। ଯେଉଁରେ ଶୁକ୍ରବାର ସୁପ୍ରିମକୋର୍ଟ ରାୟ ଶୁଣାଇବା ସହିତ ତଦନ୍ତ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି।

Comment