ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ାରେ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲେ କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

“କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ପ୍ରକଳ୍ପ ଗୁଡିକରୁ  ରାଜ୍ୟରେ ପିସି ଆଦାୟ ହେଉଛି। ଗରିବ ଗୁରୁବାଙ୍କ ପାଇଁ ନରେନ୍ଦ୍ର ମୋଦି ଦେଇଥିବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ପାଇଖାନା ଯୋଜନାର ଫାଇଦା ଉଠାଉଛନ୍ତି ରାଜ୍ୟର ନେତାମାନେ। ଘର ଓ ପାଇଖାନା କରାଇଦେବାକୁ କହି ଗରିବ ଲୋକଙ୍କଠାରୁ ପିସି ନେଉଛନ୍ତି ଏହି ନେତାମାନେ। ନରେନ୍ଦ୍ର ମୋଦି ରିହାତି ଦରରେ ଦେଉଥିବା ସରକାରୀ ଚାଉଳକୁ ନିଜ ନାଁରେ ବାଣ୍ଟୁଛନ୍ତି ଏ ସରକାର। ତେଣୁ ରାଜ୍ୟର ଏହି ଦୁର୍ନିତୀ, ସ୍ଥାଣୁ ଓ ଅପାରଗ ସରକାରକୁ ବଦଳାଇ ନୂଆ ଓଡିଶା ଗଠନ କରାଯାଉ”, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ଅନୁଷ୍ଠିତ ବିଜେପି ଜନ ପରାମର୍ଶ ପଦଯାତ୍ରାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଆହ୍ଵାନ ଦେଇଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜେପିର ଜନ ପରାମର୍ଶ ପଦଯାତ୍ରାରେ ଯୋଗ ଦେଇଥିଲେ। ରାଜକନିକା ବ୍ଲକର ନହୁଣି ପଡିଆରେ ହେଲିକପ୍ଟରରୁ ଅବତରଣ କରି ଶ୍ରୀ ପ୍ରଧାନ ବାଲିସାହି ଓ ପାଟୁଳି ଗାଁରେ ବୁଲିଥିଲେ।

ପାଟୁଳି ଗାଁ ବୁଲିବା ବେଳେ କିଛି ମହିଳା କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ପାଇଁ ଧର୍ମେନ୍ଦ୍ରଙ୍କୁ ଆରୋପ କରିଥିଲେ।

ଦୁଇଟି ଗାଁ ପରିକ୍ରମା କରି ଧର୍ମେନ୍ଦ୍ର ଏକ ଖୋଲା ଜିପ୍‌ରେରେ ଓଳାଭର କାଳି ପଡିଆରେ ପହଞ୍ଚି ଏକ ନିର୍ବାଚନି ସଭାରେ ଯୋଗ ଦେଇଥିଲେ।

ସେହି ସଭାରେ ଧର୍ମେନ୍ଦ୍ର ଉଦ୍‌ବୋଧନରେ କହିଥିଲେ ସାଧାରଣ ନିର୍ବାଚନକୁ ଆଉ କମ ଦିନ ରହିଛି। ତେଣୁ ଏହି ନିର୍ବାଚନରେ ୧୮ ବର୍ଷ ଧରି ରାଜ୍ୟରେ ଚାଲିଥିବା ଏକ ଦୁର୍ନୀତି, ସ୍ଥାଣୁ ଓ ଅପାରଗ ସରକାରକୁ ବଦଳାଇ ନୂଆ ଓଡ଼ିଶା ଗଠନ କରିବାକୁ କହିଥିଲେ।

ଏଥିସହିତ ଓଳାଭର ଗାଁର ରାଜେନ୍ଦ୍ର ନନ୍ଦି ନାମକ ଜଣେ ଦିବ୍ୟାଙ୍ଗ ଯୁବକଙ୍କର ଏକ ଚିଠିକୁ ପାଠ କରିଥିଲେ ଧର୍ମେନ୍ଦ୍ର। ଚିଠିରେ ଯୁବକ ଜଣକ ବେକାରୀ ସମସ୍ୟା ବିଷୟରେ ଲେଖିଥିଲେ। ରାଜେନ୍ଦ୍ରଙ୍କ ପରି ଏମିତି ଲକ୍ଷ ଲକ୍ଷ ବେକାର ଯୁବକଙ୍କ ପାଇଁ ନିଯୁକ୍ତି ନାହିଁ। ରାଜ୍ୟରୁ ହଜାର ହଜାର ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି। କେନ୍ଦ୍ରାପଡା ଜିଲ୍ଲାରେ ଏହି ଦାଦନ ସମସ୍ୟା ଅତ୍ୟନ୍ତ ଜଟିଳ ହୋଇଛି ବୋଲି ରାଜେନ୍ଦ୍ର ସେ ଚିଠିରେ ଲେଖିଥିଲେ ।

କେନ୍ଦ୍ର ସରକାର ରାଜ୍ୟକୁ ରିହାତି ଦରରେ ଦେଉଥିବା ଚାଉଳକୁ ନିଜର ଚାଉଳ କହି ବାହାବା ନେଉଛନ୍ତି ରାଜ୍ୟ ସରକାର। ପ୍ରାଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗରିବ ଲୋକ ମାନଙ୍କୁ ଗ୍ୟାସ ଯୋଗାଇ ଦେବା କେନ୍ଦ୍ର ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଧର୍ମେନ୍ଦ୍ର କହିଛନ୍ତି  ।

ଏହି ନିର୍ବାଚନି ସଭାରେ କେନ୍ଦ୍ରାପଡ଼ା ଜିଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ପୂର୍ବତନ ବିଧାୟକ ଦୋଳ ଗୋବିନ୍ଦ ନାୟକ ସମ୍ବୋଧନ କରିଥିବା ବେଳେ ବିଜେପି ନେତା ବ୍ରଜ ଭୁୟାଁ ଧନ୍ୟବାଦ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ , ପୂର୍ବତନ ବିଧାୟକ ଉତ୍କଳ ପରିଡା , ଅଲେଖ ଜେନା, ବିଜେପି ନେତା ଦିଲ୍ଲିପ ମଲିକ, ଭୁବନ ମୋହନ ଜେନା , ସାରଦା ପ୍ରଧାନ , ଜ୍ଞାନଦେବ ବେହୁରା , ବିଷ୍ଣୁ ଦାସ , କିଶୋର କୁମାର ପଣ୍ଡା , ସତ୍ୟନାରାୟଣ ଜେନା , ରଶ୍ମୀରଞ୍ଜନ ବେହୁରା , ଭକ୍ତବନ୍ଧୁ ମିଶ୍ର , ଅଶୋକ ତ୍ରିପାଠୀ , କରୁଣାକର ତ୍ରିପାଠୀ , ଦଶରଥ ସେନାପତି , ସଞ୍ଜୟ ବେହୁରା , ବିଶିକେଶନ ଦାସ ଓ ଶଶାଙ୍କ ଶେଖର ସେଠି ପ୍ରମୁଖ ଯୋଗ ଦେଇଥିଲେ  ।

Comment