ଓଡ଼ିଶାଲାଇଭ୍ ବ୍ୟୁରୋ

ରାଫେଲ ଡିଲକୁ ନେଇ ମୋଦି ସରକାରଙ୍କୁ କଂଗ୍ରେସ ଘେରିଥିବା ବେଳେ ହାଲ୍ ମୁଖ୍ୟଙ୍କ ବୟାନ ସାମ୍ନାକୁ ଆସିଛି। ଆବଶ୍ୟକୀୟ ପ୍ରଯୁକ୍ତି ମିଳିରେ ହିନ୍ଦୁସ୍ତାନ ଏରୋନେଟିକସ୍ ଲିମିଟେଡ୍ ରାଫେଲ ଫାଇଟର୍ ଜେଟ୍ ନିର୍ମାଣ କରିବା ଲାଗି ସମର୍ଥ ବୋଲି ‘ହାଲ୍‌’ର ଅଧ୍ୟକ୍ଷ ଆର୍.ମାଧବନ୍ ଶନିବାର କହିଛନ୍ତି। ତେବେ ବର୍ତ୍ତମାନ କିଣା ଯାଉଥିବା ୩୬ଟି ରାଫେଲ ଜେଟ୍ କ୍ଷେତ୍ରରେ ଏହା ପ୍ରଯୁଜ୍ୟ ନୁହେଁ ବୋଲି ସେ ସ୍ପଷ୍ଟ ବି କରିଛନ୍ତି।

କେନ୍ଦ୍ରରେ ୟୁପିଏ ସରକାର ଥିବା ସମୟରେ ୧୨୬ଟି ରାଫେଲ ଜେଟ୍ କିଣିବା ଲାଗି ଯୋଜନା କରିଥିଲେ। ତେଣୁ ଫ୍ରାନ୍ସର କଂପାନିଠାରୁ ପ୍ରଯୁକ୍ତି ଅଣାଯାଇ ‘ହାଲ୍’ ମାଧ୍ୟମରେ ନିର୍ମାଣ କରାଯିବା ଲାଗି ଚିନ୍ତା କରାଯାଉଥିଲା। ସେ ସମୟରେ ପ୍ରାଥମିକ ଭାବେ ଏ ନେଇ ଆଲୋଚନା ହୋଇଥିଲା ଓ ପ୍ରଯୁକ୍ତି ମିଳିରେ ‘ହାଲ୍’ ରାଫେଲ ଜେଟ୍ ନିର୍ମାଣ କରିପାରିବ ବୋଲି ମତ ପ୍ରକାଶ ପାଇଥିଲା ବୋଲି ମାଧବନ୍ କହିଛନ୍ତି।

ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବାବେଳେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ‘ହାଲ୍’ ମୁଖ୍ୟ ଆର୍.ମାଧବନ୍ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି ତୁରନ୍ତ ଆବଶ୍ୟକତାକୁ ଚାହିଁ ସରକାର ୩୬ଟି ବିମାନ ଫ୍ରାନ୍ସରୁ ଆଣୁଛନ୍ତି। ତେଣୁ ଏହି ଚୁକ୍ତିରେ ‘ଟେକ୍ନୋଲୋଜି ଟ୍ରାନ୍ସଫର’ ପ୍ରସଙ୍ଗ ନାହିଁ।

ବର୍ତ୍ତମାନ ସମୟରେ ରାଫେଲ ଡିଲକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛି କଂଗ୍ରେସ। ଫ୍ରାନ୍ସ କମ୍ପାନୀ ଦାସଲ୍ଟ ଏଭିଏସେନକୁ ରାଫେଲ ଫାଇଟର ବିମାନ କ୍ରୟ ନେଇ ନିର୍ଦ୍ଧାରିତ ଠାରୁ ଅଧିକ ଅର୍ଥ ଦିଆଯାଇଥିବା କଂଗ୍ରେସର ଅଭିଯୋଗ। କଂଗ୍ରେସ ମଧ୍ୟ ଦାବି କରିଛି ୟୁପିଏ ଅମଳରେ ବହୁତ କମ୍ ଦରରେ ରାଫେଲ ଡିଲ୍ ହୋଇଥିଲା। ଟେକ୍ନୋଲୋଜି ଟ୍ରାନ୍ସଫର ଜରିଆରେ ‘ହାଲ୍’ରେ ବି ରାଫେଲ ବିମାନ ନିର୍ମାଣ ହୋଇପାରିଥାନ୍ତା ବୋଲି କହିଛି କଂଗ୍ରେସ।

Comment