ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ପକ୍ଷରୁ ଦୁଇଥର ମୁଖ୍ୟମନ୍ତ୍ରୀ ରହିସାରିଥିବା ଅଶୋକ ଗେହଲଟଙ୍କୁ ପୁଣି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରୂପେ ଚୟନ କରାଯାଇଛି। ଲମ୍ଵା ସମୟ ଧରି ରାଜନୀତିରେ ସକ୍ରିୟ ଗେହଲଟ ରାଜସ୍ଥାନରେ ବହୁତ ଲୋକପ୍ରିୟ ନେତା ଅଟନ୍ତି ଏବଂ ତାଙ୍କୁ ‘ରାଜନୀତିର ଯାଦୁଗର’ ବୋଲି ଡାକନ୍ତି।

୨୦୧୩ ରାଜସ୍ଥାନ ବିଧାନସଭା ନିର୍ବାଚନ ଓ ପୁଣି ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ମଧ୍ୟ ଅଶୋକ ଗେହଲଟ ରାଜ୍ୟରେ ନିଜ ପାର୍ଟିର ପ୍ରାସଙ୍ଗିକତାକୁ ଜାରି ରଖିଥିଲେ। ରାଜସ୍ଥାନରେ ରାଜନୀତିର ଯାଦୁଗର କୁହାଯାଉଥିବା ଗେହଲଟ ୨୦୧୮ରେ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବହୁମତ ଦେବାରେ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

ଇନ୍ଦିରାଙ୍କ ସାହାଯ୍ୟରେ ରାଜନୀତିକୁ ଆସିଲେ ଅଶୋକ ଗେହଲଟ

ଗେହଲଟଙ୍କୁ ରାଜନୀତିରେ ସର୍ବପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ହିଁ ଆଣିଥିଲେ। ଏହାର କାରଣ ସେହି ସମୟରେ ଗେହଲଟ ପୂର୍ବାଞ୍ଚଳରେ ଶରଣାର୍ଥୀଙ୍କ ପାଇଁ ବହୁତ ଭଲ କାମ କରୁଥିଲେ ଏବଂ ଇନ୍ଦିରା ତାଙ୍କ କାମରେ ବହୁତ ପ୍ରଭାବିତ ହୋଇଥିଲେ। କିଛି ମାସ ପୂର୍ବେ ଗୁଜରାଟରେ ସଂପନ୍ନ ବିଧାନସଭା ନିର୍ବାଚନରେ କଂଗ୍ରେସର ଦମଦାର ପ୍ରଦର୍ଶନର ଶ୍ରେୟ ଗେହଲଟଙ୍କୁ ହିଁ ଦିଆଯାଇଥିଲା।

ଗତ କିଛି ମାସରେ କଂଗ୍ରେସର ମହାସଚିବ ପଦଭାର ସମ୍ଭାଳୁଥିବା ଗେହଲଟଙ୍କୁ ତୃଣମୂଳସ୍ତରର ନେତା ଓ ଭଲ ସଙ୍ଗଠନକର୍ତ୍ତା  କୁହାଯାଏ। ୧୯୫୧ରେ ଜନ୍ମଗ୍ରହଣ କରିଥିବା ୬୭ ବର୍ଷୀୟ ଗେହଲଟ ଯୋଧପୁର ନିବାସୀ। ସେ ୧୯୯୮ ରୁ ୨୦୦୮ ମଧ୍ୟରେ ରାଜସ୍ଥାନର ଦୁଇ ଥର ମୁଖ୍ୟମନ୍ତ୍ରୀ ରହିଥିଲେ।

ଗେହଲଟ ନିଜର ରାଜନୈତିକ ଜୀବନ ୧୯୪୭ରେ ଏନଏସୟୁଆଇର ଅଧ୍ୟକ୍ଷ ରୂପେ ଆରମ୍ଭ କରିଥିଲେ।  ସେ ୧୯୭୯ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ଗେହଲଟ ୧୯୭୯ରୁ ୧୯୮୨ ପର୍ଯ୍ୟନ୍ତ କଂଗ୍ରେସ ପାର୍ଟିର ଯୋଧପୁର ଜିଲ୍ଲା ଅଧ୍ୟକ୍ଷ ରହିଥିଲେ ଏବଂ ୧୯୮୨ରେ ପ୍ରଦେଶ କଂଗ୍ରେସ କମିଟିର ମହାସଚିବ ହୋଇଥିଲେ। ସେହି ସମୟରେ ୧୯୮୦ରେ ସେ ସାଂସଦ ରୂପେ ନିର୍ବାଚିତ ହୋଇଥିଲେ।

ଗେହଲଟ ୧୯୮୦ରୁ ୧୯୯୯ ପର୍ଯ୍ୟନ୍ତ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରଠୁ ସେ ଯୋଧପୁରର ସର୍ଦ୍ଦାରପୁର ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ଵ କରି ଆସୁଛନ୍ତି। ପାଞ୍ଚ ଥର ସାଂସଦ ରହିଥିବା ଗେହଲଟ ପାଞ୍ଚ ଥର ବିଧାୟକ ହୋଇଛନ୍ତି। ସେ ୧୯୮୨ରୁ ୧୯୮୩ ପର୍ଯ୍ୟନ୍ତ ପର୍ଯ୍ୟଟନ ଉପମନ୍ତ୍ରୀ ଓ ୧୯୮୩ ରୁ ୧୯୮୪ରେ ବେସାମରିକ ବିମାନ ଚଳାଚଳ, ୧୯୮୪ରେ କ୍ରୀଡ଼ା ଉପମୁଖ୍ୟମନ୍ତ୍ରୀ, ୧୯୮୪ ରୁ ୧୯୮୫ରେ ପର୍ଯ୍ୟନ୍ତ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ରହିସାରିଛନ୍ତି।

ଗେହଲଟ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଅଖିଳ ଭାରତୀୟ କଂଗ୍ରେସ କମିଟିର ମହାସଚିବ, ୨୦୦୪ରେ କଂଗ୍ରେସ କାର୍ଯ୍ୟ ସମିତି ଓ ହିମାଚଳ ପ୍ରଦେଶ ଏବଂ ଛତିଶଗଡ଼ର ପ୍ରଭାରୀ ରହି ସାରିଛନ୍ତି। ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିରେ ଅନେକ ମହତ୍ଵପୂର୍ଣ୍ଣ ପଦରେ ରହିଥିବା ଗେହଲଟ ତିନି ଥର କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ରହିଛନ୍ତି।

Comment