ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ହିନ୍ଦୀଭାଷୀ ରାଜ୍ୟ ଅର୍ଥାତ ରାଜସ୍ଥାନ,ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିକୁ ତଡ଼ି କଂଗ୍ରେସ କ୍ଷମତା ଦଖଲ କରିବା ପରେ ଦଳ ଭିତରେ ଏକ ନୂଆ ଉତ୍ସାହ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି। ଛତିଶଗଡ଼ରେ ରମଣ ସିଂହଙ୍କ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପରେ ଓଡ଼ିଶା କଂଗ୍ରେସରେ ଏକ ନୂଆ ଆଶା ସଂଚାର ହୋଇଛି। ଖାସ କରି ପଶ୍ଚିମ ଓଡ଼ିଶାରେ ଦଳ ଭଲ କରିବ ବୋଲି ରାଜ୍ୟ କଂଗ୍ରେସ ନେତାମାନଙ୍କ ପକ୍ଷରୁ ଆକଳନ କରାଯାଇଛି। ଏହି କାରଣରୁ ଦଳ ଏବେ ତାର ରଣନୀତିକୁ ସଜାଡ଼ିବା ଆରମ୍ଭ କରିଛି।

ଛତିଶଗଡ଼ରେ କ୍ଷମତା ପରିବର୍ତ୍ତନ ପରେ ଏବଂ ବାଘେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଗୋଟିଏ ଭଲ  କଥା ହୋଇଛି ଯେ ପଶ୍ଚିମ ଓଡ଼ିଶାର କଂଗ୍ରେସ ନେତା ଯେଉଁମାନେ ଦଳ ଛାଡ଼ିବା ପାଇଁ ଯୋଜନା କରୁଥିଲେ ସେମାନେ ଅଟକିଯାଇଛନ୍ତି। ଏହାର ତାଜା ଉଦାହରଣ ହେଉଛନ୍ତି ନବ ଦାସ ଯିଏ ବିଜେଡିକୁ ଯିବେ ବୋଲି ଜୋର ଚର୍ଚ୍ଚା ହେଉଥିଲା। ତେବେ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ଅନୁସାରେ କ୍ଷମତା ରାଜନୀତିରେ  ଓଡ଼ିଶା କଂଗ୍ରେସକୁ ଆହୁରି ଅନେକ ବାଟ ଯିବା ପାଇଁ ଅଛି ଓ ଛତିଶଗଡ଼ ବିଜୟରେ ଏତେ ବି ଉତ୍ସାହିତ ହେବାର କାରଣ ନାହିଁ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଉଣେଇଶି ବର୍ଷର ବିଜେଡ଼ି ସରକାର ବିରୁଦ୍ଧରେ ଲଢେଇ କରିବା ଏତେ ସହଜ ନୁହେଁ ଏବଂ କ୍ଷମତା ଅକ୍ତିଆର କରିବା ତ ଆହୁରି କଷ୍ଟ। ଲୋକେ ବିଜେଡ଼ି କିମ୍ବା ବିଜେପିକୁ ଭୋଟ ନଦେଇ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତେଇବେ ଏହା ଦେଖା ଯାଉନାହିଁ।

ଶାସକ ବିଜେଡିର ଯୁକ୍ତି ହେଉଛି ଯେ ଯଦି ପଶ୍ଚିମ ଓଡ଼ିଶାରେ କଂଗ୍ରେସର ସ୍ଥିତି ଭଲ ରହେ ତେବେ ବିଜେଡିକୁ ହିଁ ଏହା ସାହାଯ୍ୟ କରିବ। ହେଲେ ପଶ୍ଚିମ ଓଡ଼ିଶାରେ ବିଜେପିର ରାଜନୈତିକ ପ୍ରଭାବକୁ କଦାପି ଅଣଦେଖା କରି ହେବ ନାହିଁ। ବିଗତ ତିନି ଚାରି ବର୍ଷ ଧରି ପଶ୍ଚିମ ଓଡ଼ିଶାରେ ବିଜେପି ତାର ଦଳୀୟ ସଙ୍ଗଠନକୁ ଯେଉଁଭଳି ସୁଦୃଢ଼ କରି ଆସିଛି ତାହା ନିଶ୍ଚିତ ଭାବରେ ଉଲ୍ଲେଖଯୋଗ୍ୟ।

ପ୍ରକୃତ ପକ୍ଷେ ୧୯୮୫ରୁ ବିଜେପି ପଶ୍ଚିମ ଓଡ଼ିଶାରେ ତାର ଉପସ୍ଥିତିକୁ ଜାହିର କରି ଆସିଛି।୨୦୦୦ମସିହା ପରେ ବିଜେପି ତାର ସ୍ଥିତିକୁ ଆହୁରି ମଜବୁତ କରିଛି। ଦୁଇ ଥର ବିଜେଡ଼ି ସହିତ ମେଣ୍ଟ ସରକାରରେ ରହିବା ବେଳୁ ହିଁ ବିଜେପି ପଶ୍ଚିମ ଓଡ଼ିଶାରେ ଏକ ଦୃଢ଼ ରାଜନୈତିକ ଶକ୍ତି ଭାବରେ ପରିଗଣିତ ହୋଇ ଆସିଛି। ଏହି କାରଣରୁ ୨୦୧୯ ବିଧାନସଭା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ବିଜେପି ନେତା ମାନେ ଆଶା ରଖିଛନ୍ତି।

