ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋନୁ ନିଗମ ପୁଣି ବିବାଦ ଘେରରେ। ଏକ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ପଡ଼ିଛନ୍ତି ସୋନୁ। ସୋନୁ ନିଗମ କହିଛନ୍ତି, “ମୋ ଜନ୍ମ ଭାରତରେ ନ ହୋଇ ଯଦି ପାକିସ୍ତାନରେ ହୋଇଥାନ୍ତା, ତେବେ ଭଲ ହୋଇଥାନ୍ତା, ଅନ୍ତତଃ ମୋତେ ଭାରତରୁ ଗୀତ ପାଇଁ ଅଫର ମିଳିଥାନ୍ତା।” ତାଙ୍କର ଏଭଳି ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ନିକଟରେ ସୋନୁ ନିଗମ ଏକ ମିଡିଆ କାର୍ଯ୍ୟକ୍ରମରେ ନିଜ ସିଙ୍ଗିଙ୍ଗ୍‌ ବିଷୟରେ କହିଥିଲେ। ସେ କହିଥିଲେ, “ଭାରତରେ କାମ କରିବା ପାଇଁ ପାକିସ୍ତାନୀ ଗାୟକଙ୍କୁ କୌଣସି ପ୍ରକାରର ଅତିରିକ୍ତ ପାରିଶ୍ରମିକ ଦେବାକୁ ପଡ଼ିନଥାଏ। ହେଲେ ଭାରତୀୟ ଗାୟକଙ୍କୁ ଟଙ୍କା ଦେବାକୁ ପଡ଼େ।”

ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତୀୟ ଗାୟକଙ୍କୁ ଭାରତରେ ଗୀତ ଗାଇବାକୁ ହେଲେ ମ୍ୟୁଜିକ୍‌ କମ୍ପାନିକୁ ଟଙ୍କା ଦେବାକୁ ପଡ଼େ। ତେବେ ଯାଇ ଗୀତ ଗାଇବାର ସୁଯୋଗ ମିଳେ ଓ ତାଙ୍କ ଗୀତର ପ୍ରଚାର କରାଯାଏ।

ସୋନୁଙ୍କ ପାକିସ୍ତାନରେ ଜନ୍ମ ହେବା ମନ୍ତବ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ଧରିଛି।

ଏହା ପୂର୍ବରୁ ସୋନୁ ମଧ୍ୟ ଏକ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଫସିଥିଲେ। ଧାର୍ମିକ ସ୍ଥାନରେ ବାଦ୍ୟଯନ୍ତ୍ର ବ୍ୟବହାର ନିଷିଦ୍ଧ କରିବା ନେଇ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

Comment