ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାହୁଲଙ୍କ ବିଜେପି ବିରୋଧୀ ମହାମେଣ୍ଟକୁ ଝଟ୍‌କା ଦେଲେ ଅଖିଳେଶ ଯାଦବ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିରୋଧୀମାନଙ୍କୁ ଏକାଠି କରିବା ପାଇଁ ଚେଷ୍ଟା କରୁଥିବା ବେଳେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ତାଙ୍କୁ ବଡ଼ ଝଟକା ଦେଇଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପ୍ରସ୍ତାବିତ ଫେଡେରାଲ ଫ୍ରଣ୍ଟକୁ ଅଖିଳେଶ ଯାଦବ ସମର୍ଥନ କରିଛନ୍ତି।

ଫେଡେରାଲ ଫ୍ରଣ୍ଟ ଗଠନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବେ ଅଖିଳେଶ।

ମଧ୍ୟପ୍ରଦେଶରେ କଂଗ୍ରେସକୁ ବିନା ସର୍ତ୍ତରେ ସମର୍ଥନ କରିଥିଲା ସମାଜବାଦୀ ପାର୍ଟି। ଦଳର ଏକମାତ୍ର ବିଜୟୀ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନଥିବାରୁ କ୍ଷୁବ୍ଧ ହୋଇଥିଲେ ଅଖିଳେଶ।

ଅଖିଳେଶ କହିଛନ୍ତି, “ବିଜେପି ସହ କଂଗ୍ରେସକୁ ମଧ୍ୟ ଧନ୍ୟବାଦ। ମଧ୍ୟପ୍ରଦେଶରେ ଆମର ଏକମାତ୍ର ବିଧାୟକଙ୍କୁ ମନ୍ତ୍ରୀ କରାଯାଇ ନାହିଁ। ତେଣୁ ଆମ ରାସ୍ତା ପୂରା ପରିଷ୍କାର।”

ପୂର୍ବରୁ ମାୟାବତୀ ମଧ୍ୟ ମେଣ୍ଟ ଗଠନ ହେବ ନାହିଁ ବୋଲି ସଙ୍କେତ ଦେଇ ସାରିଛନ୍ତି।

“୨୦୧୯ ଲୋକସଭା ନିର୍ବାଚନ ପାଇଁ ଗଠବନ୍ଧନ ଜରୁରୀ। ବିଜେପିକୁ ଶାସନରୁ ହଟାଇବା ପାଇଁ ସମସ୍ତ ଦଳକୁ ଏକାଠି ହେବାକୁ ପଡ଼ିବ। ଲକ୍ଷ୍ନୌରେ ଲୋକଭବନରେ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଲାଗିବା ଠିକ୍, କିନ୍ତୁ ଆମ ସରକାର ଆସିଲା ମାତ୍ରେ ଆମେ ବି ଏକ ପ୍ରତିମୂର୍ତ୍ତି ଲଗାଇବୁ”, କହିଛନ୍ତି ଅଖିଳେଶ।

ସେପଟେ କେସିଆର୍‌ଙ୍କ ପକ୍ଷରୁ କଂଗ୍ରେସ ସହ ମେଣ୍ଟ କରିଥିବା ଏସ୍‌ପି ଏବଂ ବିଏସ୍‌ପି ସହ ଆଲୋଚନା କରି ଫେଡେରାଲ ଫ୍ରଣ୍ଟ ଗଠନ ନେଇ ଉଦ୍ୟମ ଜାରି ରହିଛି। ତେବେ ଏଥିରେ କଂଗ୍ରେସକୁ ସାମିଲ କରିବାର ଯୋଜନା ନଥିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଶକ୍ତ ଝଟକା ଲାଗିଛି। ଗତ କିଛିଦିନ ଭିତରେ କେସିଆର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିସାରିଛନ୍ତି।

Comment