ଓଡ଼ିଶାଲାଇଭ ବ୍ୟୁରୋ

ସମ୍ବଲପୁର ବୋର୍ଡ ଅଫିସ ପୋଡ଼ି ଘଟଣାରେ ପୋଲିସ ତଦନ୍ତ କରି ୧୦ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ।

ସମ୍ବଲପୁର ବୋର୍ଡ ଅଫିସ ପୋଡ଼ି ଦେବା ଘଟଣାରେ ଗୁରୁବାର ୧୦ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ। ବୋର୍ଡ ଡେପୁଟି ସେକ୍ରେଟେରୀଙ୍କ ଏତଲା ଭିତ୍ତିରେ ଏହି ମାମଲା ରୁଜୁ ହୋଇଛି। ଏନେଇ ସମ୍ବଲପୁର ଏସ୍‌ପି ସଞ୍ଜୀବ ଆରୋରା ସୂଚନା ଦେଇଛନ୍ତି।

ମାଟ୍ରିକ ପରୀକ୍ଷାକୁ କମ୍ ଦିନ ରହିଥିଲାବେଳେ ତା’ପୂର୍ବରୁ ଏଭଳି ଘଟଣା ଘଟିଥିବାରୁ ସାଧାରଣତଃ ବିଦ୍ୟାର୍ଥୀଙ୍କ ମନରେ ପରୀକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା।

“ମାଟ୍ରିକ ପରୀକ୍ଷା ପରିଚାଳନାରେ କୌଣସି ସମସ୍ୟା ହେବ ନାହିଁ”, କହିଛନ୍ତି ଜିଲ୍ଲାପାଳ।

“ପରୀକ୍ଷା ଦେବାରେ ଛାତ୍ରଛାତ୍ରୀଙ୍କ ପାଇଁ ଅସୁବିଧା ହେବ ନାହିଁ। ଫର୍ମଫିଲପ୍ କରିଥିବା ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ”, ମାଧ୍ୟମିକ ଶିକ୍ଷା ପରିଷଦର ଉପ ସମ୍ପାଦକ ସୂର୍ଯ୍ୟମଣୀ ମାଝି ସୂଚନା ଦେଇଛନ୍ତି।

ମାଧ୍ୟମିକ ଶିକ୍ଷା ପରିଷଦର ସମ୍ବଲପୁର ଶାଖା କାର୍ଯ୍ୟାଳୟରେ ବୁଧବାର କିଛି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିଲେ। ସମ୍ବଲପୁର ଜେଲ ଛକରେ ଅବସ୍ଥିତ ଏହି ଅଫିସରେ ଦୁର୍ବୃତ୍ତମାନେ ପଶି ନିଆଁ ଲଗାଇ ଦେଇଥିବାରୁ ବହୁତ ଦରକାରୀ କାଗଜପତ୍ର ଜଳିଯାଇଛି।

ବୁଧବାର ମାଧ୍ୟମିକ ଶିକ୍ଷା ପରିଷଦର ସମ୍ବଲପୁର ଶାଖା କାର୍ଯ୍ୟାଳୟରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ ଚାଲିଥିଲା। ଅପରାହ୍‌ଣ ୨ଟାରେ ୭ ରୁ ୮ଜଣ ଦୁର୍ବୃତ୍ତ ଅଫିସ ବାହାରେ ଥିବା ୨ଟି ବାଇକ୍‌ରେ ନିଆଁ ଲଗାଇ ଜାଳିଦେଇଥିଲେ। ପରେ ବୋର୍ଡ ଅଫିସ ଭିତରେ ପଶି କାଗଜପତ୍ର ଓ କମ୍ପ୍ୟୁଟରରେ ନିଆଁ ଲଗାଇଥିଲେ।

Comment