ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୮ ବର୍ଷରେ ଅନେକ ଚର୍ଚ୍ଚିତ ଘଟଣାରେ ଐତିହାସିକ ରାୟ ଶୁଣାଇଛନ୍ତି ଉଚ୍ଚତମ ନ୍ୟାୟାଳୟ। ଯେଉଁଥିରେ ଇଚ୍ଛାମୃତ୍ୟୁଠାରୁ ନେଇ ସାବରିମାଳାରେ ମହିଳାଙ୍କ ପ୍ରବେଶ ଅନୁମତି ପର୍ଯ୍ୟନ୍ତ ରହିଛି। ଗତ ଅକ୍ଟୋବର ମାସରେ ଅବସର ଗ୍ରହଣ କରିଥିବା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସବୁଠୁ ଅଧିକ ଐତିହାସିକ ରାୟ ଶୁଣାଇଛନ୍ତି। ଏହି ରାୟକୁ କିଛି ଲୋକ ସ୍ୱାଗତ କରିଥିବାବେଳେ କିଛି ମଧ୍ୟ ବିରୋଧ କରିଥିଲେ। ଚାଲନ୍ତୁ ଜାଣିବା ସେହି ଐତିହାସିକ ନିଷ୍ପତ୍ତି ବିଷୟରେ।

ରଦ୍ଦ ହେଲା ଧାରା ୩୭୭

ସହମତିରେ ସମଲିଙ୍ଗୀ ଯୌନ ସଂପର୍କ ଅପରାଧ ନୁହେଁ। ଆଇପିସିର ୩୭୭ ଧାରା ଉପରେ ଏହି ଐତିହାସିକ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ। ପ୍ରାପ୍ତ ବୟସ୍କମାନେ ସହମତିରେ ସମଲିଙ୍ଗୀ ଯୌନ ସଂପର୍କ ରଖିବା ପ୍ରସଙ୍ଗକୁ ଅପରାଧିକ ଶ୍ରେଣୀରୁ ବାଦ୍ ଦିଆଗଲେ। ଏହାକୁ ନେଇ ଥିବା ସାମାଜିକ ଅପବାଦ ଏବଂ ଘୃଣା ଆପେ ଆପେ ଦୂର ହେବ ବୋଲି ଶୁଣାଣି ବେଳେ ସୁପ୍ରିମକୋର୍ଟ ମତ ଦେଇଥିଲେ। କେନ୍ଦ୍ର ସରକାର ମଧ୍ୟ ନିଜ ମତ ରଖିଥିଲେ। ଆଇପିସିର ଧାରା ୩୭୭ ବ୍ରିଟିଶ ଅମଳରୁ ରହିଥିଲା। ସମୟ ଅନୁସାରେ ଆଇନରେ ମଧ୍ୟ ପରିବର୍ତ୍ତନ ଜରୁରୀ ବୋଲି କୋର୍ଟ କହିଛନ୍ତି। ସମଲିଙ୍ଗୀ ଯୌନ ସଂପର୍କ ଅପରାଧ ବୋଲି ଭାରତୀୟ ସମାଜ ମନେ କରୁଆସୁଛି।

ସରକାରୀ କର୍ମଚାରୀଙ୍କୁ ପଦୋନ୍ନତିରେ ସଂରକ୍ଷଣ ମନା

ସେପ୍ଟେମ୍ବର ୨୬ରେ ସୁପ୍ରିମକୋର୍ଟ ନିଜର ପୂର୍ବ ନିଷ୍ପତ୍ତି ବିରୋଧରେ ଦାଖଲ ହୋଇଥିବା ପୁନର୍ବିଚାର ଆବେଦନକୁ ଖାରଜ କରିଥିଲେ। ଆବେଦନପତ୍ରରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ସରକାରୀ ଚାକିରିରେ ପଦୋନ୍ନତି ସମୟରେ ସଂରକ୍ଷଣ ଦେବାକୁ ଦାବି ହୋଇଥିଲା। କିନ୍ତୁ ସୁପ୍ରିମକୋର୍ଟ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଥିଲେ।