ବିଗତ ଚାରିଟି ବିଧାନସଭା ନିର୍ବାଚନରେ କଂଗ୍ରେସ କିନ୍ତୁ  ପଶ୍ଚିମ ଓଡ଼ିଶାରେ ଏତେ ଭଲ କରିନାହିଁ। ଅବିଭକ୍ତ ବଲାଙ୍ଗୀର,ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ଲଗାତାର ହ୍ରାସ ପାଇବାରେ ଲାଗିଛି। ଅଧିକନ୍ତୁ, ଏହି ତିନୋଟି ଜିଲ୍ଲାରୁ ବିଜେପି ଅଧିକରୁ ଅଧିକ ବିଧାୟକଙ୍କୁ ବିଧାନସଭାକୁ ଆଣି ପାରିଛି। ଯଦି ସଂଖ୍ୟା ହିସାବରେ ଦେଖାଯିବ,୧୯୮୦ ଓ ୧୯୮୫ରେ କଂଗ୍ରେସର ବିଧାୟକ ସଂଖ୍ୟା ହ୍ରାସ ପାଇଛି ଯେତେବେଳେକି କଂଗ୍ରେସ ଦଳ କ୍ଷମତାରେ ଥିଲା।୧୯୮୫ ନିର୍ବାଚନରେ  କଂଗ୍ରେସର ପଶ୍ଚିମ ଓଡ଼ିଶାରେ ମାତ୍ର ୨୧ ଜଣ ବିଧାୟକ ନିର୍ବାଚିତ ହୋଇଥିଲେ।

୧୯୯୫ରେ ବିଜୁ-ବିରୋଧୀ ହାୱାରେ କଂଗ୍ରେସ କ୍ଷମତାକୁ ଫେରିବା ବେଳକୁ କଳାହାଣ୍ଡି,ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାର  କଂଗ୍ରେସର ବିଧାୟକ ସଂଖ୍ୟା ବଢ଼ିବା ପରିବର୍ତ୍ତେ ୧୨କୁ ଖସି ଯାଇଥିଲା।ସେହି ନିର୍ବାଚନରେ ଦକ୍ଷିଣ ଓଡ଼ିଶାରୁ ବରଂ ଜଣେ ଅଧେ ଅଧିକ କଂଗ୍ରେସ ବିଧାୟକ ନିର୍ବାଚିତ ହୋଇଥିଲେ।ପଞ୍ଚଦଶ(୨୦୧୪) ବିଧାନସଭାରେ ପଶ୍ଚିମ ଓଡ଼ିଶାର ମାତ୍ର ଦୁଇ ଜଣ କଂଗ୍ରେସ ବିଧାୟକ ଅଛନ୍ତି।

ବିଜେପିର କଥା କିନ୍ତୁ ପୂରା ନିଆରା।୧୯୮୫ରେ ବିଜେପି ଓଡ଼ିଶାରେ କାମାକ୍ଷାନଗର ଆସନ ଜିତି ତାର ଖାତା ଖୋଲିଥିଲା।୧୯୯୦ ବିଧାନସଭା ନିର୍ବାଚନରେ ବିଜେପିର ଦୁଇ ଜଣ ବିଧାୟକ ଥିଲେ।ଏଥିରୁ ପଶ୍ଚିମ ଓଡ଼ିଶାର ଜଣେ ଥିଲେ।୧୯୯୫ରେ ପଶ୍ଚିମ ଓଡ଼ିଶାରୁ ୪ ଜଣ ବିଧାୟକ ଥିବା ବେଳେ ୨୦୧୪ ନିର୍ବାଚନରେ ବିଜେପି ବିଧାୟକଙ୍କ ସଂଖ୍ୟା 6କୁ ବୃଦ୍ଧି ପାଇଥିଲା।ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ବିଜେପି ପଶ୍ଚିମ ଓଡ଼ିଶାରେ ଏକ ଲୋକପ୍ରିୟ ଦଳ ହୋଇଛି।

୨୦୧୯ ବିଧାନସଭା ନିର୍ବାଚନରେ ପଶ୍ଚିମ ଓଡ଼ିଶାର ଲୋକେ କାହାକୁ ଅଧିକ ପସନ୍ଦ କରିବେ ଏହା ଏକ ବଡ଼ ପ୍ରଶ୍ନ।ବିରୋଧୀ କଂଗ୍ରେସ ଓ ବିଜେପିର ପଲ୍ଲା ଭାରି ରହିବ ନା ବିଗତ ଚାରୋଟି ନିର୍ବାଚନ ଭଳି  ଶାସକ ବିଜେଡିର ପ୍ରାର୍ଥୀଙ୍କୁ ଭୋଟ ଦେଇ  ଲୋକେ ଜିତାଇବେ ତାହା ଏବେ ଠାରୁ କହିବା କଷ୍ଟ।

Comment