ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁବେଳ ଗରିବି , ବେକାରୀ ପାଇଁ ଚର୍ଚ୍ଚାରେ ରହୁଥିବା ଅଞ୍ଚଳ ଏବେ ଏମିତି ଏକ କାମ ପାଇଁ ଚର୍ଚ୍ଚାରେ ଅଛି ଯାହା ସମସ୍ତଙ୍କ ପାଇଁ ଖୁସିର ଖବର। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଅଞ୍ଚଳର ପ୍ରଭାତୀ ଝୋଡିଆ ବୁଧବାର ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଏହାପରେ ତାଙ୍କ ନିଜ ଗାଁ ଟିକିରି ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ସଫଳତା ପାଇବା ପରେ ପ୍ରଭାତୀ କହିଛନ୍ତି,”ଆଦିବାସୀ ଝିଅ ଭାବେ ଆଜି ମୁଁ ଗର୍ବ ଅନୁଭବ କରୁଛି। ଆଗକୁ ବଢିବା ଲାଗି କୌଣସି ଅସ୍ତ୍ରର ଆବଶ୍ୟକତା ନାହିଁ। ଆଦିବାସୀ ମାନେ ଆଗକୁ ବଢ଼ିବାକୁ ହେଲେ ଶିକ୍ଷା ହିଁ ମୁଖ୍ୟ ଅସ୍ତ୍ର ହେବା ଆବଶ୍ୟକ। ବାପାଙ୍କଠୁ ପ୍ରେରଣା ପାଇ ମୁଁ ଆଜି ଏଇଠି ପହଞ୍ଚି ପାରିଛି।” ଏହା ସହିତ ସଫଳତାର ସମସ୍ତ ଶ୍ରେୟ ସେ ନିଜ ବାପା ମା’ଙ୍କୁ ଦେଇଛନ୍ତି।
ଏହାସହିତ ସେ ଆହୁରି ବି କହିଛନ୍ତି,” ଆଦିବାସୀଙ୍କ ପାଇଁ ସିଧାସଳଖ କିଛି କରିବା ଲାଗି ମୁଁ ପ୍ରଶାସନିକ ଅଧିକାରୀ ହେବାକୁ ଇଛା କରିଥିଲି। ଯାହା ଆଜି ସାକାର ହୋଇପାରିଛି। ଗାଁରେ ଯେଉଁମାନେ ଅବହେଳିତ ଅପାଠୁଆ ସେମାନଙ୍କୁ ସଚେତନ କରିବା ଲାଗି ଚେଷ୍ଟା କରିବି। ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳା ମଧ୍ୟ ତାଳ ଦେଇ ଆଗକୁ ଯିବାର ମନୋବଳ ରହିବା ଦରକାର”।