ଆଧାରର ବୈଧତା

ଆଧାର ସାମ୍ବିଧାନିକ ଭାବରେ ବୈଧ। ବ୍ୟାଙ୍କ ଓ ମୋବାଇଲ୍‌ରେ ଆଧାର ଲିଙ୍କ୍ ବାଧ୍ୟତାମୂଳକ ନୁହେଁ ସେହିପରି ସ୍କୁଲରେ ଆଡମିସନ୍ ବେଳେ ଏହାକୁ ବାଧ୍ୟତାମୂଳକ କରାଯିବ ନାହିଁ ତେବେ ୟୁଜିସି, ନିଟ୍ ସିବିଏସସି ପରୀକ୍ଷାରେ ଆଧାର ବାଧ୍ୟତାମୂଳକ ନୁହେଁ ବୋଲି ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ। ସେହିପରି କୋର୍ଟ କହିଛନ୍ତି ଯେ ଘରୋଇ କମ୍ପାନି ଆଧାର ନମ୍ବର ମାଗି ପାରିବେ ନାହିଁ। ଆଧାର ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ। ଏହା ଅନ୍ୟ ସମସ୍ତ ପ୍ରମାଣପତ୍ରଠାରୁ ଭିନ୍ନ। ତଥ୍ୟକୁ ଗୋପନୀୟ ଓ ସଂରକ୍ଷିତ ରଖିବାକୁ କେନ୍ଦ୍ର ସରକାର ଦୃଢ଼ ଆଇନ ଆଣିବା ଉପରେ ଗୁରୁତ୍ୱ ଦେବା ଉଚିତ।

ପରକୀୟା ପ୍ରୀତି ଅପରାଧ ନୁହେଁ

ବର୍ତ୍ତମାନ ଦାମ୍ପତ୍ୟ ଜୀବନରେ ବ୍ୟଭିଚାର ଏକ ଅପରାଧ ନୁହେଁ। କିନ୍ତୁ ଏଥିପାଇଁ ଯଦି ସାଥୀ ଆତ୍ମହତ୍ୟା କରେ, ତେବେ ଆଇନ କାନୁନ ଲାଗୁ ହେବ ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ। ପରକୀୟା ପ୍ରୀତିକୁ ଅପରାଧ ବିବେଚନା କରାଯାଉଥିବା ଆଇପିସି ଧାରା ୪୯୭କୁ ଅସାମ୍ବିଧାନିକ ବୋଲି କହିଛନ୍ତି ଖଣ୍ଡପୀଠ।

ଏହାସହ ମୁଖ୍ୟ ବିଚାରପତି କହିଥିଲେ, “ଚୀନ, ଜାପାନ ଓ ବ୍ରାଜିଲରେ ଏହା ଅପରାଧ ନୁହେଁ।” ଯଦି ପରକୀୟା ପ୍ରୀତି ପ୍ରମାଣିତ ହୁଏ, ତେବେ ଛାଡ଼ପତ୍ର ଦେଇପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ତେବେ ସ୍ତ୍ରୀର ବିନା ଅନୁମତିରେ ସ୍ୱାମୀ ଶାରୀରିକ ସମ୍ପର୍କ ରଖିଲେ ଏହାକୁ ଦୁଷ୍କର୍ମ ନୁହେଁ ବ୍ୟଭିଚାର ବୋଲି ଧରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସହମତିରେ ଅନ୍ୟତ୍ର ସମ୍ପର୍କ ଅପରାଧ ନୁହେଁ।

ଦାଗୀ ନେତା

ଯେଉଁ ନେତାଙ୍କର ରହିଛି ଅପରାଧିକ ଛବି, ସେମାନେ ନିର୍ବାଚନ ଲଢ଼ିପାରିବେ ବୋଲି ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ। ଯେଉଁ ନେତା ପାଞ୍ଚବର୍ଷ କିମ୍ବା ତାଠୁ ଅଧିକ ଦଣ୍ଡ ଭୋଗ କରିଥିବେ ସେମାନେ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ କି ନାହିଁ, ସେନେଇ ଆଇନ୍ ଆଣିବାକୁ ସଂସଦ ଉପରେ ଛାଡ଼ିଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ।

ବ୍ୟକ୍ତିଗତ ଗୋପନୀୟତା ମୌଳିକ ଅଧିକାର ଅନ୍ତର୍ଭୁକ୍ତ

ଗୋପନୀୟତା ମୌଳିକ ଅଧିକାର ବୋଲି ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ। ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ୯ ଜଣିଆ ବିଚାରପତିଙ୍କ ସାମ୍ବିଧାନିକ ପୀଠ ଏହି ରାୟ ଶୁଣାଇଥିଲେ। ସମ୍ବିଧାନର ଅନୁଚ୍ଛେଦ ୨୧ଆଧାରରେ ଗୋପନୀୟତାକୁ ମୌଳିକ ଅଧିକାର ଅନ୍ତର୍ଭୁକ୍ତ କରିଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ବିଭିନ୍ନ ସମୟରେ ଏକାଧିକ ଥର ସୁପ୍ରିମକୋର୍ଟର ଖଣ୍ଡପୀଠ ସବୁ ଏହାକୁ ମୌଳିକ ଅଧିକାର ନୁହେଁ ବୋଲି ଦେଇଥିବା ରାୟକୁ ଖଣ୍ଡନ କରିଥିଲେ ଏହି ସାମ୍ବିଧାନିକ ଖଣ୍ଡପୀଠ।

