ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିମାନ ଯାତ୍ରୀଙ୍କୁ ଉଡ଼ାଣ ସମୟରେ ମୋବାଇଲରେ କଥା ହେବା ଏବଂ ଡାଟା ବ୍ୟବହାର କରିବାର ପ୍ରତୀକ୍ଷା ଶୀଘ୍ର ସମାପ୍ତ ହେବାକୁ ଯାଉଛି। କାରଣ ଯାତ୍ରୀ ବିମାନରେ ଯାତ୍ରା ସମୟରେ ମୋବାଇଲରେ କଥା ହେବା ସହିତ ଡାଟା ମଧ୍ୟ ବ୍ୟବହାର କରି ପାରିବେ। ଏବେ ଏହାସହିତ ସମ୍ବନ୍ଧୀତ ନିୟମକୁ ମଞ୍ଜୁରି ଦେଇଛନ୍ତି କେନ୍ଦ୍ରୀୟ ଦୂରସଞ୍ଚାର ବିଭାଗ।

ସୂଚନା ମୁତାବକ କେନ୍ଦ୍ରୀୟ ବିମାନ ସଚିବ ଆର.ଏନ.ଚୌବେ କହିଛନ୍ତି ଯେ କେନ୍ଦ୍ରୀୟ ଦୂରସଞ୍ଚାର ବିଭାଗ(ଡିଓଟି) ଇନଫ୍ଲାଇଟ କନେକ୍ଟିଭିଟି(ଆଇଏଫସି)ର ନିୟମକୁ ମଞ୍ଜୁରି ଦେଇଛନ୍ତି। ଯାତ୍ରୀଙ୍କୁ ଆଇଏଫସି ସେବା ଦେବାକୁ ଇଚ୍ଛୁକ ଟେଲିକମ କମ୍ପାନି ଏବେ ଲାଇସେନ୍ସ ନେବା ପାଇଁ ଡିଓଟି ସହିତ ଯୋଗାଯୋଗ କରି ପାରିବେ।

ଏହି ଟେଲିକମ କମ୍ପାନି ସବୁ ଡିଓଟିଠୁ ଲାଇସେନ୍ସ ପାଇବା ପରେ ନିଜର ବିମାନରେ ଯାତ୍ରୀଙ୍କୁ ଆଇଏଫସି ସେବା ପ୍ରଦାନ କରି ପାରିବେ। ଏହା ସହିତ ଏହି ସବୁ କମ୍ପାନି ଭାରତୀୟ ବାୟୁସୀମା ଦେଇ ଯାତ୍ରା କରୁଥିବା ବିମାନକୁ ମଧ୍ୟ ସେବା ପ୍ରଦାନ କରିପାରିବେ। କୁହାଯାଉଛି ଯେ  ଏୟାରଟେଲ ତଥା ଜିଓ ପରି ପ୍ରାୟତଃ ସବୁ ବଡ଼ କମ୍ପାନି ଏହି କ୍ଷେତ୍ରରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ସ୍ପାଇସଜେଟ୍ କହିଛି ଯେ ତାଙ୍କର ବୋଇଙ୍ଗ ୭୩୭ ମ୍ୟାକ୍ସ ବିମାନ ସ୍ୟାଟକମରେ ସୁସଜ୍ଜିତ ରହିଛି। ଯାହା ବିମାନରେ ମୋବାଇଲ ସେବା ଉପଲବ୍ଧ କରାଇବାକୁ ସକ୍ଷମ ଅଟନ୍ତି। କମ୍ପାନି କହିଛି ଯେ ଯେମିତି ସରକାରଙ୍କ ପକ୍ଷରୁ ମଞ୍ଜୁରି ମିଳିଯିବ ତୁରନ୍ତ ଏହି ସେବାକୁ ବିମାନରେ ଆରମ୍ଭ କରାଯିବ। ଯାହା ଫଳରେ ଯାତ୍ରୀ ବିମାନରେ ଫୋନରେ କଥା ହେବା ସହିତ ଡାଟା ମଧ୍ୟ ବ୍ୟବହାର କରି ପାରିବେ।

ବିଦେଶୀ ଏୟାରଲାଇନ୍ସ ଲୁଫତାନ୍ସା, ସିଙ୍ଗାପୁର ଏୟାରଲାଇନ୍ସ କାତାର ଏୟାରଓ୍ଵେଜ ଓ ଏମିଟେଟ୍ସ ନିଜର ବିମାନରେ ଲମ୍ବା ସମୟରୁ  ଓ୍ଵାଇଫାଇ ସେବା ପ୍ରଦାନ କରି ଆସୁଛି। ମାତ୍ର ଯେମିତି ତାଙ୍କ ବିମାନ ଭାରତୀୟ ବାୟୁ ସୀମାରେ ପ୍ରବେଶ କରୁଛି। ସେମାନଙ୍କୁ ଏହି ସେବାକୁ ବନ୍ଦ କରିବାକୁ ପଡ଼ୁଛି। ଟ୍ରାଇ ଦ୍ଵାରା ଆଇଏଫସିର ସୁପାରିଶ ଜାରି କରିବାର ୧୧ ମାସ ପରେ ଡିଓଟି ଅନ୍ତିମ ନିୟମକୁ ମଧ୍ୟ ମଞ୍ଜୁରି ଦେଇଛି।

Comment