ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଥମନ୍ତ୍ରୀ ଅରୁଣ ଜେଟଲି ମଙ୍ଗଲବାର ଏକ ମନ୍ତବ୍ୟରେ କହିଛନ୍ତି ସରକାର ଆରବିଆଇର ପୂର୍ବ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଇସ୍ତଫା ମାଗିନଥିଲେ। ଏକ ସାକ୍ଷାତକାରରେ ଜେଟଲି କହିଛନ୍ତି କି ସରକାରଙ୍କୁ ଆରବିଆଇର ପୁଞ୍ଜି ଭଣ୍ଡାରରୁ ଏକ ଟଙ୍କା ବି ଆବଶ୍ୟକ ନଥିଲା।

ଅଚାନକ ଉର୍ଜିତ ପଟେଲଙ୍କ ଇସ୍ତଫାକୁ ନେଇ ଜେଟଲି କହିଛନ୍ତି, ”ଗତ କିଛିଦିନ ହେବ ସରକାର ଓ ଆରବିଆଇ ମଧ୍ୟରେ କିଛି ପ୍ରସଙ୍ଗକୁ ନେଇ ମତଭେଦ ଲାଗିରହିଥିଲା। ଆରବିଆଇ ବୋର୍ଡ ବୈଠକରେ ଏ ନେଇ ଆଲୋଚନା ବି କରାଯାଇଥିଲା କି କେମିତି ସେଣ୍ଟରାଲ ବ୍ୟାଙ୍କ ପାଖରେ କେତେ ପୁଞ୍ଜି ରହିପାରିବ। ମାତ୍ର ସରକାର କେବେ ବି ଉର୍ଜିତଙ୍କ ଇସ୍ତଫା କଥା କହିନାହାନ୍ତି। ଉର୍ଜିତଙ୍କ ଇସ୍ତଫା ପରେ ଓଡ଼ିଆ ପୁଅ ତଥା ପୂର୍ବ ପ୍ରଶାସନିକ ଅଧିକାରୀ ଶକ୍ତିକାନ୍ତ ଦାସଙ୍କୁ ଆରବିଆଇର ଗଭର୍ଣ୍ଣର ଦାୟିତ୍ୱ ମିଳିଛି।”

ଏହା ପୂର୍ବରୁ ଡିସେମ୍ବର ୧୩ରେ ଅର୍ଥମନ୍ତ୍ରୀ କହିଥିଲେ, ”ସରକାର ଓ ଆରବିଆଇ ମଧ୍ୟରେ ମତଭେଦ ଚାଲିଛି। ଦୁଇ ତିନୋଟି ପ୍ରସଙ୍ଗରେ ଆରବିଆଇ ସହ ମତଭେଦ ଚାଲିଛି। ”

ଏହା ସହିତ ଜେଟଲି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ୍ ନେହେରୁ ଓ ଇନ୍ଦିରା ଗାନ୍ଧିଙ୍କ ସହିତ ପୂର୍ବସରକାରଙ୍କ ଉଦାହରଣ ଦେଇ କହିଛନ୍ତି ସେତେବେଳେ ଆରବିଆଇର ଗଭର୍ଣ୍ଣରଙ୍କୁ ସରକାରଙ୍କ ତରଫରୁ ଇସ୍ତଫା ପାଇଁ କୁହାଯାଇଥିଲା। ଶେଷରେ ଜେଟଲି ଏହା କହିଛନ୍ତି ଯାହାବି ପ୍ରସଙ୍ଗ ଅଛି ସେ ବାବଦରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ଏବଂ ଏବାବଦରେ କଥାବାର୍ତା ଆରମ୍ଭ ହୋଇଯାଇଛି।

ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଅନେକ ରାଜନୀତିକରଣ କରାଯାଇଥିଲା। ଏହାସହିତ କେନ୍ଦ୍ର ସରକାରଙ୍କୁ ମଧ୍ୟ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡିଥିଲା।

Comment