ଇଚ୍ଛା ମୃତ୍ୟୁକୁ ଅନୁମତି

ପ୍ରତ୍ୟେକ ନାଗରିକର ସମ୍ମାନର ସହ ମରିବାର ଅଧିକାର ଅଛି ବୋଲି କହିଥିଲେ ସୁପ୍ରିମକୋର୍ଟ। କମନ୍ କଜ୍ ନାମକ ଏକ ଏନଜିଓର ଆବେଦନ ଉପରେ ବିଚାର କରି ଏହି ଐତିହାସିକ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ। ସର୍ତ୍ତ ଅନୁଯାୟୀ ଯେତେବେଳେ ଜଣେ ରୋଗୀଙ୍କ ବଞ୍ଚିବା ପାଇଁ ଆଉ କୌଣସି ବିକଳ୍ପ ନଥିବ ଏବଂ ସେ କେବଳ ଲାଇଫ୍ ସପୋର୍ଟ ସିଷ୍ଟମରେ ହିଁ ବଞ୍ଚିପାରୁଥିବେ। ସେହି ଅବସ୍ଥାରେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଆଯାଇପାରିବ।

ଅଦାଲତ କାର୍ଯ୍ୟାନୁଷ୍ଠାନର ସିଧାପ୍ରସାରଣ

ସଂସଦ ପରି ଖୁବ୍ ଶୀଘ୍ର ଉଚ୍ଚତମ ନ୍ୟାୟାଳୟ ଏବଂ ଉଚ୍ଚ ନ୍ୟାୟାଳୟର ଶୁଣାଣିର ହେବ ସିଧାପ୍ରସାରଣ। ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ର ଏନେଇ ସବୁଜ ସଙ୍କେତ ଦେଇଥିଲେ। କହିଥିଲେ ଏଣିକି ଆଉ ଲୋକଙ୍କୁ ଅଦାଲତ ଆସିବାକୁ ପଡ଼ିବନି।

କେରଳ ସାବରିମାଳା ମନ୍ଦିର ଭିତରକୁ ଯାଇ ପାରିବେ ମହିଳା

ଭକ୍ତିରେ ଭେଦଭାବ ରହିବା ଉଚିତ ନୁହଁ। ବିନା କୌଣସି ଭେଦଭାବରେ ସମସ୍ତଙ୍କୁ ମନ୍ଦିରରେ ପୂଜା କରିବାକୁ ଅନୁମତି ମିଳିବା ଆବଶ୍ୟକ। ମହିଳାଙ୍କୁ ମନ୍ଦିର ପ୍ରବେଶରେ ବାରଣ ସମ୍ବିଧାନର ଧାରା ୧୪ର ଉଲ୍ଲଂଘନ। ସାବରିମାଳା ମାମଲାରେ ରାୟ ଦେଇ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏହା ସ୍ପଷ୍ଟ କରିଛନ୍ତି। ମନ୍ଦିରର ୮ଶହ ବର୍ଷର ପରମ୍ପରା ଉପରେ ରୋକ୍ ଲଗାଇଥିଲେ ସୁପ୍ରିମକୋର୍ଟ। ୧୦ରୁ ୫୦ ବର୍ଷ ବୟସ ବର୍ଗ ମହିଳାଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଥିଲା। ଏବେ ମହିଳାମାନେ ମଧ୍ୟ ପ୍ରଭୁ ଆୟପ୍ପାଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରି ପାରିବେ।

ରାଫେଲ୍

ରାଫେଲ୍ ମାମଲାରେ ଐତିହାସିକ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ। ରାଫେଲ୍ ଡିଲ୍‌ର ତଦନ୍ତ ହେବ ନାହିଁ। ଫ୍ରାନ୍ସଠାରୁ ୩୬ଟି ଲଢୁଆ ଯୁଦ୍ଧ ବିମାନ କିଣାରେ କୌଣସି ସନ୍ଦେହ ନାହିଁ। କୌଣସି ଅନିୟମିତିତା ହୋଇ ନାହିଁ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ସମସ୍ତ ମାମଲାକୁ ଖାରଜ କରିଥିଲେ।

Comment