ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ମାଡ଼ି ଆସୁଛି ‘ପେଥାଇ’। ରାଜ୍ୟରେ ୧୬,୧୭ ଓ ୧୮ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା।

ଘୂର୍ଣ୍ଣିଝଡ଼ ରୂପ ନେବାକୁ ଯାଉଛି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଡିପ ଡିପ୍ରେସନ। ଘଣ୍ଟାକୁ ୧୦ କିଲୋମିଟର ବେଗରେ ସ୍ଥଳଭାଗକୁ ମାଡ଼ି ଆସୁଛି ଏହି ଡିପ ଡିପ୍ରେସନ। ଏହାର ନାମ ‘ପେଥାଇ’। ପେଥାଇର ପ୍ରଭାବରେ ରବିବାରଠାରୁ ଦୁଇ ଦିନ ଧରି (୧୬,୧୭ ଓ ୧୮ତାରିଖରେ) ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଉଭୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା ୪୮ ଘଣ୍ଟାରେ ଓଡ଼ିଶାର ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ପାଣିପାଗ ବିଭାଗ ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି। ବିଶେଷକରି ରାୟଗଡ଼ା, କଳାହାଣ୍ଡି, ଗଞ୍ଜାମ ଓ ଗଜପତି ଜିଲ୍ଲା ଏହି ଡିପ ଡିପ୍ରେସନରେ ପ୍ରଭାବିତ ହେବେ।

ବର୍ତ୍ତମାନ ଏହି ଡିପ ଡିପ୍ରେସନ ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍‌ଠାରୁ ୧୯୦ କିମି ଦୂରରେ ରହିଛି। ୧୭ ତାରିଖ ଅପରାହ୍ନରେ ଏହା କାକିନାଡ଼ା-ଆଙ୍ଗୋଲ ଦେଇ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି। ସ୍ଥଳଭାଗ ଛୁଇଁଲେ ଘଣ୍ଟାପ୍ରତି ୯୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବା ସହ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇବାର ସମ୍ଭାବନା ରହିଛି।

ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ତରଫରୁ ଆଗୁଆ ପଦକ୍ଷେପ ନିଆଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପାଣିପାଗ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ଫସଲ ଅମଳ ସମୟରେ ବର୍ଷା ହେବାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ବର୍ଷାରେ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ଫସଲକୁ ସୁରକ୍ଷା ସ୍ଥାନରେ ସ୍ଥାନାନ୍ତରିତ କରିବାପାଇଁ କୃଷି ବିଭାଗ ତରଫରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାପାଇଁ ପରାମର୍ଶ ଦିଆଯାଇଛି।

Comment